
ଭୁବନେଶ୍ୱର, (କେପିଏନ୍ଏସ୍) : କୁଲତା ସମାଜ କଲ୍ୟାଣ ସଙ୍ଗଠନ, ଭୁବନେଶ୍ୱର ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ନୂଆଁଖାଇ ଭେଟ୍ଘାଟ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜଧାନୀ ଆଖପାଖର କୁଲତା ଜାତିର ପ୍ରାୟ ଶହେ ପରିବାର, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୁଲତା ସଙ୍ଗଠନର କର୍ମକର୍ତ୍ତା ତଥା ଛତିିଶଗଡ଼ର ପ୍ରତିନିଧି ଯୋଗ ଦେଇଥିଲେ। କାର୍ୟ୍ୟକ୍ରମ ଆରମ୍ଭରେ ଗତ ବର୍ଷମାନଙ୍କର କାର୍ୟ୍ୟକ୍ରମର ଭିଡିଓ ପ୍ରଦର୍ଶିତ ହେଲା ପରେ କାର୍ୟ୍ୟକାରିଣୀ ପରିଷଦ ସଦସ୍ୟ ସୁନୀଳ କୁମାର ପ୍ରଧାନଙ୍କ ଘରେ ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ସଭାପତି ସୁଶାନ୍ତ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏ ବର୍ଷ କରୋନା ମହାମାରୀ ଦୃଷ୍ଟିରୁ ଅନ୍ ଲାଇନ୍ ମାଧ୍ୟମରେ ନୂଆଁଖାଇ ଭେଟ୍ଘାଟ୍ କାର୍ୟ୍ୟକ୍ରମ କରାଯାଇଛି ବୋଲି ସୂଚନା ଦେବା ସହ ଅନୁଷ୍ଠାନର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ସଂପାଦକ ମହେନ୍ଦ୍ର କୁମାର ବଢ଼େଇ । ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ, ଉପଦେଷ୍ଟା ଜଗଦୀଶ ପ୍ରଧାନ, ଉପସଭାପତି ସୁରେନ୍ଦ୍ର ପ୍ରଧାନ, ଭ୍ରମରବର ବଢ଼େଇ, ତୀର୍ଥବାସୀ ସାହୁ ଏବଂ ଅନ୍ୟ ସଦସ୍ୟମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘ଅସ୍ମିତା’ର ଦ୍ବିତୀୟ ସଂସ୍କରଣକୁ କାର୍ୟ୍ୟକାରିଣୀ ସଦସ୍ୟ କ୍ଷେତ୍ରବାସୀ ନାଏକ ଉନ୍ମୋଚନ କରିଥିଲେ । ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ଅଭିରାଜ ସାହୁ, ସଲିଳ ସାହୁ ଏବଂ ଦେବେନ୍ଦ୍ର ସାହୁ। ଅଞ୍ଜନ କୁମାର ପ୍ରଧାନ ଓ ଅଶୋକ ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ ଯୁଗ୍ମସଂପାଦକ ଜୟଜଗତ ସାହୁ । ସୁଚନାଯୋଗ୍ୟ ଯେ କୁଲତା ଜାତି ହେଉଛି ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷି ସଂପ୍ରଦାୟ। ଭୁବନେଶ୍ୱରର କୁଲତା ସମାଜ କଲ୍ୟାଣ ସଙ୍ଗଠନ ତିନି ବର୍ଷ ହେଲା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରିଆସୁଛି।