ଅଇଁଲାସାରି ସବର୍ଣ୍ଣ ଅସବର୍ଣ୍ଣ ଲଢେଇ : ଦଳିତ ମହିଳାଙ୍କ ଧାରଣା ଓ ବିକ୍ଷୋଭ, ପୋଲିସ ପ୍ରସାଶନର କ୍ଷୟକ୍ଷତି ଆକଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବୁଧବାର ଦିନ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ ହେବାପରେ ଆଜି ଘଟଣା ପୁଣି ଭିନ୍ନ ମୋଡ ନେଇଛି । ଅସବର୍ଣ୍ଣଙ୍କ ବସ୍ତିରୁ ଦଶ ଜଣକୁ ପୋଲିସ ଉଠାଇ ଆଣିଥିବା ବେଳେ ସେଭିତରୁ ଜଣେ କୋଭିଡ ପୋଜିଟିଭ ଥିବାରୁ ବାକି ୯ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏହି ସମୟରେ ଅଇଁଳାସାରି ଗାଁର ଶତାଧିକ ମହିଳା ଓ ପୁରୁଷ ଆସି ପୁଇଁନ୍ତଲା ଥାନାରେ ଧାରଣା ଦେବା ସହ ପୋଲିସ ଓ ପ୍ରଶାସନର ଏକପାଖିଆ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସବର୍ଣ୍ଣଙ୍କ ଅତର୍କିତ ଆକ୍ରମଣରେ ଧନ, ଜୀବନ ହରାଇବା ପରେ ପୋଲିସ ପ୍ରଶାସନକୁ ଲିଖିତ ଅଭିଯୋଗ ଦେବା ସତ୍ୱେ ପୋଲିସ ଓଲଟା ଗରିବ ଅସବର୍ଣ୍ଣଙ୍କୁ ଗିରଫ କରିଛି । ହେଲେ ଅସବର୍ଣ୍ଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାଡମାରି ତଥା ଘର, ଆସବାବ ପତ୍ର, ଗାଡି ଭାଙ୍ଗି ଜୀବନରେ ମାରି ଦେବାକୁ ବାସିଥିବା ୪୦ଜଣ ଅଭିଯୁକ୍ତ ଖୋଲା ବୁଲୁଥିବା ନେଇ ଦଳିତ ମହିଳା ଓ ପୁରୁଷମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୦ ଜଣ ନିର୍ଦ୍ଦୋଷଙ୍କୁ ଖଲାସ କରିବା ପାଇଁ ଧାରଣା ଦେଇଥିଲେ । ତେବେ ଉପଜିଲ୍ଲାପାଳ ସଂଜୟ ମିଶ୍ର ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁମନ୍ତ ବାରିକ ଘଟଣା ସ୍ଥଳକୁ ପହଂଚି ୪୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ପୋଲିସ ଗିରଫ କରିସାରିଛି ଏବଂ ବାକି ୩୩ଜଣଙ୍କୁ ପୋଲିସ କାଲି ସୁଦ୍ଧା ଗିରଫ କରି କୋର୍ଟ ଚାଲାଣ କରିବ ବୋଲି କହିବା ପରେ ମହିଳାମାନେ ଧାରଣା ବନ୍ଦ କରିବା ସହ ମୁଦାଲା ଗାଡିକୁ ରାସ୍ତା ଦେଇଥିଲେ । ପରେ ପରେ ଉଭୟ ଉପଜିଲ୍ଲାପାଳ ଓ ପୋଲିସ ଅଧିକାରୀ ଅଇଁଲାସାରି ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟ ଅନୁସାରେ କାଲିଠୁଁ କ୍ଷତିଗ୍ରସ୍ତଙ୍କୁ ରିଲିଫ ବଂଟନ କରାଯିବ ବୋଲି କହିବା ପରେ ଗାଁରେ ଏକ ରକମ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।


ଅନ୍ୟପଟେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କେବଳ ୫୦୭ ଦଫାରେ କୋର୍ଟ ଚାଲାଣ କାରାଯାଇଥିବା ବେଳେ, ଗତକାଲି ଝଗଡାରେ ଟିହିଲୁ ଷାଣ୍ଢଙ୍କ ହତ୍ୟା ଅଭିଯୋଗ ସଂପୂର୍ଣ ମିଥ୍ୟା ହୋଇଥିବା, ପୋଲିସ ଖୋଦ ସ୍ପଷ୍ଟ କରୁଛି ବୋଲି ଅସବର୍ଣ୍ଣ ପକ୍ଷର ଓକିଲ ତଥା ଏପିଆଇର ରାଜ୍ୟ ସଭାପତି ଦିନେଶ ନାଗ କହିଛନ୍ତି । ସେହିପରି ପୋଲିସ ପ୍ରଶାସନ ବାରମ୍ବାର ଦଳିତମାନଙ୍କୁ ହାଲୁକାରେ ନେଉଥିବା ବେଳେ ଏହି ଘଟଣା ଏହାର ଆଉ ଏକ ଜଳନ୍ତ ଉଦାହରଣ ବୋଲି ଅଭିଯୋଗ କରିଛନ୍ତି ବିଏସ୍‌ପି ନେତା ଦ୍ରୋଣ କୁମ୍ଭାର । ଏଟ୍ରୋସିଟି ସତ୍ୱେ ଅଭିଯୁକ୍ତଙ୍କୁ ଗିରଫ ନକରି ପୋଲିସ ଓଲଟା ଦଳିତମାନଙ୍କୁ ଗିରଫ କରି ହଇରାଣ କରୁଛି । ସେହିପରି କିଛି ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜିତେନ୍ଦ୍ର ସୁନା ମୃତ୍ୟୁ ଘଟଣାରେ ମଧ୍ୟ ପୋଲିସ ପ୍ରଶାସନ ଅଭିଯୁକ୍ତ ଡାକ୍ତର ଓ ନର୍ସମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ବେଳେ ଓଲଟା ଜିତେନ୍ଦ୍ରଙ୍କ ପରିବାରର ଶ୍ରୀକାନ୍ତ ସୁନା ଓ ଚଂଚଳ ଶିକାଙ୍କୁ ବେଆଇନ ଓ ଅମାନୁଷିକ ଭାବେ ଏନଏସଏ ଆଇନରେ ଗିରଫ କରିଛି । ଯଦି ପୋଲିସ ପ୍ରଶାସନର ଏହି ଦଳିତ ମାରଣ ନୀତି ଜାରି ରହେ, ତେବେ ଅଂଚଳର ସମସ୍ତ ଦଳିତ ଏକଜୁଟ ହୋଇ ଏକ ବିରାଟ ଆନ୍ଦୋଳନ ଯେ ନକରିବେ ତାହା କେହି କହି ପାରିବେ ନାହିଁ ବୋଲି ପ୍ରଶାସନକୁ ଚେତାଇ ଦେଇଛନ୍ତି ।


ତେବେ ଅସବର୍ଣ୍ଣମାନେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କରିଥିବା ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଏ ସଂପର୍କରେ ପଚରା ଯିବାରୁ ସେମାନେ ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା କହିଥିଲେ । ଏପରିକି ନାଏବ ସରପଞ୍ଚ ପ୍ରମୋଦ ବିଶି ଘଟଣା ସମୟରେ ଅନୁପସ୍ଥିତ ଥିବା କହିଛନ୍ତି । ଆଜିର ଏହି ସଂପୂର୍ଣ୍ଣ ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନ ସହ ଦ୍ରୋଣ କୁମ୍ଭାର, ଦିନେଶ ନାଗ, କୁନା ବାଗ, ରଶ୍ମିକାନ୍ତ ବାଗ, ହିମାଂଶୁ ବିଭାର, ଦେବରାଜ ମହାନନ୍ଦ, ରମାକାନ୍ତ ନାଗ, ସୁବାସ ସୁନା, ପବିତ୍ର ହରିପାଲ ଓ ଶ୍ରୀମତୀ ସାନ କୁମ୍ଭାର ଉଭୟ ପକ୍ଷରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଚେଷ୍ଟା କରିଥିଲେ ।

Leave A Reply

Your email address will not be published.