ଏଥର ୫ଟି କଲେଜ କାମକୁ ଜଗିବେ ଅଂଚଳବାସୀ : ଅଗଷ୍ଟ ୨୫ ସୁଦ୍ଧା ବଜେଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ହାଇସ୍କୁଲଗୁଡିକୁ ୫ଟିରେ ରୂପାନ୍ତରଣ କରିବା ପରେ ଏବେ କଲେଜ ମାନଙ୍କର ଭିତ୍ତିଭୂମି ସୁଦୃଢ କରିବାକୁ ୫ଟିରେ କଲେଜକୁ ସାମିଲ କରିଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଓ ୫୦ ଲକ୍ଷ ଲେଖାଏଁ ଅନୁଦାନ ବିଭିନ୍ନ କଲେଜକୁ ଆସିଛି । ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବର ମାସରେ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ ୨୫ ସୁଦ୍ଧା ବଜେଟ ପ୍ରସ୍ତୁତ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଆଜି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ନିର୍ମାଣ କାର୍ଯ୍ୟ କିପରି ଭଲ ହେବ ସେ ନେଇ ଅଂଚଳବାସୀଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ୫ଟିରେ ହାଇସ୍କୁଲର ନିର୍ମାଣ କାର୍ଯ୍ୟକୁ ନେଇ ବିଭିନ୍ନ ସ୍ଥାନରେ ଅଭିଯୋଗ ଆସିଥିଲା । କେତେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଓ ଅନିୟମିତତା ନେଇ ସମ୍ପୃକ୍ତ ବିଦ୍ୟାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ, କର୍ମଚାରୀ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ସରକାରୀ ପଦାଧିକାରୀଙ୍କ ଆଗରେ ମୁହଁ ଖୋଲିବାକୁ ସାହସ କରିନଥିଲେ । ଏବେ କଲେଜଗୁଡିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଏନେଇ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀ ଗୁଣାତ୍ମକ କାମ କିପରି ହେବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପକ୍ଷରେ ଅଂଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଆସନ୍ତା ଦିନରେ ଏହି ନିର୍ମାଣ କାର୍ଯ୍ୟକୁ ଅଂଚଳବାସୀ ଜଗିବାକୁ ନିଷ୍ପତି ନେଇଥିବା କେତେକ ଅଂଚଳରୁ ଖବର ହସ୍ତଗତ ହୋଇଛି । ଖପ୍ରାଖୋଲ ବ୍ଲକର ୬ଟି +୨ ଏବଂ ଗୋଟିଏ +୩ ମହାବିଦ୍ୟାଳୟକୁ ୫ଟିରେ ସାମିଲ କରାଯାଇଥିବା ବେଳେ ୬ଟି କଲେଜ ପାଇଁ ଅର୍ଥ ମଞ୍ଜୁର ହୋଇଅଛି । ଏହି କଲେଜଗୁଡିକର ବଜେଟ ଅଗଷ୍ଟ ୨୫ ସୁଦ୍ଧା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଚଂଚଳ ରାଣା ଆଜି ସମ୍ପୃକ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଆଭାସୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ବିଜୟ କୁମାର ହୋତା ଏବଂ ଅଧ୍ୟକ୍ଷମାନେ ଉପସ୍ଥିତ ରହି ଜିଲ୍ଲପାଳଙ୍କ ଅଭାସୀ ବୈଠକରେ ଯୋଗଦେଇଥିଲେ । ଅନୁଦାନ ଅର୍ଥରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ, ଶ୍ରେଣୀ ଗୃହ ମରାମତି କାର୍ଯ୍ୟ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ପାନୀୟଜଳ ପ୍ରକଳ୍ପ, ଟୟଲେଟ ନିର୍ମାଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏନେଇ ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତାଙ୍କୁ ଏହି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଭାସୀ ବୈଠକରେ ପ୍ରଶନ୍ନ ଦାଶ, ବଳଭଦ୍ର ଦାଶ, ଭୁବନେଶ୍ୱର ପୁରୋହିତ, ଡଃ.ନାରାୟଣ ପ୍ରଧାନ, ରାଧାକାନ୍ତ ସୁଆର, ଶିଶିର ସେଠ, ନବୀନ କୁମାର ମାଝୀ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଅଧ୍ୟକ୍ଷମାନେ ବଜେଟ ପ୍ରସ୍ତୁତ କାର୍ଯ୍ୟରେ ସହଯୋଗ କରିବାକୁ ବିଡିଓଙ୍କୁ ଅନୁରୋଧ କରିଥିଲେ । ଅଧିକାଂଶ ଅଧ୍ୟକ୍ଷ ଏହି ୫ଟି ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଦାବୀ କରିଥିଲେ । ଖପ୍ରାଖୋଲ ବ୍ଲକ ହେଡକ୍ୱାର୍ଟରଠାରେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ଏଠାରେ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ନିର୍ବାଚନ ସମୟରେ ଭୋଟବାକ୍ସ ରଖାଯିବା ସହିତ ଭୋଟ ଗଣତି କାର୍ଯ୍ୟ ହୋଇଥାଏ । ଏହାକୁ ଆଖି ଆଗରେ ରଖି ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପ୍ରାଥମିକତା ଦେବା ସହିତ ପୂର୍ତ୍ତ ବିଭାଗକୁ ଏହାର ନିର୍ମାଣ ଦାୟିତ୍ୱ ଦେବାକୁ ଅଧ୍ୟକ୍ଷ ବଳଭଦ୍ର ଦାଶ ଦାବୀ କରିଛନ୍ତି । ସେହିପରି ୫ଟି ସଚିବ ବଲାଙ୍ଗିର ଗସ୍ତ ସମୟରେ ରେଙ୍ଗାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୫ଟିରେ ସାମିଲ କରାଯିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଅନୁଦାନ ଆସିନ ଥିବାରୁ ରାଜ୍ୟ ସରକାର ତୁରନ୍ତ ଅନୁଦାନ ମଞ୍ଜୁର କରିବାକୁ ଏହାର ଅଧ୍ୟକ୍ଷ ନବୀନ କୁମାର ମାଝୀ ଦାବୀ କରିଛନ୍ତି ।

Leave A Reply

Your email address will not be published.