୨ ଆନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ୨ ଯୁବକ ଆନ୍ତର୍ଜାତୀୟ କବାଡି ଖେଳରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବହୁ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏକଦା କାଶୀପୁର ଅଞ୍ଚଳ ପାହାଡ଼, ଜଙ୍ଗଲ ଘେରା ଭିତରେ ରହି ଅନାହାର, ଝାଡ଼ାବାନ୍ତି ଭଳି ଦୁର୍ନାମ ଖବର ଯୋଗୁଁ ସାରା ବିଶ୍ୱର ଶିଖରରେ ରହିଆସୁଥିବା ବେଳେ ଏହି ଦୁଇଭାଇ ସପ୍ତମ ଭାରତ-ନେପାଲ ଆନ୍ତର୍ଜାତୀୟ ଚାମ୍ପିୟାନ୍‌ସିପ୍‌ ୨୦୨୪ରେ କବାଡି ଖେଳରେ ଭାଗ ନେଇ କାଶୀପୁର ନାଁକୁ ଆଜି ବିଶ୍ୱ ଦରବାରରେ ପରିଚିତ କରିବାରେ ସକ୍ଷମ ହୋଇ ପ୍ରସଂଶା ସାଉଁଟିଛନ୍ତି । ଉକ୍ତ ଆନ୍ତର୍ଜାତୀୟ ଦୁଇ ଖେଳାଳି ହେଉଛନ୍ତି ନେପୁଲ୍ୟ ନାଏକ ଓ ଟଙ୍କଧର ନାଏକ ଉଭୟ କାଶୀପୁର ସଦର ମହକୁମା ଡମ୍ବସାହି ନିବାସୀ ଘେନୁ ନାଏକଙ୍କ ପୁଅ ଓ ନାତି । ଘେନୁଙ୍କର ଦୁଇପୁଅ ପୁରନ୍ଦର ନାଏକ ଓ ଉମେଶ ନାଏକ ନାମକୁ ମାତ୍ର ଚାଷୀ । ଉଭୟ ଭାଇ ସଂଘର୍ଷ କରି ନିଜ ନିଜ ସନ୍ତାନଙ୍କୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ାଇବାରେ ସକ୍ଷମ ହେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏମାନଙ୍କୁ କାଶୀପୁର ଠାରେ ହିଁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ାଇଥିଲେ । ବର୍ତ୍ତମାନ ଉଭୟ ରାୟଗଡାରେ ରହି ନେପୁଲ୍ୟ ନାଏକ ଡିପ୍ଲୋମା ଇଞ୍ଜିନିୟରିଂ ଓ ଟଙ୍କଧର ନାଏକ ଯୁକ୍ତ ୩ରେ ଅଧ୍ୟଅନରତ । ତୁଳସୀ ଦୁଇପତ୍ରରୁ ବାସେ, ଏଭଳି ଦୃଷ୍ଟାନ୍ତରେ ଉଭୟ ଭାଇ ନିଜର ପ୍ରତିଭା ପ୍ରଦର୍ଶନ ଯାତ୍ରାକୁ ପଲ୍ଲୀ ଠାରୁ ଦିଲ୍ଲୀ ପୁଣି ପରବର୍ତ୍ତୀ ସମୟରେ ଆନ୍ତର୍ଜାତୀୟ ସ୍ତରକୁ ନେଇପାରିବାରେ ସକ୍ଷମ ହୋଇଛନ୍ତି । କାଶୀପୁର ନିଜ ଗାଁରେ ଉଭୟେ ପହଂଚିବା ପରେ ସେମାନଙ୍କୁ ପୂର୍ବ ପ୍ରସ୍ତୁତି ପ୍ରକାରେ ଅଞ୍ଚଳର ବୁଦ୍ଧିଜୀବୀ, ଯୁବବର୍ଗ, ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ଭାବେ ପ୍ରଥମେ ଗାଁର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆଶୀର୍ବାଦ ପରେ ମନ୍ଦିର ଠାରୁ ଆଇଫାଡ଼ ଛକ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟ, ନାଚ ସହ ବାଣ ଦ୍ୱାରା ପଟୁଆରରେ ବାହାରିଥିଲେ । ଏହି ସମୟରେ କାଶୀପୁର ତହସିଲଦାର ସୁନୀଲ ପ୍ରଧାନ, କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ, ବିଜେଡି ଉପସଭାପତି ଅମିତ ନାଏକ, ସହ ହାଇସ୍କୁଲର ଛାତ୍ରଛାତ୍ରୀ / ଶିକ୍ଷକ, ବ୍ଲକ କର୍ମଚାରୀ ବୁଦ୍ଧିଜୀବୀ ମାନେ ଫୁଲ ତୋଡା, ଫୁଲମାଳ ସହ ଉପର୍ଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.