pakka

ଦୁଃଖ ଯନ୍ତ୍ରଣା ମଧ୍ୟରେ ମତଦାନ

bbehera

ଜୟପାଟଣା, (ଶେଷଦେବ ବେହେରା) : ପ୍ରକୃତିର ପ୍ରତିବନ୍ଧକ ଭିତରେ ରହି ଆସୁଥିବା ନାଗରିକମାନଙ୍କ ପାଇଁ ସୁଦିନ କେବେ ଆସିବ ତାହା କହିବା ବାହୁଲ୍ୟ ମାତ୍ର । କେଉଁଠି ଜଳ ବନ୍ଦୀର ଜୀବନ ତ ଆଉ କେଉଁଠି ସମୁଦ୍ର ପତ୍ତନରୁ ଚାରି ହଜାରରୁ ଛଅ ହଜାର ଫୁଟ୍‌ ଉପରେ ନିର୍ବାସିତ ଜୀବନ ଜିଁ ଆସୁଥିବା ମଣିଷମାନଙ୍କ ଜୀବନ କଥା ହେଉ, ଏ ସମସ୍ତଙ୍କ ପାଇଁ ଦେବଦୂତଙ୍କ ଅଭାବ ଘଟେ । ବିଭିନ୍ନ ଗଣମାଧ୍ୟମରେ ମେଞ୍ଚା ମେଞ୍ଚା ଖବର ପ୍ରକାଶିତ ହେଉଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନକୁ କୌଣସି ପ୍ରକାରେ ପ୍ରଭାବିତ କରିପାରେ ନାହିଁ । ଶେଷ ପରିଣତି ସେହି ସାଙ୍କେତିକ ଜୀବନ ପ୍ରବାହ ମଧ୍ୟରେ ନିଜର ମତ ସାବ୍ୟସ୍ତ ପାଇଁ ସେହି ଅଞ୍ଚଳର ଦରଦୀ ମଣିଷମାନେ ପୁଣି ଥରେ ଗଣତନ୍ତ୍ରକୁ ସାବ୍ୟସ୍ତ କରିବା ପାଇଁ ପୁଣି ଏକ ନୂତନ ସୂର୍ଯ୍ୟଲୋକ ଦେଖିବା ପାଇଁ ପାଖକୁ କୌଣସି ନେତା କିମ୍ବା ଦଳ ନପହଞ୍ଚିଲେ ମଧ୍ୟ ନିର୍ବାଚନକୁ ସର୍ବୋପରି ଭାବି ମତଦାନ ଦିନ ଭୋକ ଉପାସରେ ଆସି ମତଦାନ କରି ଫେରୁଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଳେ । ଭୋଟର ମର୍ଯ୍ୟାଦା ରଖି ଆସୁଥିବା ଏହି ମଣିଷମାନଙ୍କ ପାଇଁ ତାଙ୍କରି ଭୋଟ୍‌ ହାତେଇ ଥିବା ପ୍ରତିନିଧିମାନେ ଏମାନଙ୍କୁ ମନେ ପକାଇବା ମଧ୍ୟ କଷ୍ଟକର ହୋଇପଡେ । ଥୁଆମୂଳ ରାମପୁର ବ୍ଲକ୍‌ର ପୋଡ଼ାପଦର ପଞ୍ଚାୟତର ୧୬ଖଣ୍ଡ ଜଳ ବନ୍ଦୀ ଗ୍ରାମର ମତଦାନ ଯେତେ କଷ୍ଟକର ଥିବା ବେଳେ ଜୟପାଟଣା ବ୍ଲକ୍‌ର ପାହାଡ଼ ଶିଖରରେ ବର୍ଷ ବର୍ଷ ଧରି ଜୀବନ ବିତାଇ ଆସୁଥିବା ମଣିଷମାନଙ୍କର ଜୀବନ ଯାତ୍ରା ଉପରେ ଅବତାରଣାର ଆବଶ୍ୟକତା ମଧ୍ୟ ବଢ଼ିଚାଲିଛି । ଆଦିବାସୀ ମାନଙ୍କ ପାଇଁ ଗତ ପନ୍ଦର ବର୍ଷ ଧରି ସଂରକ୍ଷିତ ରହିଥିବା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଆଦିବାସୀମାନେ କେତେ ବିକଶିତ ତାହା ସେମାନଙ୍କ ବାସ୍ତବତା ହିଁ ଦର୍ଶାଇ ଥାଏ । ଏହି ନିର୍ବାଚନ ମଣ୍ଡଳୀରେ ୨୦୧୧ ଜନଗଣନା ଅନୁସାରେ ମୋଟ୍‌ ଜନସଂଖ୍ୟା ୩,୨୭, ୨୫୭ଥିବା ବେଳେ କେବଳ ଆଦିବାସୀଙ୍କ ସଂଖ୍ୟା ୧,୪୯, ୯୮୪ ରହିଥିବା ଜଣାପଡ଼େ । ମୋଟ ଜନସଂଖ୍ୟାର ସିଂହ ଭାଗ କେବଳ ଆଦିବାସୀ ଥିବାବେଳେ ଏମାନଙ୍କ ପାଇଁ ପ୍ରତିନିଧିତ୍ଵ କରି ଆସୁଥିବା ପ୍ରତିନିଧିମାନେ ଏମାନଙ୍କ ବିକାଶକୁ ନେଇ ଖେଳ ଖେଳୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି । ସ୍ଵାଧୀନତାର ଅମୃତ ମହୋତ୍ସବ କୁହନ୍ତୁ ବା ଓଡ଼ିଶାରେ ପଚିଶ ବର୍ଷ ଧରି ଅଖଣ୍ଡ ରାଜତ୍ଵ କରିଆସୁଥିବା ସରକାରଙ୍କ କଥା କୁହାଯାଉ, କେହି ହେଲେ ପାହାଡ଼ ଉପରେ ଶହ ଶହ ବର୍ଷ ଧରି ରହି ଆସିଥିବା ଗାଁମାନଙ୍କ କଥା ବୁଝିଲେ ନାହିଁ । ଚାଲିବାକୁ ସଡକ ନାହିଁ, ବିଜୁଳି, ଆଲୁଅ, ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଭଳି ସର୍ବନିମ୍ନ ଆବଶ୍ୟକତା ସାଙ୍ଗରେ ଲଢି ଆସୁଥିବା ଏହି ଗାଁମାନଙ୍କର ଭୋଟ୍‌ର ମୂଲ୍ୟକୁ ଏବେ ସାମୟିକ ପାଇଁ ବୁଝି ନେହୁରା ହେବେ । ସରଳତାର ସୁଯୋଗ ମଧ୍ୟ ନେବେ । ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନସୁଲି ପଞ୍ଚାୟତ ଚଞ୍ଚରାଗୁଡା, ଭାଟିପାସ, ବାଂଗଟି ଶାହାଜ୍, ଡ଼ଙ୍ଗରିଗୁଡା, ତଳ ଡଙ୍ଗରିଗୁଡା, ନଳାଚୁଆଁ ଆଦିଗ୍ରାମ ଦୁର୍ଗମ ଅଞ୍ଚଳ ଓ ପାହାଡି କ୍ଷେତ୍ର ମଧ୍ୟରେ ଆସୁଥିବା ବେଳେ ଏମାନଙ୍କୁ ପାହାଡ଼ ଓହ୍ଲାଇ ବୁଥ୍‌ ପର୍ଯ୍ୟନ୍ତ ଯିବାକୁ ହାରାହାରି ୧୦ କିଲୋମିଟର ପଡିଥାଏ । ସେହିପରି ପଞ୍ଚାୟତ ସାଙ୍ଗରେ କୌଣସି ସଡକ ସଂଯୋଗ ନଥିବାରୁ ଅଁଳାଭଟା ପଞ୍ଚାୟତର ଟେଣ୍ଡକା ଚୂଆଁ, କରାଘଟି, ସାନ କାରାଘଟି, ଦାବ୍ରିଘାଟି, ପଟା କୁସୁମୀ, କର୍ଲାକୋଟ ଆଦି ପାହାଡି କ୍ଷେତ୍ରରୁ ଲୋକଙ୍କୁ ଆସି ମତଦାନ ଦେବା ପାଇଁ ୧୦ରୁ ୧୪ କିଲୋମିଟର ଦୂରତା ପଡିଥାଏ । ବୁଥ୍‌ କେନ୍ଦ୍ରମାନଙ୍କୁ ସୁରକ୍ଷିତ ଓ ଅବାଧ ନିର୍ବାଚନ ପାଇଁ ବଳୟ ସୃଷ୍ଟି ହେଉଥିବା ବେଳେ ଜଳ ବନ୍ଦୀ ଓ ପାହାଡି ମତଦାତା, ଯେଉଁମାନେ ନିକଟରୁ ବିକାଶ ଦେଖି ନାହାନ୍ତି ସେମାନଙ୍କ ପାଇଁ ସୁରକ୍ଷିତ ମତଦାନ କେବେ ହେବ ତାହା ଦେଖିବାର ବେଳ ଆସିଛି ।

jay balangir
Leave A Reply

Your email address will not be published.

nine + 11 =