ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ

  • ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉ
    ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରଠାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଦୈତ୍ୟ ନାରାୟଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୁବର୍ଣ୍ଣପୁର ଏବଂ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଉମାକାନ୍ତ ନାଗ, ସମ୍ମାନିତ ଅତିଥିଭାବେ ଡ.ମନୋଜ କୁମାର ଅଦାବର, ଜନସ୍ୱାସ୍ଥ୍ୟ ଅଧିକାରୀ, ଡ.ରମେଶ ଚନ୍ଦ୍ର ସ୍ୱାଇଁ, ଏଡିପିଏଚ ଓ (ରୋଗ ନିୟନ୍ତ୍ରଣ), ଡ.ପ୍ରକାଶ ଦଣ୍ଡସେନା, ମେଡିକାଲ୍‌ ଅଫିସର୍‌, ଆଇସିଟିସି, ବିଶ୍ୱମ୍ବର ବେହେରା, ଜିଲ୍ଳା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରମୁଖ ମଂଚାସୀନ ଥିଲେ । ଚଳିତ ବର୍ଷ ନିମନ୍ତେ ଆଜି ଦିନର ବାର୍ତ୍ତା ଗୋଷ୍ଠୀ ସମୂହକୁ ନେତୃତ୍ୱ ଦେବା ବ୍ୟକ୍ତି ବିଶେଷ ହେଉ ଅଥବା ଗୋଷ୍ଠୀ ଗତ ହେଉ ଆମେ କେବେବି ରୋଗୀକୁ ନୁହେଁ ରୋଗକୁ ଘୃଣା କରିବା । ପ୍ରତ୍ୟକ ସ୍ତରରେ ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ ପୂର୍ବକ ସଂକଳ୍ପ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ । ଆମେ ସମସ୍ତେ ନୈତିକତାର ସହ ସମଭାବପନ୍ନ ଚିନ୍ତା ପୋଷଣ ପୂର୍ବକ କାର୍ଯ୍ୟ କଲେ ଏହି ରୋଗକୁ ସମାଜରୁ ହ୍ରାସ କରିବା ସହ ଜଣେ ରୋଗୀ ସମାଜରେ ନିସଙ୍କୋଚରେ ବଂଚିବାକୁ ଆଗ୍ରହ ପ୍ରକାଶ କରିପାରିବ । ସଭା ପ୍ରାରମ୍ଭରେ ଦିବସ ପରିପ୍ରେକ୍ଷୀରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଦୈତ୍ୟନାରାୟଣ ପାଢ଼ୀ ଦିବସ ପାଳନର ତାତ୍ପର୍ଯ୍ୟ କହିବା ସହ ଉପସ୍ଥିତ ସମସ୍ତଙ୍କୁ ଏଡ଼୍‌ସ୍‌ ବିରୁଦ୍ଧରେ ସାମୂହିକ ସଂଗ୍ରାମ କରିବାକୁ ପରାମର୍ଶ ଦେଇଥିଲେ । ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସୋନପୁର ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସରକାରୀ ନର୍ସିଙ୍ଗ୍‌ ସ୍କୁଲ୍‌, ବିଜୁପଟ୍ଟନାୟକ ନର୍ସିଙ୍ଗ୍‌ ସ୍କୁଲ୍‌, ସୋନପୁର ନର୍ସିଙ୍ଗ୍‌ ସ୍କୁଲ୍‌, ସୋନପୁର କଲେଜ୍‌ ଅଫ୍‌ ନର୍ସିଙ୍ଗ୍‌ଙ୍କୁ ମଧ୍ୟ ଅଂଶ ଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ସଭା ସଂଯୋଜନା କରିଥିବା ବେଳେ ବୃନ୍ଦାବନ ସାହୁ, ଏଡିପିଏଚ୍‌ସିଓ ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟ ଓ ନର୍ସିଙ୍ଗ୍‌ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ମନଛୁଆଁ ସଚେତନତା ମୂଳକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଡ଼୍‌ସ୍‌ ସଚେତନତା ନିମନ୍ତେ ଆୟୋଜିତ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିବା ସହ ଜିଲ୍ଲା ରକ୍ତଭଣ୍ଡାରଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ ଓ ପରେ ପରେ ସଚେତନତା ନିମନ୍ତେ ସାମୂହିକ ଦସ୍ତଖତ ଅଭିଯାନରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧିକ୍ଷକ ତଥା ଉପସ୍ଥିତ ସମସ୍ତ ଅଧିକାରୀ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ସ୍ୱାସ୍ଥ୍ୟକର୍ମୀ ମହିଳା ତାଲିମ୍‌ କେନ୍ଦ୍ରଠାରେ ସମସ୍ତ ନର୍ସିଙ୍ଗ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଡ.ରମେଶ ଚନ୍ଦ୍ର ସ୍ୱାଇଁ ଓ ସ୍ୱାସ୍ଥ୍ୟକର୍ମୀ ମହିଳା ତାଲିମ୍‌ କେନ୍ଦ୍ର ଅଧ୍ୟକ୍ଷା କନକଲତା ବେହେରାଙ୍କ ଉପସ୍ଥିତିରେ ଜିଲ୍ଲାର ଏଡ଼୍‌ସ୍‌ ରୋଗୀଙ୍କୁ ସମବେଦନା ନିମନ୍ତେ ଏକ ଫ୍ଲାସ୍‌ ଲାଇଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲା ସମନ୍ୱିତ ପରାମର୍ଶଦାତା ତଥା ଜିଲ୍ଳା ପରିଦର୍ଶକ ଶ୍ରୀ ସୁଦାମ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ସନ୍ତୋଷ ସାହୁ ଡିଆର୍‌ସି, ଜ୍ଞାନ ରଞ୍ଜନ ସାହୁ ଆଇସିଟିସିଏଲ୍‌ଟି ତଥା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
Leave A Reply

Your email address will not be published.