ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ ଆଜି ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ଆବାହକ ଉତ୍ପନ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ଅଧ୍ୟାପକ ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର ମଞ୍ଚାସୀନ ଥିଲେ । ପଶ୍ଚିମ ଓଡିଶାର ମହାନ ନାଟ୍ୟକାର ଲୋକକଳା, ସଂସ୍କୃତି, ଲୋକଭାଷା, ଲୋକନୃତ୍ୟ ଓ ଶବ୍ଦ ନୃତ୍ୟର ପ୍ରଚାରକ କୋଶଲି ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ପୂର୍ଣାଙ୍ଗ କର୍ମକର୍ତ୍ତାଙ୍କ ପ୍ରଥମ ଅଧିବେଶନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ଡ. ହଳଧର ନାଗ ଏହି ବୈଠକକୁ ବିଧିବଦ୍ଧ ଭାବରେ ଉଦଘାଟନ କରି ଗୁରୁ ଭଗବାନ ସାହୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କମିଟିର ମୁଖ୍ୟ ସଂଯୋଜକ ଉତ୍ପନ୍ନ କୁମାର ଭୋଇ ନବ ଗଠିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରି ନୂତନ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର ଓ ପଦ୍ମଶ୍ରୀ ହଳଧର ନାଗଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂପାଦକ ପ୍ରଦୀପ ଦେବତା ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ସଂନ୍ତୋଷ ଦାଶ କମିଟିର ଅର୍ଥ ବ୍ୟବସ୍ଥା ଉପରେ ପ୍ରସ୍ତାବ ରଖିଥିଲେ । ଏହା ପରେ ଡ. ତପସ୍ୱିନୀ ଗୁରୁ ଭଗବାନ ସାହୁଙ୍କ ଉପରେ ବିଦ୍ୟାଳୟ ସ୍ତରରେ ପରିଚିତ କରାଯିବାକୁ ପ୍ରସ୍ତାବ ରଖିଥିଲେ । ଅଧ୍ୟାପକ ଟେକଚାନ୍ଦ ଦୁଆନ ଭଗବାନ ସାହୁଙ୍କ ବୀର ସୁରେନ୍ଦ୍ର ସାଏ ନାଟକକୁ ପ୍ରକାଶନ କରିବାକୁ ପ୍ରସ୍ତାବ ରଖିଥିଲେ । ଅଧ୍ୟାପକ ନାରାୟଣ ଭୋଇ ମନୋହର ସାସ୍କୃତିକ ସଂସଦ କରି ଏହି କମିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭଗବାନ ସାହୁଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ । ପ୍ରଭାତାଦିତ୍ୟ ମିଶ୍ର ବରଗଡ଼ର ଅବକ୍ଷୟମୁଖୀ କଳା ପ୍ରତିଭାଙ୍କ ଉପରେ କ୍ଷୋଭ ପ୍ରକାଶ କରି ଏହି ସଂଗଠନ ତାର ପୁନରୁଦ୍ଧାର କରୁବୋଲି ମତ୍ତ ରଖିଥିଲେ । ଠିକ୍ ସେହିପରି ଦିଲ୍ଲୀପ ଦେବତା, ବୈରାଗି ସାହୁ, ପ୍ରୀତମ ସିଂ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଅଶୋକ ପୂଜାହାରୀ, ରୋହିତ ଦାଶ, ପଞ୍ଚାନନ ବାରିକ, ମାନଭଞ୍ଜନ କର, ମୋହନ ସିଂ କହ୍ନେଇ, ପ୍ରମୋଦ ଦେବତା, ମାମରାଜ ସ୍ୱାଇଁ, ଭୂବନ ଭୋଇ ପ୍ରମୁଖ ନୂଆଁ ନୂଆଁ ପ୍ରସ୍ତାବ ରଖିଥିଲେ । କାର୍ୟକାରୀ ସଭାପତି କେଦାର ମିଶ୍ର ବୈଠକର ସମୀକ୍ଷା କରିବା ପରେ ସହ ସଂପାଦକ ତେଜୁରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।