om academy

ଡିଏଲ ଟେଷ୍ଟ ପାଇଁ ଛତ୍ରପୁର ଆର୍.ଟି.ଓ. ଅଫିସକୁ ଆସି ଲକ୍ଷାଧିକ ଉପଭୋକ୍ତା ନିରାଶ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏକ ସର୍ବପୁରାତନ ଅଟେ । ଏହି ଆରଟିଓ ଅଫିସରେ ସମସ୍ତ କାଗଜପତ୍ର , ଡିଏଲ- ଟେଷ୍ଟ ,ଡ୍ରାଇଭିଂ ଲାଇସେନ୍ସ ,ଗାଡିର ଇନସୁରାନ୍ସ ଆଦିର ନୂଆଁ, ନବୀକରଣ କରିବାକୁ ହେଲେ ଛତ୍ରପୁର ଆରଟିଓ ଉପରେ ଅନେକ ଗ୍ରାମ ଓ ସହର ନିର୍ଭର କରିଆସୁଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲା ସମେତ ଖୋର୍ଦ୍ଧାଜିଲ୍ଲାର ଚିଲ୍ଲିକା ଓ ବାଲୁଗାଁ ସମେତ ଆଖପାଖ ଅନେକ ଗ୍ରାମ ଏବଂ ପୁରୀ ଜିଲ୍ଲାର ପାରିକୁଦ ଓ ମାଲୁଦ ଭଳି ଏହାର ଆଖପାଖ ଅନେକ ଗ୍ରାମ ଛତ୍ରପୁର ଆରଟିଓ ଅଫିସ ଉପରେ ନିର୍ଭର କରି ଆସୁଛନ୍ତି । ଗତ ୨୦୨୦ ମସିହା ମାର୍ଚ୍ଚମାସ ଠାରୁ ଗଞ୍ଜାମ ଜିଲ୍ଲାପ୍ରଶାସନର କୋରନା କଟକଣା ଜାରୀ ହୋଇ ଆସିଥିବା ବେଳେ ଚଳିତ ବର୍ଷର ଆରମ୍ଭରୁ ଏବେ ଯାଏଁ ଗାଡିର ଡ୍ରାଇଭିଂ- ଲାଇସେନ୍ସ, ଲାର୍ନିଙ୍ଗ/ ନୂଆଁ/ ନବୀକରଣ ଭଳି କାଗଜପତ୍ର ଆପଡେଟ ଆଜି ବି ହୋଇପାରୁନାହିଁ । ଜାନୁଆରୀ ମାସରୁ ଆଜି ଯାଏଁ ଅନେକ ଧାର୍ୟ୍ୟ ତାରିଖ ରହିଥିଲା ବେଳେ କୋରନାର ଦ୍ୱିତୀୟ ଲହରୀରେ ମଧ୍ୟ କଟକଣା ଲାଗି ସବୁ ଅଟକିଗଲା । ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି ଏବଂ ନାନା ହଇରାଣ ହରକତ ହେଉଛନ୍ତି । ଗତ ସପ୍ତାହରେ ଦୂର-ଦୂରାନ୍ତରୁ ତାରିଖ ଧାର୍ଯ୍ୟ ହୋଇଥିବା ବହୁ ଲୋକ ଆସି ନିରାଶ ହୋଇଛନ୍ତି । ଉପଭୋକ୍ତାଙ୍କର ଡ଼ିଏଲ ଟେଷ୍ଟ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ଆସି ନିରାଶ ହୋଇ ଫେରି ଯିବାକୁ ହୋଇଛି । ସେମାନଙ୍କର ୨୨ ତାରିଖ ନିର୍ଦ୍ଧାରିତ ହୋଇଥିବା ଉପଭୋକ୍ତାଙ୍କୁ ପୂର୍ବ ଦିନ ରାତି ସୁଦ୍ଧା ମେସେଜ ଯିବା କଥା ତା’ ପ୍ରତିବଦଳରେ ଅଫିସ ଖୋଲି ଦିବା ୧୧ଘଣ୍ଟା ୩୦ ମିନଟ ସମୟରେ ନୋଟିସ ଅଫିସ ଫାଟକ କାନ୍ଥରେ ଅଠା ଦେଇ ତାଙ୍କରି ସାମ୍ନାରେ ଅଫିସ କର୍ମଚାରୀ ଲଗାଇ ଥିଲେ । ବାହାରେ ଦୂର ଦୂରାନ୍ତରୁ ଆସି ଅପେକ୍ଷାରତ ସମସ୍ତଙ୍କୁ ଲାଠି ଦେଖାଇ ଘୋଡାଇ ଥିଲେ । ଏହା ଯେ’ ବାସ୍ତବିକ ଏକ କ୍ଷୋଭର ବିଷୟ ହୋଇଛି । ପୁନଶ୍ଚ କେବେ ପୁଣି ଡିଏଲ ଟେଷ୍ଟ କରାଯିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ କେବେ ସୁବିଧା କରାଯାଇ ଆବଶ୍ୟକୀୟ ପ୍ରମାଣପତ୍ର ମିଳିବ ବୋଲି କ୍ଷୋଭର ସହ ସାଧାରଣରେ କୁହାଯାଇଛି । ସୂଚନାଯୋଗ୍ୟ ଯେ’ ଛତ୍ରପୁରର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରତି ବହୁ ପୂର୍ବରୁ ସମଗ୍ର ଗଞ୍ଜାମ ଜିଲ୍ଲା ସମେତ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲାରୁ ପ୍ରାୟ ଲକ୍ଷାଧିକ ଉପଭୋକ୍ତା ଏହାରି ଉପରେ ନିର୍ଭରଶୀଳ ହୋଇଥାନ୍ତି । ସର୍ବୋପରି ଗଞ୍ଜାମ ଜିଲ୍ଲାର ପଡୋଶୀ ଗଞ୍ଜାମ ବ୍ଳକର ସୀମାନ୍ତବର୍ତ୍ତୀ ପାଲୁରୁ, ପ୍ରୟାଗୀ ପରବର୍ତ୍ତୀ ଅଞ୍ଚଳ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ପଡେ । ପୁରୀଜିଲ୍ଲାର ଏହି ବ୍ଳକ୍ ଟି ପ୍ରାୟତଃ ବ୍ୟବସାୟ ବାଣିଜ୍ୟ, ସାଂସ୍କୃତିକ , ସାମାଜିକ , ରାଜନୈତିକ, ଅର୍ଥନୈତିକ, ପ୍ରଶାସନିକ ସ୍ତରୀୟ ସମସ୍ତ ବର୍ଗର ସମ୍ପର୍କ ପାଇଁ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏବଂ ବ୍ୟବସାୟୀକ ସମ୍ପର୍କ ନିମନ୍ତେ ମହାନଗର ବ୍ରହ୍ମପୁର ଉପରେ ନିର୍ଭର କରିବାକୁ ପଡିଥାଏ । କୃଷ୍ଣପ୍ରସାଦ ବ୍ଳକର ପାରିକୁଦ, ମାଲୁଦର ଅଧିବାସୀ ସବୁରି କ୍ଷେତ୍ରରେ ଛତ୍ରପୁର ଓ ବ୍ରହ୍ମପୁର ଉପରେ ନିର୍ଭର କରିଆସୁଛନ୍ତି । ତେବେ ଯାନବାହାନ କ୍ରୟ-ବିକ୍ରୟ, ଆରସି ବୁକ, ଗାଡିର କାଗଜପତ୍ର ଆଦି କରିବାକୁ ହେଲେ ଛତ୍ରପୁର ଆର.ଟି.ଓ. ଅଫିସ ଉପରେ ନିର୍ଭର କରିଥାନ୍ତି । ସେହିପରି ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରସୀମାନ୍ତ ଅଞ୍ଚଳ ଖଲିକୋଟ ପରବର୍ତ୍ତୀ ଅଞ୍ଚଳ ଚିଲ୍ଲିକା, ବାଲୁଗାଁ ଆଦି ଅନେକ ଅଞ୍ଚଳ ମଧ୍ୟ ସେହିଭଳି ବ୍ୟବସ୍ଥାପିକ ଅନୁରୂପ ଭାବେ ଗାଡ଼ିର କାଗଜପତ୍ର ଆଦି କାମ ପାଇଁ ଛତ୍ରପୁର ଆରଟିଓ ଉପରେ ନିର୍ଭର କରିଥାନ୍ତି । କୋରନା କଟକଣା ଗାଇଡ଼ ଲାଇନ ଅନୁପାଳନ ପୂର୍ବକ ସବୁରି ବ୍ୟବସ୍ଥାପନା କରାଯାଇ ଲୋକଙ୍କର ଆର୍.ଟି.ଓ.ସମ୍ବନ୍ଧୀୟ କାଗଜପତ୍ରଆଦି ଯଥାକାଳୀନ ସମୟରେ ଯୋଗାଇଦିଆଯିବାକୁ ଜନସାଧାରଣରେ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.