ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳ ସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ମାସରୁ ଅଧିକ ଦିନ ତଳେ ନିଖୋଜ ଥିବା ଗ୍ରାମର ବିମ୍ବାଧର ମହାକୁଡ (୩୦)ଙ୍କ ଶବ ଆଜି ଡମ୍ବରୁ ଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ ମାସେ ତଳେ କଙ୍କଲା ଗ୍ରାମର ବିମ୍ବାଧର ମହାକୁଡ ନିଖୋଜ ହୋଇଥିବା ତାଙ୍କ ବଡ଼ ଭାଇ ବିମଳ ମହାକୁଡ ଓ ପ୍ରତ୍ୟକ୍ଷ ଦର୍ଶୀ ସତ୍ୟବାନ୍ ମହାକୁଡ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଉଁଶୁଣୀ ପୋଲିସ୍ ଅଭିଯୋଗକୁ ପଂଜିକୃତ କରି ଚୁପ୍ ବସି ପଡିଥିଲା । ଯେଉଁ ମାନଙ୍ଙ୍କ ସହିତ ନିଖୋଜ ଦିନ ବିମ୍ବାଧର ମହାକୁଡ ଥିଲେ ସେ ସମ୍ପର୍କରେ ସୁଚନା ଦେଇଥିଲେ ମଧ୍ୟ ମାମଲା ଉପରେ ପୋଲିସ କୌଣସି ଗୁରୁତ୍ତ୍ୱ ଦେଇ ନଥିଲା । ଉଚ୍ଚ କର୍ତୃପକ୍ଷ ଓ ପରିବାର ଲୋକ ବାଉଁଶୁଣୀ ପୋଲିସ୍ ଉପରେ ଚାପ ପକାଇବା ପରେ ମାସେ ପରେ ଗତକାଲି ଅଭିଯୋଗ କାରୀଙ୍କ ସୁଚନା ଆଧାରରେ କଙ୍କଲା ଗ୍ରାମର କାର୍ତ୍ତିକ ନାଏକ ଓ ପାଣ୍ଡବ ମହାକୁଡଙ୍କୁ ଆଣି ଅଟକ ରଖି ପଚରା ଉଚୁରା କରିଥିଲା । ସେମାନଙ୍କ ଠାରୁ ଜେରା ବେଳେ ମିଳିଥିବା ତଥ୍ୟ ଓ ସେମାନଙ୍କ ଚିନ୍ହଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ନଦୀ ବାଲି ଖୋଳା ଯିବା ପରେ ବିମ୍ବାଧରର ଗଳିତ ଶବ ମିଳିଥିବା ସୂଚନା ମିଳିଛି । ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁଁ ବୌଦ୍ଧ ଡାକ୍ତରଖାନା ଆଣିଥିବା ବେଳେ ଉଭୟଙ୍କୁ ଅଟକ ରଖିଛି । ବିଦ୍ୟୁତ୍ ତାର ଟାଣି ବାରହା ଶିକାର କରୁଥିବା ବେଳେ ଅସାବଧାନତା ବଶତଃ ଅନ୍ଧାରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିମ୍ବାଧର ମ୍ରୁତ୍ୟୁ ବରଣ କରିଥିବା ପୋଲିସକୁ ପ୍ରାରମ୍ଭିକ ତଦନ୍ତରୁ ସୁଚନା ମିଳିଛି । ଘଟଣାକୁ ଲୋକ ଲୋଚନକୁ ନ ଆଣିବା ପାଇଁ ଉଭୟେ ମିଶି ମହାନଦୀ ବାଲିରେ ପୋତି ଦେଇଥିବା ପୋଲିସ୍ ଆଗରେ କହିଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।