ମିଳିତ ସଂକଳ୍ପର ଧାର୍ମୀୟ ଦୃଷ୍ଟାନ୍ତ କସନା ଡଙ୍ଗର

ଜୟପାଟଣା, (ଶେଷଦେବ ବେହେରା) : ସାଧାରଣ ଶ୍ରଦ୍ଧାଳୁଙ୍କ ଧାର୍ମୀୟ ଭାବନା କସନା ଡଙ୍ଗରର ପ୍ରାକୃତିକ ଶୋଭାରାଜି ସାଙ୍ଗକୁ ଅନେକ ଦେବାଦେବୀଙ୍କ ପ୍ରାକୃତିକ ଉପସ୍ଥାନ ଏବେ ସେହି ପବିତ୍ର ପାହାଡ଼କୁ ଚଳଚଂଚଳ କରିସାରିଛି । ସାମାନ୍ୟତମ ସହଯୋଗ ରାଶିକୁ ପାଥେୟ କରି ଉଦ୍ୟୋକ୍ତାମାନେ ଧାର୍ମୀୟ କ୍ଷେତ୍ରର ବିକାଶ ଲାଗି ନିଜକୁ ସମ୍ପୂର୍ଣ ସମର୍ପିତ କରି ଅଂଚଳ ପାଇଁ ଏକ ବଳିଷ୍ଠ ଉଦାହରଣ କରିସାରିଛନ୍ତି । ଗତ ଶୁକ୍ରବାର ଦିନ ଏକ ଲକ୍ଷ ଟଙ୍କା ସରକାରୀ ସାହାର୍ଯ୍ୟରେ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ସହଯୋଗରେ ପ୍ରାୟ ସାତଶହ ମିଟର ଘାଟି ରାସ୍ତା କାଟି ଗମନାଗମନ ପାଇଁ ଏକ ନୂତନ ସଡ଼କ ନିର୍ମାଣ କରିସାରିଥିବା ବେଳେ ସ୍ଥାନୀୟ ସମାଜସେବୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀଙ୍କ ଦ୍ଵାରା ସଡ଼କର ଶୁଭ ଉଦ୍‌ଘାଟନ କରାଯାଇ ଲୋକାର୍ପଣ ପର୍ବ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଉଦ୍‌ଘାଟନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ପୁଝାରୀଗୁଡ଼ା ପଂଚାୟତର ସବିଗୁଡ଼ା ଗ୍ରାମ ସଂଲଗ୍ନ କସନା ଡଙ୍ଗର ନିଜର ଆଧ୍ୟାତ୍ମିକ ଉପସ୍ଥାନ ପାଇଁ ଲୋକଲୋଚନକୁ ଆସି ସାରିଛି । ଲୋକଙ୍କର ଦୃଢ଼ ବିଶ୍ୱାସ ଯୁଗଯୁଗ ଧରି ଏକ ପାବନ କ୍ଷେତ୍ର ଭାବରେ ଆତ୍ମ ପ୍ରକାଶ କରି ଆସିଥିବା ଏହି ଡଙ୍ଗରର ଚତୁର୍ପାଶ୍ୱର୍ରେ ରହିଥିବା ପୀଠମାନଙ୍କରେ ଅଷ୍ଟଶମ୍ଭୁ, ଶ୍ୟାମାକାଳୀ, ପାତାଳେଶ୍ଵର ଶିବ, ବରୁଣ କୁଣ୍ଡ, ଯଜ୍ଞଅଶ୍ୱ, ମୀ ପାର୍ବତୀ, ଶ୍ରୀରାମ ପାଦୁକା, ଚଉଷଠି ଯୋଗିନୀ ଆଦି ଦର୍ଶନୀୟ ମନ୍ଦିର ଏବେ ଏହି ଅଂଚଳ ପାଇଁ ଧାର୍ମୀୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଖୋରାକ ଯୋଗାଉଛି । ଗତ ୨୦୦୨ ମସିହାରେ ସେଠାକାର ଶ୍ରଦ୍ଧାଳୁ ପର୍ଶୁରାମ ରାଉତଙ୍କୁ ସପ୍ନଦେଷ ହେବାପରେ ଧରମ ସିଂ ଲାଉତ, ଚକ୍ର ଚଲାନ, ଧନସି ପୁଝାରୀ, ଗଗନ ମାଝୀ, ଧନୁ ଚଲାନ, ହେମନ୍ତ ମାଝୀ ପ୍ରମୁଖ ପ୍ରତିମୂର୍ତିମାନଙ୍କ ନିକଟରେ ପୂଜାର୍ଜୁନା ଆରମ୍ଭ କରିଦେଲେ । ପରବର୍ତୀ ସମୟରେ ପ୍ରତି ସୋମବାର ଦିନ ଶ୍ରଦ୍ଧାଳୁମାନଙ୍କ ଆବେଗ ଭରା ଉପସ୍ଥାନ ବଢ଼ି ଚାଲିଲା । ଦେବାଦେବୀମାନଙ୍କ ପ୍ରତୀକ ସମୂହର ସୁରକ୍ଷା ପାଇଁ କାଠ ଓ ବାଉଁଶର ଛାମୁଣ୍ଡିଆ ତିଆରି ହେଲା । ଏବେ ଏହାର ବିକାଶ ପାଇଁ ଅଂଚଳର ସମାଜସେବୀ ତଥା ପୂର୍ବତନ ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ, ଘନଶ୍ୟାମ ପ୍ରଧାନୀ, ଅରବିନ୍ଦ ଶର୍ମା, ମଦନ ଅଗ୍ରୱାଲ, ଜୟଭଗବାନ ଅଗ୍ରୱାଲ, କୁମୁଦ ଚନ୍ଦ୍ର ସାହୁ, ଲୟ ଧଙ୍ଗତାମାଝୀ, କିଶୋର ଚନ୍ଦ୍ର ସା, ସାମାଦିକ ଶେଷଦେବ ବେହେରା, ଅସରଫ୍ ଅଲ୍ଲୀ, ପ୍ରାଣରଞ୍ଜନ ବେହେରା ପ୍ରମୁଖ ବିକାଶଧାରାର ଚିନ୍ତାରେ ସମର୍ପିତ ଥିବା ଦେଖିବାକୁ ମିଳିଛି । ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ତୂଳାରାମ ନାଏକ ୫୧,୦୦୦ ଟଙ୍କା ବିକାଶ ପାଇଁ ଘୋଷଣା କରିଥିବା ଜଣା ପଡ଼ିଛି । ଆଗାମୀ ଦିନରେ ଧାର୍ମୀୟ ଚେତନା ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଏକ ଲୋଭନୀୟ ପୃଷ୍ଠା ସୃଷ୍ଟି କରି ପାରିଥିବା କସନା ଡଙ୍ଗରର ସରକାରୀ ମାନଚିତ୍ରରେ ସ୍ଥାନିତ ହୋଇପାରିଲେ ଅଂଚଳର ଜନସାଧାରଣଙ୍କ ପ୍ରତି ଉଚିତ ମୂଲ୍ୟାଙ୍କନ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.