ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ୧୪ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଶୁ ଦିବସରେ ନିଜ ଶିକ୍ଷା ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇ ଶିକ୍ଷକ ନିଯୁକ୍ତି ଦାବୀ କରି ଆନ୍ଦୋଳନକୁ ଓହ୍ଲାଇବା ଘଟଣା ବହୁଳ ଭାବରେ ଚର୍ଚ୍ଚାର ବିଷୟ ହୋଇଛି । ଇନ୍ଦ୍ରାବତୀ ବହୁମୁଖି ପ୍ରକଳ୍ପ ଓଡ଼ିଶା ମାଟିକୁ ବିଜୁଳି ଓ କଳାହାଣ୍ଡି ମାଟିକୁ ଚିରହରିତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାରଜୀ ଦେଶାଇ ଭିତ୍ତି ପ୍ରସ୍ତର ଦେଇଥିଲେ । ପ୍ରକଳ୍ପ ଆରମ୍ଭ ସାଙ୍ଗକୁ ସଂପୃକ୍ତ ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନ ବ୍ୟବସ୍ଥାର ସାମୁହିକ ବିକାଶ ପାଇଁ ପ୍ରକଳ୍ପ ଚୁକ୍ତିବଦ୍ଧ ହେଲା । ତଦନୁଯାୟୀ ୧୯୮୨/୮୩ ଶିକ୍ଷା ବର୍ଷରୁ ପ୍ରଭାବିତ ମାନଙ୍କ ଶିକ୍ଷାର ବିକାଶ ପାଇଁ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟ ଆରମ୍ଭ ହୋଇ ବେଶ୍ ଖ୍ୟାତି ଅର୍ଜନ କଲା । କିନ୍ତୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ କୋଟି କୋଟି ତାଙ୍କର ରାଜସ୍ୱ ପାଇବା ବେଳକୁ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ିବାକୁ ବସିଲା । ସମୟ ସ୍ରୋତରେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ୨୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟଜଣେ ସହକାରୀ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ଚାଲୁଥିବା ଭଳି ଦୁର୍ଭାଗ୍ୟ ଜନକ ସ୍ଥିତି ଉତ୍ପନ୍ନ ହୋଇ ସାରିଛି । ଇତି ମଧ୍ୟରେ ଜଣେ ହିନ୍ଦୀ ଶିକ୍ଷକ ଅସ୍ଥାୟୀ ଭାବରେ ସପ୍ତାହକୁ ୩ ଦିନ ଶିକ୍ଷାଦାନ ଦେଉଥିବା ସୂଚନା ମିଳିଛି । ଘଟଣା ଯଦି ସତ୍ୟ ତାହା ହେଲେ ଏହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନୁଷ୍ଠାନକୁ ଭଲ ପାଇ ଶିକ୍ଷାରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୁର୍ବିସହ ହେବାପରେ ଆଜି ଭଳି ପବିତ୍ର ଦିନରେ ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବା ଘଟଣା ସାମୟିକ ଭାବରେ ପ୍ରଶାସନରେ ନିଦ ହଜାଇ ଦେଇଛି । ଘଟଣାସ୍ଥଳରେ ଜୟପାଟଣା ବିଡିଓ ଧର୍ମରାଜ ମାଝୀ, ବିଇଓ ପ୍ରେମ ନାରାୟଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଷୀ ପ୍ରମୁଖ ଆସନ୍ତା ସୋମବାର ସୁଦ୍ଧା ୫ ଜଣ ଶିକ୍ଷକଙ୍କୁ ଅସ୍ଥାୟୀ ନିୟୋଜନ ପାଇଁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଦ୍ଵାରା ଏହି ଉଚ୍ଚ ବିଦ୍ୟାଳୟ ପରିଚାଳିତ ହୋଇ ଆସୁଥିବା ବେଳେ ଗତ ୨୦୨୨ ମସିହାରୁ ଜଳ ସମ୍ପଦ ବିଭାଗ ହାତରେ ପରିଚାଳନା ଭାର ରହି ଆସିଛି । ଏବେ ବିଦ୍ୟାଳୟ ୫ଟି ମାନ୍ୟତା ପାଇଥିବା ବେଳେ ଶିକ୍ଷକ ନିଯୁକ୍ତିକୁ ଜଳ ସମ୍ପଦ ବିଭାଗ ଅଗ୍ରାଧିକାର ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।