ମାଲକାନଗିରି : ଗଂଜେଇ ଚୋରା ଚାଲାଣ କରୁଥିବା କାଉଡ଼ିଆମାନଙ୍କୁ କାବୁ କରିବା ପାଇଁ ଯାଇ ଜଣେ ହୋମଗାର୍ଡ ମୃତ୍ୟୁମୁଖରେ ପଡ଼ିଥିବା ସୂଚନା ମିଳିଛି । ତେବେ ହୋମଗାର୍ଡ ଜଣକ ମାଥିଲି ମେଡ଼ିକାଲ୍ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ସୂଚନା ଅନୁସାରେ, ଶତାଧିକ ଗଂଜେଇ କାଉଡ଼ିଆ ଭାର ସାହାଯ୍ୟରେ ଗଂଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ପୁଲିସ ସେମାନଙ୍କ କାବୁ କରିବାକୁ ଗୋଡେ଼ଇଥିଲା । ତେବେ ଚୋରାଚାଲାଣକାରୀଙ୍କୁ ପୁଲିସ ଚାଉଳିମେନ୍ଦି ପାଖରେ ଅଟକାଇଥିବା ବେଳେ ସେଠାରେ ଗଂଜେଇ ଚୋରା ଚାଲାଣକାରୀ କାଉଡ଼ିଆମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ କାଉଡ଼ିଆମାନେ ତାଙ୍କୁ ଆକ୍ରମଣ କରିବା ଫଳରେ ଗୁରୁତର ଭାବରେ ଆହତ ହୋଇଥିଲେ ହୋମଗାର୍ଡ ବନବାସୀ ମହାରଣା । ତାଙ୍କୁ ତୁରନ୍ତ ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମୃତ ବନବାସୀ ମହାରଣାଙ୍କୁ ସହିଦ୍ ଘୋଷଣା ସହ ଉପଯୁକ୍ତ କ୍ଷତିପୂରଣ ଦାବୀ କରାଯାଇଛି ହୋମଗାର୍ଡ ସଂଘ ପକ୍ଷରୁ ।