centurian jitm

ମେଧାବୀ ଛାତ୍ରୀ ବନିତାଙ୍କୁ ଉଚ୍ଚଶିକ୍ଷା ଗ୍ରହଣରେ ସହାୟକ ହେଲେ ବିକାଶ ଗୃପ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ସପ୍ତାହରେ ଆର୍ଥିକ ଅସୁବିଧା ଯୋଗୁଁ ପଦ୍ମପୁର ଉପଖଣ୍ଡ ସରେଇକେଲା ଗାଁର ଯୁକ୍ତ ୨ ପାସ କରିଥିବା ମେଧାବୀ ଛାତ୍ରୀ ବନିତା ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ନେଇ ଖବର ପ୍ରକାଶିତ ହୋଇଥିଲା । ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ବରଗଡ ଜିଲାପାଳଙ୍କ ମାଧ୍ୟମରେ ବନିତାଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବରଗଡର ପ୍ରତିଷ୍ଠିତ ବିକାଶ ଗୃପର ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ବିକାଶ ଡିଗ୍ରୀ କଲେଜର ନିର୍ଦ୍ଦେଶକ ଡି.ନାଗେଶ୍ୱର ରାଓ ଉଦାରତା ପ୍ରକାଶ କରି ନିଜେ ବନିତାଙ୍କୁ ବରଗଡ ସ୍ଥିତ ବିକାଶ ଡିଗ୍ରୀ କଲେଜରେ ମାଗଣାରେ ଯୁକ୍ତ ତିନି ପଢାଇବାକୁ ଆଗ୍ରହ ପ୍ରକାଶ କରି ଗତ ୨୨ ଦିନ ବରଗଡକୁ ଡାକିଥିଲେ । ସମାଜସେବୀ ଡଃ ସୁସ୍ମିତା ଦାସ ନିଜେ ବନିତାଙ୍କୁ ବିକାଶ ଡିଗ୍ରୀ କଲେଜକୁ ନେଇ ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରାଇଥିଲେ । ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ଅତ୍ୟନ୍ତ ଖୁସି ପ୍ରକଟ କରି ବନିତାଙ୍କୁ ହଷ୍ଟେଲ ଓ କଲେଜ କ୍ୟାମ୍ପସ ବୁଲି ଦେଖାଇଥିଲେ ଓ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲରେ ରହିବା, ଖାଇବା ଓ ପଢିବାର ସମସ୍ତ ସୁବିଧା କରିବେ ବୋଲି କହିଛନ୍ତି । ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବହିପତ୍ର, ପୋଷାକ ଆଦି ସବୁ ଦାୟିତ୍ୱ ଡଃ ସୁସ୍ମିତା ଦାସ ନିଜେ ବହନ କରିବେ ବୋଲି ବନିତାଙ୍କୁ କହିଛନ୍ତି । ଡଃ ସସ୍ମିତା ଦାସଙ୍କ ପ୍ରଚେଷ୍ଟା ଓ ବିକାଶ ଗୃପର ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଓ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓଙ୍କ ଉଦାରତା ଫଳରେ ଘରୋଇ ବିକାଶ ଡିଗ୍ରୀ କଲେଜ ଭଳିଆ ଉନ୍ନତ ଶିକ୍ଷା ପ୍ରଦାନ କରୁଥିବା ପ୍ରତିଷ୍ଠିତ ଘରୋଇ କଲେଜରେ ମେଧାବୀ ଛାତ୍ରୀ ବନିତା ପଢି ନିଜ ସ୍ୱପ୍ନ ସାକାର କରିପାରିବ । ଡଃ ସସ୍ମିତା ଦାସ, ଡି. ମୁରଲୀ କ୍ରିଷ୍ଣା ଏବଂ ଡି. ନାଗେଶ୍ୱର ରାଓଙ୍କ ଶୁଭାଶୀର୍ବାଦ, ମହତ ପଣିଆ ଓ ଉଦାରତା ପାଇଁ ବନିତା ଓ ତାଙ୍କ ପରିବାରବର୍ଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ବିକାଶ ଗୃପ୍‌କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.