ଅବସରପ୍ରାପ୍ତ ସୈନିକ ସଂଘ ସଂପାଦକ ପ୍ରତାପ ରଥ କରୋନା ଆକ୍ରାନ୍ତ ଚିହ୍ନଟ : ସଂକ୍ରମିତ ହେବା ପରେ ପ୍ରଶାସନିକ ବ୍ୟବସ୍ଥା ଉପରେ ଅସନ୍ତୋଷ ବ୍ୟକ୍ତ କଲେ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ସଂପାଦକ ପ୍ରତାପ ରଥ କରୋନା ସଂକ୍ରମିତ ହୋଇଥିବା ସେ ନିଜେ ସୂଚନା ଦେଇଥିବା ବେଳେ ନିକଟରେ ତାଙ୍କ ସହ ମିଳାମିଶା କରିଥିବା ସମସ୍ତ ବ୍ୟକ୍ତିବିଶେଷ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି । କୋଭିଡ଼ ଆଇନ ଅନୁସାରେ ସେ ନିଜ ବାସଗୃହରେ ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ଏକାନ୍ତରେ ରହି ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ତେବେ ସେ ସଂକ୍ରମିତ ହେବା ପରେ ପ୍ରଶାସନିକ ବ୍ୟବସ୍ଥା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ‘କୋଶଳ ପ୍ରବାହ’କୁ ଜଣାଇଛନ୍ତି ଯେ, ମୁଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ବ୍ୟକ୍ତିଗତ ଭାବରେ ସ୍ଥାନୀୟ ପଥରଚେପା ଆଦର୍ଶ ବିଦ୍ୟାଳୟକୁ ଯାଇ ଗତ ୨ ତାରିଖ ଦିନ ମୋର ସ୍ୱାବ୍ ଟେଷ୍ଟ୍ କରାଇଥିଲି । ସ୍ୱାବ୍ କଲେକସନର ମେସେଜ୍ ମଧ୍ୟ ମୋ’ ମୋବାଇଲକୁ ଆସିଲା । ମେଡ଼ିକାଲ୍ ଷ୍ଟାଫଙ୍କ କହିବା ଅନୁସାରେ ମୋର ରିପୋର୍ଟ ୫ ତାରିଖ ଆସିବାର ଥିଲା । କିନ୍ତୁ ବାରମ୍ବାର ମେଡ଼ିକାଲ୍ ଷ୍ଟାଫଙ୍କୁ ଯୋଗାଯୋଗ କଲେ ମଧ୍ୟ ରିପୋର୍ଟ ବାବଦରେ ମୁଁ ତଥ୍ୟ ପାଇଲି ନାହିଁ । ତେବେ ଅଗଷ୍ଟ ୨ରୁ ୫ ତାରିଖ ପର୍ଯ୍ୟନ୍ତ ମୁଁ ଆଇନ ଅନୁସାରେ କ୍ୱାରେଣ୍ଟାଇନରେ ଥିଲି । କିନ୍ତୁ ରିପୋର୍ଟ କିଛି ନ ଆସିବା ପରେ ଅଗଷ୍ଟ ୬ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ମୁଁ ଅନେକ ଲୋକଙ୍କ ସହ ମିଳାମିଶା କରିଛି । ହଠାତ୍ ୧୦ ତାରିଖ ରାତି ୧୦ଟାରେ ମୋ’ ପାଖକୁ ମେଡ଼ିକାଲ୍ ଷ୍ଟାଫ୍ ଫୋନ୍ କରି ଜଣାଇଲେ ଯେ, ଆପଣଙ୍କ ପଜେଟିଭ୍ ଅଛି । ମୋର ସାମାନ୍ୟ ମଧ୍ୟ କିଛି କୋଭିଡ଼ ଲକ୍ଷଣ ନଥିବା ଯୋଗୁଁ ମୁଁ ଅବାକ୍ ହୋଇଗଲି । ସେ ଏଠାରେ ଆହୁରି କହିଛନ୍ତି ଯେ, ଟେଷ୍ଟ ରିପୋର୍ଟ ୩ ଦିନ ପରିବର୍ତ୍ତେ ୮ ଦିନ ପରେ ଆସିବା ଫଳରେ ମୁଁ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ବହୁତ ଲୋକଙ୍କ ସହ ମିଳାମିଶା କରିଛି । କୋଭିଡ ସଂକ୍ରମଣର ତଥ୍ୟ ଅନୁସାରେ ମୋ’ ଦ୍ୱାରା ଅନେକ ଲୋକ ସଂକ୍ରମଣର ଶିକାର ହୋଇଥାଇ ପାରନ୍ତି । ତେବେ ଏଥିପାଇଁ ଦାୟୀ କିଏ ବୋଲି ସେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।