ଲୋଇସିଂହାକୁ ଏନଏସି ମାନ୍ୟତା ଦାବୀରେ ୧୨ ଘଣ୍ଟିଆ ବନ୍ଦ ସଫଳ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାକୁ ଏନଏସି ମାନ୍ୟତା ଦାବୀରେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ବୁଧବାର ୧୫ତମ ଦିନରେ ପହଂଚିଛି । ଲୋକଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ଦେଇ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ୧୦ ତାରିଖ ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଥିଲା ଆଞ୍ଚଳିକ ବିକାଶ ପରିଷଦ । ଏହି ପରିପ୍ରେକ୍ଷୀରେ ବୁଧବାର ଲୋଇସିଂହାର ସମସ୍ତ ଦୋକାନ ବଜାର ତଥା ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ସ୍କୁଲ କଲେଜ ବନ୍ଦ ରହିଥିଲା । ଜାତୀୟ ରାଜପଥ ନଂ-୨୬ ଅବରୋଧ କରାଯିବା ସହିତ ଚାରିଚାକିଆ ଯାନ ଚଳାଚଳ ବନ୍ଦ ରହିଥିଲା । ଫଳରେ ଅନେକ ସାଧାରଣ ଯାତ୍ରୀ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ଆହୁତ ଆଜିର ଏହି ବନ୍ଦ ଡ଼ାକରାରେ ସ୍ଥାନୀୟ ବଣିକ ସଙ୍ଘ, ବ୍ଲକ ସରପଞ୍ଚ ସଙ୍ଘ, ଆଦିବାସୀ ସଂଘ, ସିନିୟର ସିଟିଜନ ଆସେମ୍ବଲି, ସୁରସଙ୍ଗମ ସାଂସ୍କୃତିକ ସଂସଦ, ବିଶ୍ୱକଲ୍ୟାଣ ନାଗରିକ କମିଟି, କୋଶଲ ସେନା, ମାହେଶ୍ୱରୀ ସଂଗଠନ, ବିଙ୍ଗ ହୁମାନ ଫାଉଣ୍ଡେସନ, ପ୍ରତିଜ୍ଞା ସେବା ସଂଗଠନ, ବ୍ଲକ ସାମ୍ବାଦିକ ସଙ୍ଘ, ଓକିଲ ସଂଘ, ମାରବାଡ଼ି ଯୁବା ମଞ୍ଚ, ଯାଦବ ସମାଜ, ଆଦ୍ୟାଶା ସଂଗଠନ ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ସାମିଲ ହୋଇଥିଲେ । ବିକାଶ ପରିଷଦର ଲାଲମନ ନାଗ, ସରୋଜ ବିଶ୍ୱାଳ, ମୋହିତ ମିଶ୍ର, ଦେବାଶିଷ ବିଶୋଇ, କୁନା ଭୋଇ, ସରପଞ୍ଚ ସୁନୀଲ ଅଗ୍ରୱାଲ ପ୍ରମୁଖଙ୍କ ନେତୃତ୍ୱରେ ଲୋଇସିଂହା ବନ୍ଦ ସମ୍ପୂର୍ଣ ସଫଳ ହୋଇଥିଲା ।

Leave A Reply

Your email address will not be published.