ମିନର୍ଭା ପଲଟ୍ରି ଫାର୍ମରେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ : ତୁରନ୍ତ ୫ଲକ୍ଷ ସାହାଯ୍ୟ ଦେଲେ ମାଲିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ରାସ୍ତା ଭଦ୍ରାପାଲି ସ୍ଥିତ ମିନର୍ଭା ପଲଟ୍ରି ଫାର୍ମରୁ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉକ୍ତ ମୃତକ ଜଣକ ପୁଇଁନ୍ତଳା ବ୍ଲକ ଅଧୀନସ୍ଥ, ମଙ୍ଗଳାପାଲି ଗ୍ରାମର ମନ୍ତୋଷ କୁଅଁର ବୋଲି ଜଣାପଡିଛି । ମନ୍ତୋଷ ପ୍ରତିଦିନ ପଲଟ୍ରି ଫାର୍ମକୁ କାମ କରିବାକୁ ଆସନ୍ତି । କିନ୍ତୁ ଆଜି ହଠତ କନଭେଅର ବେଲ୍ଟରେ ତାଙ୍କ ଶବ ପଡିଥିବା ଦେଖିବାକୁ ମିଳିଥିଲ। । ପରେପରେ ତାଙ୍କର ପରିବାର ଓ ଗ୍ରମବାସୀ ଘଟଣା ସ୍ଥଳକୁ ଆସି ପଚାରିବାରୁ, ବିଦ୍ୟୁତ ଆଘାତରେ ମନ୍ତୋଷଙ୍କ ଜୀବନ ଚାଲିଯାଇଥିବା ତାଙ୍କୁ କୁହାଯାଇଥିଲ। । ସେହିପରି ଘଟଣା ସ୍ଥଳରେ କୌଣସି ବିଜୁଳି ଉପକରଣ କିମ୍ବା ତାର ଯାଇ ନଥିବା ବେଳେ ବିଦ୍ୟୁତ ଆଘାତରେ କିପରି ତାଙ୍କର ଜୀବନ ଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ । ଘଟଣାର ପାରିପାଶ୍ୱିର୍କ ସ୍ଥିତିରୁ ଏହା ଏକ ପ୍ଲାନ ମର୍ଡର ବୋଲି ଅଭିଯୋଗ କରିବା ସହ ଏଥିପାଇଁ ଫାର୍ମର ମାଲିକ ଓ କର୍ମଚାରୀମାନଙ୍କ ଉପରେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି । ତେବେ ମୃତ ମନ୍ତୋଷଙ୍କୁ ନ୍ୟାୟ ଦେବା ଦାବୀ ନେଇ ଗ୍ରାମବାସୀ ବଲାଙ୍ଗିର ସୋନପୁର ରାସ୍ତା ବନ୍ଦ କରି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ, ଫାର୍ମର ମାଲିକ ଶୋକସନ୍ତପ୍ତ ପରିବାରକୁ ୫ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ପୋଲିସ ପକ୍ଷରୁ ଉପଯୁକ୍ତ ଯାଞ୍ଚ ପ୍ରତିଶ୍ରୁତି ଓ ମାଲିକଙ୍କ ଠାରୁ ପଇସା ପାଇବା ପରେ ଗ୍ରାମବାସୀ ଧାରଣା ବନ୍ଦ କରିବା ସହ ରାସ୍ତା ଖୋଲି ଦେଇଥିିଲେ । ଥାନାରେ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତ ମନ୍ତୋଷଙ୍କ ଶବକୁ ବ୍ୟବଛେଦ ପାଇଁ ଡାକ୍ତରଖାନକୁ ପଠାଯାଇଛି । ତେବେ ମୃତ ମନ୍ତୋଷଙ୍କ ଶବ ବ୍ୟବଛେଦ ରିପୋର୍ଟ ଓ ଉପଯୁକ୍ତ ତଦନ୍ତ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଇଛି । ସେହିପରି ଫାର୍ମ ମାଲିକଙ୍କ ତତକ୍ଷଣାତ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ଘଟଣାରେ ମାଲିକ ଓ କର୍ମଚାରୀଙ୍କ ସଂପୃକ୍ତି ତଥା ଫାର୍ମରେ ଶ୍ରମିକମାନଙ୍କ ପାଇଁ ଥିବା ଅପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ବଢାଉଛି । ତେବେ ଫାର୍ମର ମାଲିକଙ୍କ ସହ ଏ ସଂପର୍କରେ ପଚାରିବା ପାଇଁ ଫୋନ କରିବାରୁ ସେ ଫୋନ କାଟି ଦେଇଥିଲେ ।

Leave A Reply

Your email address will not be published.