ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ : ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍‌ ପରିସରରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ପାଣ୍ଡବ ସାହୁ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ରାମପ୍ରସାଦ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ବଲାଙ୍ଗିର ଉପ ଜିଲ୍ଲାପାଳ ସୁଧାକର ନାୟକ, ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରି ସେଗୁଡ଼ିକର ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଖର୍ଚ୍ଚ ନ ହୋଇ ବକେୟା ଥିବା ପାଣ୍ଠିର ସୁବିନିଯୋଗ କରି ଯଥାଶୀଘ୍ର ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଡ଼ି ଡିଆର୍‌ଡିଏ ଡ. ସ୍ୱାଇଁ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ବୈଠକରେ ତା୨୭/୮/୨୦୧୯ରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ପ୍ରସ୍ତାବିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅନୁପାଳନ ସଂପର୍କରେ ଆଲୋଚନା ହୋଇ ଏହାର ଦୃଢ଼ିକରଣ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ଧାନ ସଂଗ୍ରହ ଉପରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ସବିଶେଷ ଆଲୋଚନା ହେବ ସହ ଚାଷୀମାନଙ୍କର ସମସ୍ୟା ଯେପରି ଦୂରୀଭୂତ ହୋଇପାରିବ, ତାକୁ ତଦାରଖ କରି ପଦକ୍ଷେପ ଗ୍ରହଣ କରାଯିବା ଉପରେ ଆଲୋଚନା ହୋଇଥିଲା । ବୈଠକରେ ପଂଚଦଶ ଅର୍ଥ କମିଶନ ଅନାବଦ୍ଧ / ଆବଦ୍ଧ ଓ ରାଜ୍ୟ ପଂଚମ ଅର୍ଥ କମିଶନ ଅନୁଦାନର ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ ଏହାର ଅନୁମୋଦନ କରାଯାଇଥିଲା । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିୀଭାଗର ଆଲୋଚନା ହୋଇଥିଲା । ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଏକ ମଡ଼ୁଲାର୍‌ କିଚେନ, ବିଶ୍ରାମ ସ୍ଥଳୀର ପ୍ରସ୍ତାବ ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ କୋଭିଡ଼ ପରିଚାଳନ, କୋଭିଡ଼ ସ୍ଥିତି ଏବଂ କୋଭିଡ଼ ଟୀକାକରଣ ସଂପର୍କରେ ଆଲୋଚନା ହୋଇଥିଲା । ଏତଦ୍‌ ବ୍ୟତୀତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଖାଲିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଯେଉଁ ସ୍ଥାନ ମାନଙ୍କରେ ଜଳଯୋଗାଣ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଇଛି ସେହି ସ୍ଥାନ ମାନଙ୍କରେ ଗ୍ରାମବାସୀଙ୍କୁ ଯଥାଶୀଘ୍ର ଜଳ ଯୋଗାଣ କରିବା, ଅଚଳ କିମ୍ବା କାର୍ଯ୍ୟକ୍ଷମ ନଥିôା ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସଂପର୍କରେ ଜିଲ୍ଲା ପରିଷଦକୁ ଅବଗତ କରିବା ଉପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ପ୍ରାଥମିକ ଶିକ୍ଷା ଓ ଗଣଶିକ୍ଷା, ଗ୍ରାମ୍ୟ ବିଦ୍ୟୁତକରଣ, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସାମାଜିକ ସୁରକ୍ଷା ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.