oum

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲର କାର୍ଯ୍ୟରତ ଦୁଇ ସହକାରୀ ଶିକ୍ଷୟିତ୍ରୀ ନମିତା ମହାନ୍ତି ଓ ଅଞ୍ଜଳି ପଣ୍ଡା ଚାକିରୀରୁ ଅବସର ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଅମିତା କୁମାରୀ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ଓ ଶ୍ରୀମତୀ ପଣ୍ଡାଙ୍କୁ ଉପଢୌକନ, ମୋମେଣ୍ଟୋ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବିଶ୍ରା ଓ କୁଆଁରମୁଣ୍ଡା ବ୍ଲକ୍ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସତ୍ୟଭାମା ବେହେରା, କୃପାସିନ୍ଧୁ ପତି, ଆଭା ଅନ୍ୱେଷା ସଭାପତି ଆର୍ତ୍ତତ୍ରାଣ ଜେନା ପ୍ରମୁଖ ବକ୍ତବ୍ୟ ରଖି ଉଭୟ ଶିକ୍ଷୟିତ୍ରୀଙ୍କ ଅଧ୍ୟାପନା ପ୍ରତି ପ୍ରତିବଦ୍ଧତା, ଛାତ୍ରବତ୍ସଳତା, ସମୟାନୁବର୍ତ୍ତିତା ତଥା ତାଙ୍କ ସହ କାଟିଥିବା ମୁହୁର୍ତ୍ତର ସ୍ମୃତିଚାରଣ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ମହାନ୍ତି ଓ ଶ୍ରୀମତୀ ପଣ୍ଡା ତାଙ୍କ ଶିକ୍ଷୟିତ୍ରୀ ଜୀବନର କାର୍ଯ୍ୟକଳାପ ସ୍ମରଣୀୟ ହେବ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏମ୍‌ସି ପରିଚାଳନା କମିଟିର ଅଧ୍ୟକ୍ଷ ସରୋଜ ଜେନା, ଉଦିତନଗର ସିଆର୍‌ସିସି ଦୀପ୍ତିମୟୀ ପରିଡ଼ା, ଆର୍‌ଇସି ସିଆର୍‌ସିସି ସିପ୍ରା ସାହୁ ପ୍ରମୁଖ ବକ୍ତବ୍ୟ ରଖି ଉଭୟ ଶିକ୍ଷୟିତ୍ରୀଙ୍କ ଗୁଣଗାନ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ପ୍ରମୋଦ କୁମାର ଗଡତ୍ୟା କାର୍ଯ୍ୟକ୍ରମ ପରିଚାଳନା ଓ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦିଲ୍ଲୀପ ପଟେଲ ସୁଭାଷିନୀ ବାଇଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.