ଲୋଇସିଂହାରେ କରୋନା ଆତଙ୍କ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତେବେ ଆଗାମୀ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଅଂଚଳକୁ କଣ୍ଟେନମେଣ୍ଟ ଅଥବା ବଫର ଜୋନ ଭାବେ ଘୋଷଣା କରାଯାଇ ନ ଥିବାରୁ ଆଗାମୀ ଦିନରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସାଧାରଣରେ ଆଲୋଚନା ହେଉଛି । ଗତ କିଛି ଦିନ ତଳେ ଲୋଇସିଂହା ନୂଆପଡା ବାସିନ୍ଦା ଜନୈକା ୬୦ ବର୍ଷୀୟା ମହିଳା ଚିକିତ୍ସା ପାଇଁ ବୁର୍ଲା ଭୀମସାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ଘରକୁ ପଠାଇ ଦିଆଯାଇଥିଲା । ଗତ ୧୧ ତାରିଖ ମଙ୍ଗଳବାର ଦିନ ସମ୍ପୃକ୍ତ ମହିଳା ଜଣକର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ତାଙ୍କ ସଂସ୍ପର୍ଶରେ ପଡ଼ାର କିଛି ବ୍ୟକ୍ତି ଆସି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେହିପରି ନିକଟସ୍ଥ ବୁର୍ଡା ଗ୍ରାମର ଜନୈକା ପ୍ରସୂତୀଙ୍କୁ ବୁଧବାର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସହିତ ସହାୟିକା ଭାବେ ଗ୍ରାମର ଦୁଇଜଣ ମହିଳା ମଧ୍ୟ ଯାଇଥିଲେ । ଆଜି ସେହି ଉଭୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ମିଳିବା ପରେ ଗ୍ରାମରେ ଚାଂଚଲ୍ୟ ଖେଳି ଯାଇଛି । ଉଭୟ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରିବା ପାଇଁ ଆଜି ଅପରାହ୍ନରେ ଏକ ଟିମ ଗ୍ରାମକୁ ଯାଇଥିଲେ । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା(୩୦) କ୍ଷେତକୁ ଲଟା ବାଛିବା ପାଇଁ ଯାଇଥିବା ବେଳେ ଆଉ ଜଣେ ମହିଳା ନିଜ ଚାକିରୀ ଜାଗାକୁ ଯାଇ ଫେରି ନ ଥିବାରୁ ଦୀର୍ଘ ସମୟ ଧରି ମେଡିକାଲ ଟିମ ଗାଁରେ ଅପେକ୍ଷା କରିଥିଲେ । ପରେ ବୁର୍ଡାରୁ ୧୮ ଓ ଲୋଇସିଂହରୁ ୩୭ ଜଣକର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ସ୍ଥାନୀୟ ମେଡିକାଲ ସୂତ୍ରରୁ ଜଣାଯାଇଛି । ସେହିପରି ବ୍ଲକର ଆଭ୍ୟନ୍ତରୀଣ ବୁରୋମୁଣ୍ଡା ଗ୍ରାମରେ ମଧ୍ୟ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.