ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନୁରୋଧ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋୟର ସୁକତେଲ ବୁଡି ଅଂଚଲରେ ସରକାରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ସୂଚନା ଅନୁ୍ଯାୟୀ, ଲୋୟର ସୁକତେଲ ବୁଡି ଅଂଚଲରେ ଯାଉଥିବା ଗଡଶଙ୍କର ଡୁଙ୍ଗୁରିପାଲି ପଂଚାୟତର ଗଡଶଙ୍କର ଡୁଙ୍ଗୁରିପାଲି, ବନଛୋରପାଲି, ବିଜାପାଟି, ରେଙ୍ଗାଳି ପଂଚାୟତର କୁମିଆପାଲି, ପୋଢମୁଣ୍ଡା, ଅନ୍ତପାଲି ଓ ମାଗୁରବେଡା ପଂଚାୟତର ପରଧିଆପାଲି ଓ କଇଣ୍ଡାପାଲି ମୋଟ ୮ ଟି ଗାଁ ର ୫୪୨ ଜଣ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି । ଏନେଇ ପୂର୍ବରୁ ଗଡଶଙ୍କର ଡୁଙ୍ଗୁରିପାଲି ସରପଂଚ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଲିଖିତ ଅଭିଯୋଗ କରିଥିଲେ । ଏହାସହ ମାନ୍ୟବର ଓଡିଶା ହାଇକୋର୍ଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ସେହିପରି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଥିଲେ । କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳି ନଥିବା ଜଣାଯାଇଛି । ପ୍ରକାଶ ଥାଉକି, ଲୋଇସିଂହା ବ୍ଲକର ଦୁର୍ଗମ ଅଂଚଳ ଭାବେ ପରିଚିତ ଏହି ୩ ପଂଚାୟତରେ ବହୁ ଗରିବ ପରିବାର ରହୁଛନ୍ତି । ଏପରିକି ସେମାନେ ଯୋଗ୍ୟ ହିତାଧିକାରୀ ଭାବେ ସରକାରୀ ଆବାସ ଯୋଜନାରେ ସାମିଲ ହେବାକୁ ଚିହ୍ନଟ ହୋଇ ସାରିଛନ୍ତି । କିନ୍ତୁ ପ୍ରସାସନର ଅବହେଳା ଯୋଗୁଁ ଉକ୍ତ ୫୪୨ ହିତାଧିକାରୀ ଅଦ୍ୟାବଧି ଆବାସ ଯୋଜନାରୁ ବାଦ ପଡିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରି ଆବାସ ଘର ଯୋଗାଇ ଦେବାକୁ ପୁର୍ବତନ ଲୋଇସିଂହା ବ୍ଲକ ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପଧାନ ଦାବୀ କରି ଆସୁଛନ୍ତି । ଏନେଇ ଶ୍ରୀ ପଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ ଫୋନ ଯୋଗେ ଅନୁରୋଧ କରିଛନ୍ତି । ତେବେ ଖୁବଶୀଘ୍ର ଉକ୍ତ ଅଭିଯୋଗ ଉପରେ ଲୋଇସିଂହା ବିଡିଓଙ୍କୁ ଯୋଗାଯୋଗ କରି ବ୍ୟବସ୍ଥା କରାଯିବ ବୋଲି ପାଣ୍ଡଆନ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପଧାନ କହିଛନ୍ତି ।

Leave A Reply

Your email address will not be published.