jayashree

ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦ୍ୱିଦିବସୀୟ ଅଷ୍ଟମ ସାରସ୍ଵତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକ ଦ୍ୱିଦିବସୀୟ ସାରସ୍ଵତ ସମାରୋହ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ମେମୋରିଆଲ ବକ୍ତୃତା ମାଳା, ଆଲୋଚନାଚକ୍ର, କବିତା ପାଠୋତ୍ସବ ଓ ସୃଜନ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଆବାହିକା ଶର୍ମିଷ୍ଠା କବି ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଟ୍ରଷ୍ଟର ଅଧ୍ୟକ୍ଷ ଅରବିନ୍ଦ ମିଶ୍ର ଉଦଘାଟକ ଓ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତ୍ୟାଧୁନିକ ବିଦ୍ୟାଳୟ ଶିକ୍ଷା ଭାରତୀୟ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ସମାଜ, ପ୍ରକୃତି ଓ କିପରି ସର୍ବୋପରି ବିଶ୍ୱ କଲ୍ୟାଣକାରୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଶିକ୍ଷାର ପ୍ରକାରଭେଦ, ଧର୍ମ କିପରି ସତ୍ୟ, ଶାଶ୍ୱତ ଓ ବିଜ୍ଞାନ ତଥା କୃତିର ଦୁଇଟି ରୂପ ବିକୃତି ଓ ସଂସ୍କୃତି ମଧ୍ୟରେ ପାର୍ଥକ୍ୟକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ । ଉଦ୍‌ଘାଟକ ଶ୍ରୀ ମିଶ୍ର ସଚ୍ଚିଦାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଓଡ଼ିଆ ଓ ଇଂରାଜୀ ବତ୍କୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଶିକ୍ଷକ ସୁରେଶ ଶତପଥୀ ଓ ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସରେ ପ୍ରଥମ ପର୍ଯ୍ୟାୟ କାବ୍ୟାବୃତ୍ତି ଶୀର୍ଷକ ମାଟିର କଥା ଆମ କବିତାରେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱ ଓ ରାଜକୁମାର ମହାନ୍ତି ଆବାହକତ୍ଵ ତଥା ନିରୁପମା ପତି ଓ ଅଶୋକ କୁମାର ରାଉତଙ୍କ ସଂଯୋଜନାରେ ରାଉରକେଲାର ଚର୍ଚ୍ଚିତ କବି ଗୈାରାଙ୍ଗ ଦାଶ, କୁଞ୍ଜବିହାରୀ ରାଉତ, ପରେଶ ବିଶ୍ୱାଳ, ରଶ୍ମି ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବବିତା ମହାଳିକ, କିଶୋରୀ ମୋହନ କର, ପ୍ରଣତୀ ବେହେରା, ଜ୍ୟୋସ୍ନାରାଣୀ ପାତ୍ର, ଗୀତାରାଣୀ ବେହେରା, ଅଶୋକ କୁମାର ପଟ୍ଟନାୟକ, ଉପେନ୍ଦ୍ର ବସ୍ତିଆ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଆମ ସହରର ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମରେ ସୁଧାଂଶୁ ଅଶୋକ ମୁଖ୍ୟ ଅତିଥି ଓ ଅଙ୍ଗୁରବାଳା ପରିଡ଼ା ସଭାମୁଖ୍ୟ ଦାୟିତ୍ଵ ତୁଳାଇଥିଲେ । ଏଥିରେ ଅଧ୍ୟାପକ ଡ. ଅଶ୍ୱିନୀ ରାୟ, ନୃସିଂହ ବିଶ୍ୱାଳ, ସୁସ୍ମିତା ମହାପାତ୍ର, ତ୍ରିନାଥ ସିଂ ଓ ତ୍ରିଲୋଚନ ସ୍ୱାଇଁ ସେମାନଙ୍କର ପ୍ରିୟ କବିଙ୍କ କବିତାକୁ ଆବୃତ୍ତି କରିଥିଲେ । ତୃତୀୟ ପର୍ଯ୍ୟାୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ସୃଜନ ଚର୍ଚ୍ଚା କାର୍ଯ୍ୟକ୍ରମରେ କବି ବିଷ୍ଣୁପ୍ରିୟା ମହାପାତ୍ରଙ୍କ କାବ୍ୟ ଭାବନା ଆଲୋଚକ ମୀନକେତନ ପଶାୟତ ଓ ଗାଳ୍ପିକା ଅଳକା ଚାନ୍ଦଙ୍କ ଗଳ୍ପରେ ଶିଳ୍ପ ନୈପୁଣ୍ୟକୁ ଆଲୋଚକ ଭବେଶ ଚନ୍ଦ୍ର ସାହୁ ଆଲୋଚନା କରିଥିଲେ । ସେହିପରି ସନ୍ଧ୍ୟା ଅଧିବେଶନରେ କବି ଗୁରୁପ୍ରସାଦ ମହାନ୍ତିଙ୍କ କାବ୍ୟିକ ଚେତନା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଭାପତି ଅରବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ଗୁରୁଚରଣଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଭାବେ ଫକୀରମୋହନ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼. ହରିଶ୍ଚନ୍ଦ୍ର ବେହେରା ଓ ବିଶିଷ୍ଟ ଗାଳ୍ପିକ ତଥା ସାହିତ୍ୟିକ ରାଜ୍ୟ ବର୍ଦ୍ଧନ ଧଳମହାପାତ୍ର କବି ଗୁରୁପ୍ରସାଦଙ୍କ କାବ୍ୟିକ ଚେତନା ସମ୍ପର୍କରେ ବହୁ ଆଲୋଚିତ ଓ ଅନାଲୋଚିତ ଦିଗ ଉପରେ ଆଲୋଚନା କରିଥିଲେ । କବି ରାଜୀବ ପାଣି ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ଏହି ଅବସରରେ ବିଷ୍ଣୁପ୍ରିୟା ମହାପାତ୍ରଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସମ୍ମାନ ଓ ଗୋତମ ଦାସ ଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଆଲୋକ ରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ କବି, ସାହିତ୍ୟିକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.