ରାମଚନ୍ଦ୍ରପୁର ‌ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲିଛି ‌ସ୍ୱାସ୍ଥ୍ୟ ସେବା

ମିନି ପାର୍କ ପାଲଟିଛି ସ୍ୱାସ୍ଥ୍ୟ କେନ୍ଦ୍ର
ଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଲ ଘେରା ଗାଁଗୁଡିକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଜେଇ ହେଉଛି । କିନ୍ତୁ ବର୍ଷ ବର୍ଷ ଧରି ନାହାନ୍ତି ଡାକ୍ତର । ହେଲେ ଆୟୁଷ ଡାକ୍ତରଙ୍କ ଉଦ୍ୟମରେ ମିନି ପାର୍କ ସାଜିଛି ସ୍ୱାସ୍ଥ୍ୟ କେନ୍ଦ୍ର । ଚିକିତ୍ସା ପାଇଁ ପ୍ରତିଦିନ ରୋଗୀ ଆସୁଛନ୍ତି । ଡାକ୍ତର ଅଭାବ ଯୋଗୁଁ ଠିକ ଭାବରେ ଚିକିତ୍ସିତ ନ ହୋଇ ଫେରୁଛନ୍ତି ରୋଗୀ । କାନ୍ଥ ବାଡ଼ରେ ଥିବା ଲାଇଭ ଏକ୍ସପ୍ରେସରେ ସେଲ୍ଫି ନେଇ ଯୋଗ ଭ୍ୟାସ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକର ମାଡା ଅଞ୍ଚଳରେ ଥିବା ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ନାହାନ୍ତି ଏମବିବିଏସ ଡାକ୍ତର କି ଏନଏମ ଦିଦି । ଆୟୁଷ ଡାକ୍ତର ଲଳିତ ସାହୁଙ୍କ ଭରଷାରେ ଚାଲିଛି ସ୍ୱାସ୍ଥ୍ୟ ସେବା । ପ୍ରକାଶ ଥାଉକି ଦେଶରେ ଥିବା ସମସ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ “ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର” ବା ‘ହେଲଥ ଏଣ୍ଡ ୱେଲନେସ ସେଣ୍ଟର’ ଭାବେ ନୂତନ ରୂପରେଖ ଦିଆଯିବା ସହ ଗତ ୨୦୧୮ ମସିହା ଅପ୍ରେଲ ୧୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ବିଜାପୁର ଠାରେ ପ୍ରଥମ ହେଲଥ ଏଣ୍ଡ ୱେଲନେସ ସେଣ୍ଟରକୁ ଲୋକାର୍ପଣ କରିଥିଲେ। ମା’ ତଥା ଶିଶୁର ମୃତ୍ୟୁହାର ଯଥା ସମ୍ଭବ କମ କରିବା, ଅଣ ସଂକ୍ରାମକ ରୋଗ ଯେଭଳି ଉଚ୍ଚ ରକ୍ତଚାପ- ମଧୁମେହ- କ୍ୟାନସର ଆଦିର ନିୟମିତ ଯାଞ୍ଚ ତଥା ଚିକିତ୍ସା ପ୍ରଦାନ, ମାଗଣାରେ ଔଷଧ ତଥା ନିଦାନ ସେବା ଯୋଗାଇବା, ଟେଲି ମେଡିସନ ମାଧ୍ୟମରେ ଉଚ୍ଚସ୍ତରର ଡାକ୍ତରଙ୍କ ପରାମର୍ଶ ରୋଗୀକୁ ସେଠି ଥାଇ ଯୋଗାଇ ପାରିବା, ନି଼ୟମିତ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବାର ପରାମର୍ଶ ଦେବା ସହ ଯୋଗ ଶିକ୍ଷା ମାଧ୍ୟମରେ ଦୀର୍ଘଦିନ ନିରୋଗ ରହିବା ଲୋକଙ୍କୁ ଶିଖାଇବା ଏହି ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରମାନ ପ୍ରତିଷ୍ଠାର ହେଉଛି ମୂଳ ଲକ୍ଷ । ୨୦୨୧ ତୃତୀୟ ବର୍ଷ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ଦିବସ ଅବସରେ ବଲାଙ୍ଗିର ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଥିବା ରାମଚନ୍ଦ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ଥିତି କେନ୍ଦ୍ରର ଅବସ୍ଥା କିପରି ଅଛି ତାର ସ୍ଥିତି ପରଖିଥିଲୁ ଯାହା ଦେଓଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନରେ ଅଛି ।

ଏକ ମନମୁଗ୍ଧକର ପରିବେଶ ମଧ୍ୟରେ ଆରୋଗ୍ୟ କେନ୍ଦ୍ର ନାମକୁ ଯଥାର୍ଥ ପ୍ରଦାନ କଲା ଭଳି ଏକ ଦୃଷ୍ଟାନ୍ତ ଏହି ରାମଚନ୍ଦ୍ରପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ପ୍ରାୟ ୨୫ ବର୍ଷ ପୁରୁଣା ଏହି ସ୍ଵାସ୍ଥ୍ୟ କେନ୍ଦ୍ରଟି ୫ଟି ପଞ୍ଚାୟତର ୨୩ଟି ଗାଁର ଲୋକେ ସ୍ଵାସ୍ଥ୍ୟ ସେବା ପାଇଁ ଏହା ଉପରେ ନିର୍ଭର କରନ୍ତି । ଆହୁରି ମଧ୍ୟ ଏକ ଅନୁସୁଚିତ ଜାତି ଝିଅଙ୍କ ଆବାସିକ ବିଦ୍ୟାଳୟ ଏଠି ଥିବା ବେଳେ ପ୍ରାୟ ୮୦୦ ଅନ୍ତେବାସୀ ଛାତ୍ରୀ ପ୍ରାଥମିକ ସେବା ପାଇଁ ଏଠିକି ଆସିଥାନ୍ତି । ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବେ ଘୋଷଣା ହେବା ପରେ ସମ୍ମୁଖ ଭାଗକୁ ନିର୍ଦିଷ୍ଟ ଢାଞ୍ଚାରେ ଚିତ୍ରିତ କରାଯାଇଛି ଯାହା ବେଶ ଆକର୍ଷଣ ହୋଇଛି । ରୋଗୀ ଅପେକ୍ଷା କରିବା ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା ହୋଇଛି । ପ୍ରବେଶ ଦ୍ଵାରରେ ଏକ ମ୍ୟାପରେ ଉପଲବ୍ଧ ସେବା ସମ୍ବନ୍ଧୀୟ ବିବରଣୀ ସ୍ପଷ୍ଠଭାବେ ଦର୍ଶାଯାଇଛି । ସ୍ଵାସ୍ଥ୍ୟ ସଚେତନତା ବାର୍ତ୍ତା ସବୁ ୱାଲପେଣ୍ଟିଙ୍ଗ, ସାଇନବୋର୍ଡ, ଫ୍ଲେକ୍ସ ବ୍ୟାନର ମାଧ୍ୟମରେ କ୍ୟାମ୍ପସ ସାରା ଲଗାଯାଇଛି । ସବୁଠୁ ବଡ କଥା ବର୍ୟ୍ୟବସ୍ତୁ ପ୍ରଶମନ ଅଞ୍ଚଳକୁ ବାୟୋହାଜାର୍ଡ ବୋର୍ଡ ଲଗାଇ ନିଶିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କ୍ୟାମ୍ପସ ପରିସର ମଧ୍ୟରେ ଏକ ଔଷଧୀୟ ବୃକ୍ଷ ବଗିଚା ଅଛି, ଯେଉଁଠି ସମସ୍ତ ଗଛର ନାମ ଔଷଧୀୟ ଗୁଣ ଆଦି ଲେଖାଯାଇଛି । ଯୋଗାସନ ଅଭ୍ୟାସ ପାଇଁ ଏକ ଲନ ଅଛି, ଯେଉଁଠି ପ୍ରତ୍ୟହ ସକାଳୁ ଲୋକେ ଯୋଗ ଅଭ୍ୟାସ କରୁଛନ୍ତି । ନିରାମୟ ଯୋଜନା ଅନୁଯାୟୀ ରୋଗୀମାନେ ମାଗଣା ଔଷଧ ଏଠି ପାଇପାରୁଛନ୍ତି । ଏଠି ଜଣେ ଆୟୁର୍ବେଦିକ ଡାକ୍ତର ଥିବାରୁ ଲୋକେ ଆୟୁର୍ବେଦିକ ଚିକିତ୍ସା ଉପଦେଶ ସହ ଔଷଧ ମଧ୍ୟ ପାଇପାରୁଛନ୍ତି । ଡାଇବେଟିସ, ବ୍ଳଡପ୍ରେସର ଭଳି ଅଣସଂକ୍ରାମକ ରୋଗର ନିୟମିତ ଯାଞ୍ଚ ସହ ଔଷଧ ଲୋକେ ଏଠି ପାଇପାରୁଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଲି ମେଡ଼ିସିନ ସେବା ଖୁବଶୀଘ୍ର ହେବ ବୋଲି ଡାକ୍ତର ଲଳିତ ସାହୁ ସୂଚନା ଦେଇଛନ୍ତି । ଏହି ହସ୍ପିଟାଲର ସୁସ୍ଥ ପରିବେଶ ହସ୍ପିଟାଲ ପ୍ରତି ମନରେ ଆସୁଥିବା ଭୟକୁ ଦୂର କରିବା ସହ ଅଧା ରୋଗ ଭଲ କରି ଦେଉଥିବା ସ୍ଥାନୀୟ ବାସିନ୍ଦା ମତ ରଖନ୍ତି । ଆଗାମୀ ଦିନରେ ପ୍ରଶାସନ ଏହି ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତି ବିଶେଷ ଦୃଷ୍ଟି ଦେଲେ ଲୋକେ ଆହୁରି ଉପକୃତ ହୋଇପାରିବେ ବୋଲି ବୁ‌ଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.