ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ଚିଖିଲି ଗାଁର ମନସି ଛତର (୬୫)ଙ୍କ ମାଟିଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ଘର ଭାଙ୍ଗି ବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଗାଇସିଲେଟ ବ୍ଲକ ପ୍ରଶାସନର ଦେଖା ଦର୍ଶନ ନାହିଁ । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଏବଂ ପିଇଓଙ୍କୁ ଯୋଗାଯୋଗ କରିବାରୁ ଉଭୟେ ତାଙ୍କ ପରିବାର ପାଇଁ କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରୁଛୁ ବୋଲି କହିଥିଲେ । ଇତି ମଧ୍ୟରେ ସଂଧ୍ୟା ହୋଇଯାଇଥିଲେ ମଧ୍ୟ ଶୁଖିଲା ଖାଦ୍ୟ, ପୋଲିଥିନ ଖଣ୍ଡେ ବା କୌଣସି ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନର ଅଧିକାରୀ କିମ୍ବା କର୍ମଚାରୀ ଆସିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଖବର ପାଇ ଓଲଟା ପଞ୍ଚାୟତର ଜଣେ କର୍ମଚାରୀ ତାଙ୍କ ଭଙ୍ଗାଘରକୁ ପହଞ୍ଚି ହିତାଧିକାରୀଙ୍କୁ ଏ ଖବର କୌଣସି ସାମ୍ବାଦିକ ବା ଜନପ୍ରତିନିଧିକୁ କହିବ ନାହିଁ କହିଲେ ପଞ୍ଚାୟତର ଇଜ୍ଜତ ଚାଲିଯିବ ବୋଲି ମନସି ଛତରଙ୍କ ପୁଅକୁ କହୁଥିବାର ସେ ଅଭିଯୋଗ କରିଛନ୍ତି ।ପୁଣି ସେ କହୁଛନ୍ତି ଯେ ‘କ’ ଫର୍ମ ପୂରଣ କରି ବ୍ଲକ କାର୍ଯ୍ୟାଳୟରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଆବେଦନ କର । ଘର ଭାଙ୍ଗିଯାଇଥିବା ମନସି ଛତର ଦୀର୍ଘ ତିନି ବର୍ଷ ପୂର୍ବରୁ ଇନ୍ଦିରା ଆବାସରେ ଘର ଖଣ୍ଡେ ଯୋଗାଇଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଯାଇ ଯେତେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେ କହିଛନ୍ତି । ମନସି ଛତର ଏବଂ ତାଙ୍କ ପତ୍ନୀ ଏବେ ପଡୋଶୀ ଘରେ ଆଶ୍ରୟ ନେଉଛନ୍ତି । ତାଙ୍କ ବଡପୁଅ ବାହା ହୋଇ ଅଲଗା ରହୁଛନ୍ତି ଏବଂ ସାନପୁଅ ବାହାରେ ରହି ଏକ କିରାଣା ଦୋକାନରେ କାମ କରୁଛନ୍ତି । ଦିବ୍ୟାଙ୍ଗ ମନସି ଛତର ଏବଂ ତାଙ୍କ ପତ୍ନୀ କୁମୁଦିନୀ ଛତର ପର ଘରେ ଦିନ ମଜୁରିଆ ଭାବେ କାମ କରନ୍ତି । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ବିଡ଼ିଓ ବୋଧହୁଏ ଜରୁରୀ କାମରେ ଥିବେ ସେଥିପାଇଁ ଫୋନ ରିସିବ କଲେନାହିଁ । ତା’ପରେ ଆମ ପ୍ରତିନିଧି ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କୁ ଯୋଗାଯୋଗ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ଏ ବାବଦରେ ଗାଇସିଲେଟ ତହସିଲଦାରଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ବର୍ତ୍ତମାନ ଘରଭାଙ୍ଗି ଯାଇଥିବା ମନସି ଛାତରଙ୍କ ପରିବାରକୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଗରିବଙ୍କ ଗୁହାରି ଶୁଣିବ କିଏ ବୋଲି କୋହ ଭରା କଣ୍ଠରେ ମନସି ଛତର ସ୍ଥାନୀୟ ଜନସାଧାରଣଙ୍କୁ କହୁଛନ୍ତି ।

Leave A Reply

Your email address will not be published.