ପ୍ରତ୍ୟେକ ମଣିଷ ପୁଷ୍ପ ପରି ହେବା ପାଇଁ ଆହ୍ୱାନ କଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରକୃତିର ଏକ ଅନନ୍ୟ ଉପହାର ପୁଷ୍ପ । କାହା ପ୍ରତି ବାଛ ବିଚାର ନ କରି ସମସ୍ତଙ୍କୁ ପୁଷ୍ପ ସୁଗନ୍ଧ ପ୍ରଦାନ କରିଥାଏ । ତେଣୁ ପୁଷ୍ପର ସମସ୍ତ ଗୁଣ ଆହରଣ କରି ପ୍ରତ୍ୟେକ ମଣିଷ ତା’ପରି ହେବାକୁ ଆହ୍ୱାନ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ୫୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉପସ୍ଥିତ ଛାତ୍ର, ସାଧାରଣ ଜନତା ତଥା ବୁଦ୍ଧିଜୀବୀଙ୍କୁ ଏହି ଆହ୍ୱାନ କରିଥିଲେ । ପ୍ରଧାନଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା ପ୍ରମୁଖ ଯୋଗଦେଇ ସ୍ଵକୀୟ ବକ୍ତବ୍ୟ ରଖିଥିଲେ । ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରୀ ଶିଖା ମହାନନ୍ଦ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ବିଦ୍ୟାଧର ମିଶ୍ରଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଅନାବରଣ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ଗଦାଧର ମିଶ୍ର, ଆୟୋଜକ ଅନୁଷ୍ଠାନର ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜମୋହନ ବଗର୍ତ୍ତି, ପୂର୍ବ ଖେଳ ଶିକ୍ଷକ ବିଜୟ କୁମାର ତ୍ରିପାଠୀ, ଦୁର୍ବାଦଳ ବାଗ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶୀଲାଲ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଶିକ୍ଷକ, ପୁରାତନ ଛାତ୍ର, ବୁଦ୍ଧିଜୀବୀ ତଥା ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.