ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ ଯୋଜନାର ଶୁଭାରମ୍ଭ କରିବା ଲାଗି ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିବେ । ଏହି ଗସ୍ତ କାଳରେ ସେ ସୁବର୍ଣ୍ଣରେଖା ଅତିରିକ୍ତ ଜଳସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । ଭିଡିଓ କନଫରେନ୍ସ ଜରିଆରେ ବାରିପଦା ପୌର ପରିଷଦର ୬ଟି ଖେଳପଡ଼ିଆର ଉନ୍ନତିକରଣ ଓ ବାରିପଦା ୱାର୍ଡ ନଂ. ୨୨ ରଘୁନାଥପୁରଠାରେ ଏକ ବିଦ୍ୟୁତ୍‌ ଚାଳିତ ଶବଦାହ ଗୃହର ଶିଳାନ୍ୟାସ କରିବେ । ଏହାସହ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ମିନିଟ୍‌ ଟୁ ମିନିଟ୍‌ ତାଲିକା ଜିଲାପାଳଙ୍କୁ ପଠାଯାଇଛି । ସୂଚନା ଅନୁୟାୟୀ, ମୁଖ୍ୟମନ୍ତ୍ରୀ ସକାଳ ୯ଟା ୫୦ମିନିଟ୍‌ ସମୟରେ ନବୀନ ନିବାସରୁ ବାହାରିବେ । ଏହାର ୫ ମିନିଟ୍‌ ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପହଞ୍ଚି ୧୦ଟାରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରିବେ । ୧୧ଟା ୧୦ ମିନିଟ୍‌ରେ ସେ ବାରିପଦା ସବ୍‌ଡିଭିଜନ ଅଧୀନ ରାସଗୋବିନ୍ଦପୁର ବ୍ଲକ ଟିକପଦାସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ଠାରେ ଓହ୍ଲାଇ ସୁବର୍ଣ୍ଣରେଖା ଅତିରିକ୍ତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାରି ସେ ୧୨ଟାରେ ହେଲିକପ୍ଟର ଯୋଗେ ଆସି ୧ଟା ୧୦ ମିନିଟ୍‌ ସମୟରେ ନବୀନ ନିବାସରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଏହି ଗସ୍ତରେ ସାମିଲ ହେବେ । ଏୟାରପୋର୍ଟ ଅଥରିଟିଙ୍କୁ କୋଭିଡ୍‌ ନିୟମ ମାନିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଫେରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୟୂରଭଞ୍ଜ ଜିଲାର ସମସ୍ତ ଏମ୍‌ପି, ଏମ୍‌ଏଲ୍‌ଏ, ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିମନ୍ତ୍ରଣ କରିବା ପାଇଁ କୁହାଯାଇଛି । ସେଠାରେ ହେବାକୁ ଥିବା ସାଧାରଣ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସ୍ୱାଗତ ଭାଷଣ ଦେବେ । ଏହାପରେ ବିଧାୟକ ସୁଦାମ ମରାଣ୍ଡି, ବିଧାୟକ ରାଜକିଶୋର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ଶେଷରେ ଜିଲ୍ଲାପାଳ ଧନ୍ୟବାଦ ପ୍ରସ୍ତାବ ରଖିବେ ।

Leave A Reply

Your email address will not be published.

error: Content is protected !!