ଇଲେକ୍ଟ୍ରିକ ଆଇରନ ସଟ ସର୍କିଟରୁ ୨ ଦୋକାନ ଭସ୍ମୀଭୁତ

କଂଟାବାଂଜି, (ମନୀଶ କୁମାର ହଂସ) : ବୁଧବାର ବିଳମ୍ବିତ ରାତିରେ ମେନ ରୋଡରେ ଥିବା ଡେ- ଲାଇଟ ଟେଲର ଦୋକାନରେ ଇଲେକ୍ଟ୍ରି ଆଇରନ ସଟ ସର୍କିଟ ହୋଇ ଦୁଇଟି ଦୋକାନ ସଂପୂର୍ଣ୍ଣ ଜଳି ଭସ୍ମୀଭୁତ ହୋଇଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ କାଳି ବିଲମ୍ବିତ ରାତି ପ୍ରାୟ ୨ଟା ସମୟରେ ଡେଲାଇଟ ଟେଲର ଦୋକାନୀ ସରୋଜ ମେହେର ନିଜ ଇଲେକ୍ଟ୍ରି ଆଇରନକୁ ଅନ କରି ଭୁଲରେ ରାତିରେ ଘରକୁ ଚାଲି ଯାଇଥିଲେ । ଫଳରେ ରାତିରେ ବିଦ୍ୟୁତ୍‌ ସରବରାହ ଯୋଗୁଁ ଭୋଲଟେଜ ଅପ୍‌ଡାଉନ ହୋଇ ବିଦ୍ୟୁତ୍‌ ସଟସର୍କିଟ ହୋଇ ଟେଲର ଦୋକାନରେ ନିଆଁ ଲାଗିବାପରେ ପଡୋଶି ଗିରିଶ ବେହେରାର ରୋୟଲ ଫେସନ କପଡା ଦୋକାନକୁ ମଧ୍ୟ ନିଆଁ ବ୍ୟାପି ଯାଇ ଦୁଇ ଦୋକାନ ସଂପୂର୍ଣ୍ଣ ପୋଡି ଭସ୍ମୀଭୁତ ହୋଇଯାଇଛି । ରାତିରେ ନିକଟସ୍ଥ ଲୋକେ ନିଆଁ ଲାଗିବାର ଯାଣିବା ପରେ ଲିଭାଇବା ପାଇଁ ଲୋକେ ଦୁଇ ଘଂଟା ଯାଏ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଦୋକାନ ଦୁଇଟି ପୋଡି ଛାରଖାର ହୋଇଯାଇଥିଲା । ଏହା ଆଗରୁ ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ସେମାନେ ଫୋନକୁ ଉଠାଇ ନ ଥିଲେ । ପରେ ସ୍ଥାନୀୟ କିଛି ବ୍ୟକ୍ତି ଅଗ୍ନିଶମ ବିଭାଗ ଅଫିସକୁ ଯାଇ ରାତିରେ ଉଠାଇଥିଲେ । ଏହା ପରେ ଅଗ୍ନିଶମ କର୍ମଚାରୀ ଆସିବା ମଧ୍ୟରେ ଦୋକାନ ଦୁଇଟି ଧୁଲିସାତ୍‌ ହୋଇସାରିଥିଲା । ନିଆଁରେ ପୋଡି ଥିବା ଗିରିଶ ବେହେରାଙ୍କ ରୋୟଲ ଫେସନ କପଡା ଦୋକାନର ପ୍ରାୟ ୫ ଲକ୍ଷ ଟଙ୍କାର କପଡା ପୋଡି ଯାଇଥିବା ବେଳେ ଡେଲାଇଟ ଟେଲରର ୩ଟି ମେସିନ ସହ ଶତାଧିକ ଲୋକଙ୍କ ନୂତନ ସିଲାଇ ଥିବା ପେଣ୍ଟ ସାର୍ଟ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ କଂଟାବାଂଜି କାର୍ଯ୍ୟାଳୟର କୌଣସି ସ୍ଥାୟୀ ଫୋନ ନଂବର ନ ଥିବାରୁ ଅଂଚଳର ଜନସାଧାରଣ କୌଣସି ଅଘଟଣ ଖବର ଯଥା ଶୀଘ୍ର ଦେଇ ପାରୁ ନ ଥିବାରୁ ସ୍ଥାୟୀ ଫୋନ ନଂବର ପାଇଁ ଦାବୀ କରୁଛନ୍ତି । ଏହି ଘଟଣାର ଅନୁସଂଧାନ ପାଇଁ ଗୁରୁବାର ସକାଳୁ ସ୍ଥାନୀୟ ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ଆସି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ନିଆଁରେ ପୋଡିଥିବା ଦୁଇ ଦୋକାନୀଙ୍କୁ ସରକାରୀ ସାହାଯ୍ୟ ପାଇଁ ବୁଦ୍ଧିଜୀବୀ ମହଳରୁ ଦାବୀ କରାଯାଇଛି ।

Leave A Reply

Your email address will not be published.