ପ୍ରଥମେ ପ୍ରେମ, ପରେ ଦାରୁଣ ପ୍ରତାରଣା : ସୁଭାଗିନୀଙ୍କ ପାଇଁ ପ୍ରେମ ହେଲା ଅଭିଶାପ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ଏକ କୁନି ଝିଅ ସହିତ ରୁହନ୍ତି ସୁଭାଗିନୀ ବେହେରା । ପ୍ରେମ କରିବା ଯେମିତି ତାଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ନା ସ୍ୱାମୀ ତାଙ୍କୁ ଆପଣାଉଛି ନା ନିଜ ଜନ୍ମ କଲା ମାବାପା, ପରିବାର । ଅତି ଦୟନୀୟ ଅବସ୍ଥାରେ ଏକ ବଖରିଆ ଚାଳ ଛପର ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ସୁଭାଗିନୀ । ଲୋକଙ୍କ ଟାହି ଟାପରା ଶୁଣି କାନ କାଲା ହେଇଯାଉଛି ।

ସୁଭାଗିନୀଙ୍କ କହିବା ଅନୁସାରେ ସୁଭାଗିନୀ ତିନି ବର୍ଷ ଆଗରୁ ସୁଦୂର ତାମିଲନାଡୁ ଯାଇ ସେଠାରେ ଏକ ସୂତା ମିଲରେ କାମ କରୁଥିଲେ । ଦିନେ ଏକ ଅଜଣା ନମ୍ୱରରୁ ତାଙ୍କ ପାଖକୁ ଏକ ମିସ୍ କଲ୍ ଗଲା । ମିସ୍ କଲରୁ ବନ୍ଧୁତା ସୃଷ୍ଟି ହେଲା । ମିସ୍ କଲ୍ କରିଥିବା ଯୁବକ ଜଣକ ଖପ୍ରାଖୋଲ ‌ବ୍ଲକ୍‌ର ରାଜେ‌ନ୍ଦ୍ର ଭୋଇ ବୋଲି ସୁଭାଗିନୀ କହିଛ‌ନ୍ତି । ଧୀରେ ଧୀରେ ରାଜେ‌ନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ସୁଦୃଢ ହେଲା । ଜାତି ଅଲଗା ଅଲଗା ହୋଇଥିଲେ ବି ତେତିଶ କୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ନିଜର ଘରସଂସାର ଆରମ୍ଭ କରନ୍ତି ପ୍ରେମିକ ପ୍ରେମିକା ଦୁଇ ଜଣ । ଦୁଇ ମାସ ପରେ ଯେତେବେଳେ ଯୁବକ ଜଣକ ଜାଣିଲେ ଯେ ଯୁବତୀ ଜଣକ ଅନ୍ତସତ୍ତ୍ୱା ଅଛନ୍ତି, ପ୍ରେମିକ ରାଜେ‌ନ୍ଦ୍ର ଗର୍ଭ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସୁଭାଗିନୀଙ୍କ ବିରୋଧ ଯୋଗୁଁ ଯୁବକ ଜଣକ ସଫଳ ହୋଇ ପାରିଲେନାହିଁ । ସୁଭାଗିନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା ପରେ ରାଜେ‌ନ୍ଦ୍ର ମା’ଝିଅ ଦୁଇ ଜଣଙ୍କୁ ତାମିଲନାଡୁରେ ଛାଡି ଚାଲି ଆସିଲେ । ବହୁତ କଷ୍ଟରେ ଯେତେବେଳେ ସୁଭାଗିନୀ ଓଡ଼ିଶା ଫେରି ନିଜ ବାପଘରକୁ ଗଲେ, ଘର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିବା ପାଇଁ ରାଜି ହେଲେ ନାହିଁ । ସେହି ଦିନଠାରୁ ସୁଭାଗିନୀ ସେହି ମାଲପଡା ଗ୍ରାମରେ ଏକ ଝୁମ୍ପୁଡି ଘରେ ଦୟନୀୟ ଅବସ୍ଥାରେ ରହିଛନ୍ତି । ତାଙ୍କ କହିବା କଥା, ସେ ଆଉ ବି‌ଶ୍ୱାସରେ ବିଷ ଦେଇଥିବା ରାଜେ‌ନ୍ଦ୍ର ସହିତ ରହିବାକୁ ଚାହୁଁନାହାଁନ୍ତି । କେବଳ ତାଙ୍କ ଝିଅର ଏବଂ ନିଜର ଭରଣ ପୋଷଣ ରାଜେ‌ନ୍ଦ୍ର କରନ୍ତୁ ବୋଲି କହିଛନ୍ତି । ଯଦି ରାଜେ‌ନ୍ଦ୍ର ଏଥିରେ ଅରାଜି ହୁଅନ୍ତି, ତାହା ହେଲେ ସେ ଥାନାର ଦ୍ୱାରସ୍ଥ ହେବା ସଙ୍ଗେ ସଙ୍ଗେ ମହିଳା ଆୟୋଗରେ ଅଭିଯୋଗ କରିବାକୁ ମନସ୍ଥ କରିଥିବା କହିଛନ୍ତି ।

Leave A Reply

Your email address will not be published.