
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ଏକ ବାହାଘର କାର୍ୟ୍ୟକ୍ରମ ପ୍ରଶାସନର ବିନା ଅନୁମତିରେ ଏବଂ ଓଡିଶା ସରକାରଙ୍କ ସମ୍ପ୍ରତି ପ୍ରଚଳନ କୋଭିଡ ନିୟମାବଳୀର ଉଲଂଘନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିର ପରିସରକୁ ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ସିଲ କରାଯାଇଥିବା ବେଳେ ବିନା ନୁମତିରେ ପରିସରରେ ବାହାଘର ଆୟୋଜନ କରୁଥିବା ବରପିତାଙ୍କୁ ଜୋରିମାନା କରାଯାଇଛି । ଘଟଣା କ୍ରମରେ ସୋନପୁର ଟିକିରିପଡ଼ା ନିବାସୀ ଗୌରଚରଣ ବାରିକଙ୍କ ପୁଅ ବାବୁଲୁ ବାରିକର ବାହାଘର ବୌଦ୍ଧ ଜିଲ୍ଲା ପୁରୁଣାକଟକର ଜନୈକା କନ୍ୟା ସହିତ ସୋନପୁର ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିଲା । ଏହି ବାହାଘର ପାଇଁ ବର ପକ୍ଷରୁ କୌଣସି ଅନୁମତି ପ୍ରଶାସନ ଠାରୁ ନେଇ ନଥିବା ଏବଂ ସାମ୍ପ୍ରତିକ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ ଲାଇନକୁ ଉଲଂଘନ କରି ସମାରୋହରେ ନିର୍ଦ୍ଧିଷ୍ଟ ସଂଖ୍ୟାରୁ ଅଧିକ ସମ୍ମିଳିତ ହୋଇଥିବା ବେଳେ ମୁହଁରେ ମାକ୍ସ ବ୍ୟବହାର ନ କରିବା ସହ କୋଭିଡ ନିୟମ ପାଳନ ମୁତାବକ ସାମାଜିକ ଦୂରତ୍ୱକୁ ମଧ୍ୟ ପାଳନ କରାଯାଇ ନଥିବା ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ସୋନପୁର ଉପଜିଲ୍ଲାପାଳ, ସୋନପୁର ତହସିଲଦାର, ସୋନପୁର ମ୍ୟୁନିସିପାଲିଟି କାର୍ୟ୍ୟନିର୍ବାହୀ ଅଧିକାରୀ, ସୋନପୁର ଟାଉନ ଥାନା ଭାରପ୍ରାପ୍ତ ଥାନାଧିକାରୀ ପ୍ରମୁଖ ଅତର୍କିତ ଚଢ଼ାଉ କରି ସରଜମିନ ସମୀକ୍ଷା କରି ବରପିତାଂକୁ କୋଭିଡ ନିୟମ ଉଲଂଘନ ନିମନ୍ତେ ଟ. ୨୦,୦୦୦/- ଙ୍କା ଜୋରିମାନା କରିବା ସହ ଆୟୋଜିତ ବାହାଘରକୁ ତୁରନ୍ତ ବନ୍ଦ କରିଥିଲେ । ଏପରିକି କୋଭିଡ ଗାଇଡ଼ ଲାଇନର ଖୋଲା ଉଲଂଘନ ହେତୁ ମନ୍ଦିର ଓ ପରିସରକୁ ଅନ୍ୟାଦେଶ ପର୍ୟ୍ୟନ୍ତ ସିଲ୍ କରାଯାଇଛି । ମନ୍ଦିରରେ କେବଳ ଦୈନିକ ନୀତିକାନ୍ତି ପୁଜା ପାଇଁ ପୂଜକଙ୍କୁ ଅନୁମତି ଦିଆଯାଇଛି । ଏହି ଚଢାଉରେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ତହସିଲଦାର ନବୀନ ଚନ୍ଦ୍ର ପାଢ଼ୀ, ମୁନିସିପାଲିଟି କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟକ୍ଷଶୁ ରୁଟ, ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗର ପ୍ରମୁଖ ସାମିଲ୍ ଥିଲେ ।
