oom

ବନ୍ଦ ରହିଥିବା ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ପାଇଁ ବିକ୍ଷୋଭ ଓ ଦାବୀପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ହଜାର କୋଟି ଟଙ୍କା ବଜେଟ୍‌ର ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ କାମ ୨ ବର୍ଷ ଧରି ବନ୍ଦ ରହିଥିବା ବେଳେ ଏହାକୁ ଆରମ୍ଭ କରିବା ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ନେତୃତ୍ୱରେ ଶତାଧିକ ମହିଳାଙ୍କ ସହ କାର୍ଯ୍ୟକର୍ତ୍ତାଗଣ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବୀପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ୫୧୦୦୦ ହେକ୍ଟର ଚାଷ ଜମିରେ ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର କୃଷକମାନେ ଲାଭ ପାଇପାରିବେ ତଥା ପିଇବା ପାଣିର ସୁବିଧା, ଭୂତଳ ପାଣିର ସୁବିଧା, ସବୁଜ ପରିବେଶ ଆଦି କ୍ଷେତ୍ରରେ ବିଶେଷ ସୁଯୋଗ ହାସଲ୍‌ କରି ପାରିବେ । ବଲାଙ୍ଗିର ଏବଂ ସୋନପୁରକୁ ଲୋୟର ସୁକତେଲର ଭାତ ହାଣ୍ଡି ହୋଇପାରିବ ଯେପରି କଳହାଣ୍ଡିରେ ଇନ୍ଦ୍ରାବତୀ ଏବଂ ସମ୍ବଲପୁର ବରଗଡରେ ହୀରାକୁଦ ଜଳ ସେଚନ ଭାତ ହାଣ୍ଡି ସାଜିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋୟର ସୁକତେଲ ପ୍ରକଳ୍ପ ଭିତ୍ତିପ୍ରସ୍ତର ୨୦୦୦ ମସିହାରେ ସ୍ଥାପନ କରାଯାଇ ଆଜିର ଦିନରେ ୪,୦୦୦ କୋଟି ଟଙ୍କାର ବଜେଟ ଏହି ପ୍ରକଳ୍ପ ପାଇଁ ଲୋୟର ସୁକତେଲ ଜମାଖାତାରେ ପଡି ରହିଛି । କୁହାଯାଉଛି ଯେ, ଶହେ କୋଟି ଟଙ୍କାର ଦୂର୍ନିତୀ ଏହି ପ୍ରକଳ୍ପରେ ହୋଇଛି । ବିସ୍ତାପିତଙ୍କୁ ଘର ସୁବିଧା ଦେବା ପାଇଁ ପ୍ରତ୍ୟେକ ବିସ୍ତାପିତଙ୍କୁ ୬ ଲକ୍ଷ ଟଙ୍କା ଦେବାର ନିୟମ ହେବା ସତ୍ତେ୍ୱ କେବଳ ମାତ୍ର ୨ ଲକ୍ଷ ଟଙ୍କା ଘର ପାଇଁ ବିସ୍ତାପିତଙ୍କୁ ଦେଇ ଏ ପର୍ଯ୍ୟନ୍ତ ୧୦% ବିସ୍ତାପିତ ମାନେ ମଧ୍ୟ ସଦେଇପାଲି, ଝାର ବଲାଙ୍ଗିର, ଡୁଡୁକାଶିରା ଏବଂ ଅନ୍ୟ ସ୍ଥାନରେ ପ୍ରକଳ୍ପ ଦ୍ୱାରା ଚିହ୍ନିତ ବିସ୍ତାପିତଙ୍କ ଥଇଥାନ ସ୍ଥାନରେ ଘର ହୋଇ ପାରି ନାହିଁ । ୨୦୧୩ ଭୁମି ଅଧିଗ୍ରହଣ ନିୟମକୁ କୁହାଯାଉଛି ଯେ, ଉଚ୍ଚତମ ନ୍ୟାୟଳୟ ବର୍ତ୍ତମାନ ସମୟରେ ବିସ୍ତାପିତଙ୍କୁ କ୍ଷତିପୂରଣ ଦେବା ପାଇଁ ନାହିଁ କହିବାରୁ ବଲାଙ୍ଗିର ଜିଲ୍ଲାର ବିଧାୟକ ନରସିଂହ ମିଶ୍ର ଏହାର ସମାନତା କ୍ଷତିପୂରଣ ଦେବା ପାଇଁ ଦାବୀ କରିଛନ୍ତି ଏବଂ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରୟଣ ସିଂଦେଓ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିବା ପରେ ୨/୩ ମାସ ତଳେ ଭୁବନେଶ୍ୱରରୁ ଜଳ ସେଚନ ବିଭାଗ ଅଧିକାରୀ ଆସି ଡ୍ୟାମ ସାଇଟକୁ ନିରୀକ୍ଷଣ କରିବା ପରେ ଲୋୟର ସୁକତେଲ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଉକ୍ତ ଅଂଚଳରେ ଥିବା ସଂସ୍ଥା କ୍ଷତିପୂରଣ ତଥା ଥଇଥାନ ନ ହେବା ପର୍ଯ୍ୟନ୍ତ କାମ ଆରମ୍ଭକୁ ବିରୋଧ କରିଛନ୍ତି । ଭିଲେଜର୍ସ ଇଣ୍ଡିଆ ପାର୍ଟି ବିସ୍ତାପିତଙ୍କୁ ଉଚିତ୍‌ ଥଇଥାନ, କଲୋନୀ ଘର ନିର୍ମାଣ, ଜଙ୍ଗଲ କ୍ଷତିପୂରଣ, ବି-ଫର୍ମ ବନବାସୀଙ୍କ ଥଇଥାନ, ଡ୍ୟାମରେ ପ୍ରତ୍ୟେକ ବିସ୍ତାପିତଙ୍କୁ ଖଣ୍ଡିଏ ଚାକିରୀର ବ୍ୟବସ୍ଥା, ୨୦୧୩ ଭୁମି ଅଧିଗ୍ରହଣ ସମାନତା ନିୟମରେ ସମସ୍ତ ବିସ୍ତାପିତଙ୍କୁ କ୍ଷତିପୂରଣ ଦେଇ ଅତିଶୀଘ୍ର ବନ୍ଦ ରହିଥିବା ପ୍ରକଳ୍ପକୁ ପ୍ରାରମ୍ଭ କରିବା ପାଇଁ ଦାବୀ କରିଛି ।

jittmm
Leave A Reply

Your email address will not be published.