pakka

ରାଜେନ୍ଦ୍ର ଡ୍ୟାମ୍‌ର ପୁନଃ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ : ଯୁବନେତା ଅର୍କେଶଙ୍କ ପରିଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଳକଷ୍ଟ ଦୂର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ରାଜେନ୍ଦ୍ର ଡ୍ୟାମ୍‌ର ପୁନଃ ଉଦ୍ଧାର କରିବାକୁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜେନ୍ଦ୍ର ଡ୍ୟାମକୁ ପରିଦର୍ଶନରେ ଯାଇ ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ କହିଛନ୍ତି, ରାଜେନ୍ଦ୍ର ଡ୍ୟାମର ପୁନଃ ଉଦ୍ଧାର ହେଲେ ବଲାଙ୍ଗିରର ଜଳସମସ୍ୟା ଦୂର ହେବା ସାଙ୍ଗକୁ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ବଢିବ । ବଲାଙ୍ଗିରର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇପାରିବ । ଏପରିକି ଏହି ଡ୍ୟାମ ସହିତ ବଲାଙ୍ଗିର ସହରର କେତେକ ପୁସ୍କରିଣୀକୁ ପୁନଃରୁଦ୍ଧାର କରାଗଲେ ବଲାଙ୍ଗିର ସହରର ଲୋକଙ୍କ ଜଳକଷ୍ଟ ଦୂର ହେବା ସହିତ ଏଠାରେ ବୋଟିଂର ମଧ୍ୟ ସୁବିଧା କରାଯାଇ ପାରିବ ବୋଲି ମତ ଦେଇଛନ୍ତି । ଆଜି ସେ ଏକ ପ୍ରତିନିଧିଦଳ ସହିତ ରାଜେନ୍ଦ୍ର ଡ୍ୟାମକୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଡ୍ୟାମର ଉନ୍ନତିକରଣ କରାଯିବ ବୋଲି କହିଛନ୍ତି । ବଲାଙ୍ଗିର ସହରରେ ଛୋଟବଡ ଅନେକ ବନ୍ଧ ଓ ପୁସ୍କରିଣୀ ରହିଛି । ଏହା ସହିତ ଲକ୍ଷ୍ମୀଯୋର ନାଳରେ ରାଜେନ୍ଦ୍ର ଡ୍ୟାମ ରହିଛି । ଶୈଳଶ୍ରୀ ପ୍ୟାଲେସ ପଛପଟେ ଥିବା ରାଜେନ୍ଦ୍ର ଡ୍ୟାମକୁ ବଲାଙ୍ଗିର ନିକଟସ୍ଥ ବଣ୍ଡାପାହାଡରୁ ବାହାରିଥିବା ଝରଣାରେ ବର୍ଷାଜଳ ବହିଆସି ପ୍ରଥମେ ଗନ୍ଧରେଲ ଡ୍ୟାମ୍‌ ଓ ସେଠାରୁ ଏଠାକୁ ଆସି ଏଠାରୁ ପୁଣି ଲକ୍ଷ୍ମୀଯୋର ଦେଇ ବହିଯାଇଥାଏ । ୧୯୮୦ ମସିହା ବେଳକୁ ପାହାଡ ତଳେ ଗନ୍ଧରେଲ ଡ୍ୟାମ ଓ ଶୈଳଶ୍ରୀ ପ୍ୟାଲେସ ପଛପଟେ ରାଜେନ୍ଦ୍ର ଡ୍ୟାମ ନିର୍ମାଣ କରାଯାଇଥିଲା । ଲକ୍ଷ୍ମୀଯୋର ନାଳରେ ଡାଇଭରସନୱାଲ କରାଯାଇ ଜଳକୁ ଅଟକାଇ ରିଜର୍ଭ ରଖାଯାଇ ଏଠାରୁ କନ୍ଧପାଲି ଓ ତାଲପାଲିର ଜମିଗୁଡିକୁ ଜଳସେଚନ କରାଯାଉଥିଲା । କିନ୍ତୁ ପୁନଃ ଉଦ୍ଧାର ଅଭାବରୁ କାଳକ୍ରମେ ଏହି ଡ୍ୟାମ ତାର ଅସ୍ତିତ୍ୱ ହରାଇଛି । ରାଜେନ୍ଦ୍ର ଡ୍ୟାମର ରିଜର୍ଭର ଏରିଆ ପ୍ରାୟ ୬୦ ଏକର ରହିଛି । ରାଜେନ୍ଦ୍ରପଡାଠାରୁ ଏହା ଆରମ୍ଭ ହୋଇ ସିଧା ରାଜେନ୍ଦ୍ର କଲେଜର ବାଡ ପର୍ଯ୍ୟନ୍ତ ଲାଗି ରହିଛି । ରାଜେନ୍ଦ୍ର ଡ୍ୟାମର ପାଖରେ ବସିଥିବା ପଡାକୁ ରାଜେନ୍ଦ୍ରପଡା ଓ ଉପରପଡାକୁ ଡ୍ୟାମପଡା କୁହାଯାଉଛି । ଗତ ତିନିବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରାଜେନ୍ଦ୍ର ଡ୍ୟାମ୍‌ର ସ୍ଲୁଇସ ଓ ସରପ୍ଲସକୁ ମରାମତି କରାଯାଇ ସାମାନ୍ୟ ମାଟି ଉନ୍ନତିକରଣ ମଧ୍ୟ କରାଯାଇଥିଲା । କିନ୍ତୁ ଏହା ପରେ ଆଉ କୌଣସି ଉନ୍ନତିକରଣ କେବେ ମଧ୍ୟ ହୋଇନାହିଁ । ରାଜେନ୍ଦ୍ର ଡ୍ୟାମକୁ ଲାଗିରହିଥିବା ସୂର୍ଯ୍ୟନଗରରେ ପ୍ରାୟ ୧୦ଏକର ଜମିରେ ରାଜ୍ୟସରକାର ସାଇନ୍ସପାର୍କ ଓ ପ୍ଲାନେଟୋରିୟମ କରିବାକୁ ଯାଉଛନ୍ତି । ଏହା ସହିତ ରାଜେନ୍ଦ୍ର ଡ୍ୟାମର ଶେଷମୁଣ୍ଡର ପଶ୍ଚିମ ଦିଗ ଦେଇ ବଲାଙ୍ଗିରର ରିଂରୋଡ କାମ ଚାଲିଛି । ଆଗକୁ ସୂର୍ଯ୍ୟନଗର ଅଞ୍ଚଳରେ ପ୍ଲାନେଟୋରିୟମ ଓ ସାଇନ୍ସପାର୍କ ଦେଖିବାକୁ ଲୋକଙ୍କ ଭିଡ ଜମିବ । ଏହା ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏହା ଲାଗିକି ରହିଥିବାରୁ ଏହାର ପୁନଃ ଉଦ୍ଧାର କରି ଜଳ ସଂରକ୍ଷଣ କରି ବୋଟିଂର ମଧ୍ୟ ସୁବିଧା କରାଯାଇ ପାରିବ ବୋଲି ମତପ୍ରକାଶ ପାଉଛି ।

Leave A Reply

Your email address will not be published.

thirteen + 12 =