ପଦ୍ମପୁର ଅନ୍ଵେଷା ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା

  • ୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ହଟିଲା
  • ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅବହେଳାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଙ୍କ ହଷ୍ଟେଲରେ ମୃତ୍ୟୁ ଘଟଣାରେ ମୃତ୍ୟୁ ବରଣ କରିଥିବା ଛାତ୍ର ଓ ତାଙ୍କ ପରିବାର ସହ ଗ୍ରାମବାସୀଙ୍କ ସହଯୋଗରେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ୧୨ ଘଣ୍ଟା ଧରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବସିବା ଘଟଣା ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇଥିଲା । ସରକାରୀ ଅବହେଳା ସହ ହଷ୍ଟେଲରେ ଛାତ୍ରଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ମୃତ ଛାତ୍ରଙ୍କ ଅବିବାବକ, ମାମୁଁ ଘର ପରିବାର ଓ ଗାଁର ବନ୍ଧୁ ପରିଜନ ଏକାଠି ଧାରଣାରେ ବସି ଆନ୍ଦୋଳନ କରିବା ପରେ ପ୍ରଶାସନର ଓ ପୋଲିସର ଦୀର୍ଘ ସମୟ ଆଲୋଚନା ଓ ବୁଝାସୁଝା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଶେଷରେ ରାତ୍ରୀର ୮ଟା ସମୟରେ ସମାଧାନର ରାସ୍ତା ବାହାରିଥିଲା । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡ଼ତୀଆଙ୍କ ସହଯୋଗ ପ୍ରଶାସନ ଓ ମୃତଙ୍କ ମାମୁଁ ବହୁ ସମୟ ଧରି ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିବାକୁ ଆନ୍ଦୋଳନକାରୀ ପ୍ରସ୍ତୁତ ହୋଇଥିଲେ । ମୃତ୍ୟର କାରଣ ତଦନ୍ତ କରିବା ସହ ଏଥିରେ ଅବହେଳା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏହାକୁ ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନରୁ ଓହରି ଥିଲେ । ଦୀର୍ଘ ୧୨ ଘଣ୍ଟା ପରେ ସେମାନେ ଗାଁକୁ ଯିବାପାଇଁ ବାହାରିଥିଲେ । ଶେଷରେ ମୃତ୍ୟୁ ବରଣ କରିଥିବା ଛାତ୍ରଙ୍କ ପରିବାରଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଜେପୁର ବିଧାୟକ ସନତ ଗଡ଼ତୀଆ ଆର୍ଥିକ ସହଯୋଗ କରିଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ଆର୍ଥିକ ସହାୟତା ଦେବାପାଇଁ ଉପଜିଲ୍ଲାପାଳଙ୍କ ତରଫରୁ ଘୋଷଣା ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ପଦ୍ମପୁର କଲେଜ ରୋଡ୍‌ ସ୍ଥିତ ଅନ୍ଵେଷା ହଷ୍ଟେଲର ନବମ ଶ୍ରେଣୀର ଛାତ୍ର ମେଲଛାମୁଣ୍ଡା ଥାନା ଝଙ୍କରପାଲି ଗ୍ରାମର ପ୍ରିନ୍ସ କୁମ୍ଭାର(୧୪) ହଷ୍ଟେଲରେ ରହି ପାଠ ପଢୁଥିଲେ । ଗତ ୩୦ ତାରିଖ ରାତିର ତାଙ୍କର ଶରୀର ହଷ୍ଟେଲରୁ ଡାକ୍ତରଖାନାକୁ ଅଣାଯାଇଥିଲା ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ଡାକ୍ତରଖାନାରେ ଡାକ୍ତର କୈଳାସ ମେହେର ଘୋଷଣା କରିଥିଲେ । ଯାହାକୁ ନେଇ ତାଙ୍କ ମାମୁଁ ହତ୍ୟାର ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.