ବାଘଛାଲ ଜବତ୍‌ : ଅଭିଯୁକ୍ତ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର୍ ସେକ୍ସନ୍‌ ହରିପୁର ଗ୍ରାମ ଠାରେ ଏକ କଲରା ପତରିଆ ବାଘଛାଲକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ନେଇ ଖଡ଼ିଆଳ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲେ । ବନ କର୍ମଚାରୀ ଗ୍ରାହକ ସାଜି ସେମାନଙ୍କ ସହ ମୁଲଚାଲ କରିବା ସ‌ହ ସମସ୍ତଙ୍କୁ ଗିରଫ କରିଥିଲେ । ଘଟଣାସ୍ଥଳରୁ ବାଘଛାଲ ଜବତ୍ ହୋଇଥିବା ବେଳେ ବାଘକୁ ମାରି ବିକ୍ରି କାରବାରରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି । ବାଘଟି ୪ ବର୍ଷର ହୋଇଥିବା ଅନୁମାନ କରାଯାଉଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରମେଶ ମାଝୀ (୪୦), ଯଦୁ ପହଁରିଆ (୩୧), ଛିନୁ ପହଁରିଆ (୬୦), ପବିତ୍ର ମାଝୀ (୩୯), ତୁଳସୀରାମ ପରାଭୂଇ(୩୫) ବୋଲି ସୂଚନା ମିଳିଛି । ଏନେଇ ଖଡ଼ିଆଳ ବନାଞ୍ଚଳ କାର୍ଯ୍ୟାଳୟରେ ଏକ କେଶ ନମ୍ବର ଙଜ୬୪/୨୦୨୪-୨୫ ରୁଜୁ ହୋଇ ବନଖଣ୍ଡ ଆଇନ ଧାରା ଅଣ୍ଡରସେକ୍ସନ୍‌ ୯, ୩୯, ୪୪, ୪୯(ଏ), ୪୯(ବି) ଆଇନ ବଳରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ଦୁଇ ଗୋଟି ବାଇକ୍, ପାଞ୍ଚ ଗୋଟି ମୋବାଇଲ ଫୋନ୍‌ ଜବତ୍‌ ହୋଇଛି । ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଖଡ଼ିଆଳ ଏସିଏଫ୍‌ ମହମ୍ମଦ ସାଳିହା, ଖଡ଼ିଆଳ ରେଞ୍ଜର ସଂସ୍କୃତି ବଡ ନାୟକ, ଖଡ଼ିଆଳ ଫରେଷ୍ଟର୍‌ କନ୍ଦର୍ପ ସୁନାନୀ, ସାନମହେଶ୍ଵର ଫରେଷ୍ଟର୍‌ ଧର୍ମେନ୍ଦ୍ର ନାୟକ, ଫରେଷ୍ଟଗାର୍ଡ ନରେଶ ଦଣ୍ଡସେନା, ମିତାରାଣୀ ସାହୁ, ପ୍ରସନ୍ନ ହଂସ ପ୍ରମୁଖ ସାମିଲ ଥିଲେ । କଲରାପତରିଆ ବାଘକୁ ମାରି ଛାଲ ବିକ୍ରି ପାଇଁ ଉଦ୍ୟମ ହେଉଥିବା ନେଇ ପଡୋଶୀ ଛତିଶଗଡ଼ ରାଜ୍ୟର ସୀତା ନନ୍ଦୀ ଅଭୟାରଣ୍ୟରୁ ବନବିଭାଗକୁ ଖବର ମିଳିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.