ଚୌଦ୍ୱାର : ମୋବାଇଲ ଲୁଟ କରୁଥିବା ଜଣେ କୁଖ୍ୟାତ ଚୋରକୁ ପୁଲିସ ଗିରଫ କରି କେର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ମୁତାରିଫା ପଞ୍ଚାୟତ ପଦ୍ମପୁର ଗ୍ରାମର ସେକ୍ ମୁସ୍ତାକ୍ (୩୫) ବୋଲି ଜଣାପଡିଛି । ତାଙ୍କ ନିକଟରୁ ନାମିଦାମି କମ୍ପାନୀର ୮ଟି ଚୋରି ମୋବାଇଲ ଫେନ୍ ଏବଂ ଗୋଟିଏ ଏଡ଼କମ୍ କିପ୍ୟାଡ଼ ଜବତ କରାଯାଇଛି । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତମାସ ୨୪ ତାରିଖରେ ଚୌଦ୍ୱାର ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଗଣେଶ୍ୱର ନାୟକ ଥାନାରେ ଅଭିଯୋଗ କରିଥିଲେ ଯେ, ୨୩ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କ ଘର ଝରକା ଭାଙ୍ଗି ଘରଭିତରେ ପଶି ତାଙ୍କର ଦୁଇଟି ସ୍ମାର୍ଟ ମୋବାଇଲ ଫୋନ୍ ଚୋରି କରି ନେଇଛି । ଅଭିଯୋଗ ପାଇ ଏସ୍ଆଇ ପାର୍ଥ ପ୍ରତିମ ବେଉରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୁସ୍ତାକ୍ ଏହି ଚୋରିରେ ସାମିଲ ଥିବା ବିଶେଷ ସୂତ୍ରରୁ ଖବର ପାଇ ଶ୍ରୀ ବେଉରା ସୋମବାର ସକାଳେ ସଦଳବଳେ ମୁସ୍ତାକଙ୍କ ଘରେ ଚଢ଼ଉ କରି ତାକୁ ଧରି ଥାନାକୁ ଆଣି ପଚରା ଉଚରା କରିବାରେ ସେ ଉକ୍ତ ମୋବାଇଲ ଚୋରି କରିଥିବା ସ୍ୱୀକାର କରିଥିଲା । ତା’ ନିକଟରୁ ଜବତ ହୋଇଥିବା ମୋବାଇଲଗୁଡ଼ିକର ଆଇଏମ୍ଇଆଇ ନମ୍ବର ଯାଞ୍ଚ କରିବାରେ ସେଥିମଧ୍ୟରୁ ବେଲଦାର ଗଣେଶ୍ୱରଙ୍କର ଚୋରି ଯାଇଥିବା ମୋବାଇଲ ଦୁଇଟି ଥିବା ଜଣାପଡ଼ିଥିଲା । ମୁସ୍ତାକ୍ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ତା’ ନାମରେ ଚୌଦ୍ୱାର, ଜଗତପୁର ଆଦି ଥାନାରେ ବିଭିନ୍ନ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।