ଶୋଇଥିବା ବେଳେ ମା’ ଓ ଝିଅକୁ ଚୋଟ ମାରିଲା ସାପ : ଡାକ୍ତରଖାନା ଯିବା ବାଟରେ ଉଭୟଙ୍କ ଚାଲିଗଲା ଜୀବନ

ନୂଆପଡା, (ନିରାକାର ମେହେର) : ବିଷଧର ସାପ କାମୁଡାରେ ଗଲା ୨ଟି ଜୀବନ । ରାତିରେ ଖାଇପିଇ ଶୋଇଥିବା ବେଳେ ମା ଓ ଝିଅକୁ ଦଂଶିଲା ସାପ । ପ୍ରଥମେ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଅଧାବାଟରେ ଉଠିଗଲା ପ୍ରାଣବାୟୁ । ଏଭଳି ଅଭାବନୀୟ ଘଟଣା ଘଟଛି ନୂଆପଡା ଜିଲ୍ଲାର କେନ୍ଦୁବାହାର ଗାଁରେ । ଫଳ​‌ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଝିଅର ବୟସ ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ମୁତାବିକ, ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାର ଗାଁରେ ଗତରାତିରେ ଖାଇ ସାରିବା ପରେ ମା ଓ ଝିଅ ଏକାଠି ଶୋଇଥିଲେ । ଏହି ସମୟରେ ହଠାତ୍‌ ଏକ ବିଷଧର ସାପଟି ନାବାଳିକା ଝିଅକୁ କାମୁଡିଥିଲା । ଝିଅଟି ଛାଟିପଟି ହେବାରୁ ପାଖରେ ଶୋଇଥିବା ମା ଉଠିପଡିଥିଲେ । ସେ ସାପଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାପଟି ଓଲଟି ପଡି ମାଆଙ୍କୁ ଚୋଟ ମାରିଥିଲା । ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.