ସୁପରଭାଇଜର ମାନଙ୍କ ବଦଳି ନେଇ ଅସନ୍ତୋଷ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିନ ଲୋଇସିଂହା ସମନ୍ବିତ ଶିଶୁ ବିଭାଗ ପ୍ରକଳ୍ପରେ କାର୍ୟ୍ୟରତ ସୁପରଭାଇଜର ମାନଙ୍କ ବଦଳି ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ କଟକଣା ସମୟରେ ଏଭଳି ବଦଳି ଯୋଗୁଁ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ସୂଚନା ମତେ, ଲୋଇସିଂହା ଆଇସିଡିଏସ.ର ୯ଟି ସେକ୍ଟରରେ ୭ ଜଣ ପ୍ରମୋଟିଭ ଓ ଦୁଇଜଣ ନିୟମିତ ସୁପର ଭାଇଜରଙ୍କୁ ମିଶାଇ ମୋଟ ୯ ଜଣ ସୁପରଭାଇଜର କାର୍ୟ୍ୟରତ । କୌଣସି କଣ୍ଟ୍ରାକ୍ଟଚୁଏଲ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହେବା ପାଇଁ ବାରଣ ଥିବାବେଳେ ଜିଲ୍ଲାପାଳଙ୍କ ଆଦେଶ ନଂ -୧୨୭୫/ତା.୦୭/୦୮/୨୦୨୦ ଅନୁସାରେ ଏଠାରେ କାର୍ୟ୍ୟରତ ସୁପରଭାଇଜରଙ୍କୁ ବଦଳି କରାଯାଇଛି । ବିଭାଗୀୟ ବିରୋଧ ଯୋଗୁଁ ବଦଳି ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ଡେପୁଟେସନ ବାତିଲ ହୋଇଥିବା ବେଳେ ଆଉ ଜଣେ ଅସୁସ୍ଥତା ହେତୁ ନିୟମିତ ବ୍ୟବଧାନରେ ଛୁଟିରେ ରହୁଥିବା ଯୋଗୁଁ ଏଠାକାର କାର୍ୟ୍ୟ ଏକ ରକମ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ଜନୈକା ସୁପରଭାଇଜର କୃଷ୍ଣକୁମାରୀ ମେହେରଙ୍କ ଜାଗାରେ ଭୁବନେଶ୍ୱରରୁ ଏଠାକୁ ଜଣକୁ ବଦଳି ହୋଇଛି । ସମ୍ପୃକ୍ତ ସୁପରଭାଇଜର ଜଣକ ଏଠାରେ ଯୋଗ ନ ଦେଇ ଭୁବନେଶ୍ୱରରେ କାମ କରୁଥିବା ବେଳେ ଲୋଇସିଂହା ଠାରୁ ଦରମା ନେବା ଥୟ ବୋଲି କୁହାଯାଉଛି । ଫଳରେ ଲୋଇସିଂହା ଆଇସିଡିଏସ ଅଧିନ ୧୮୫ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୯ ଟି କେନ୍ଦ୍ରର ୮୫୮ ଜଣ ଗର୍ଭବତୀ ତଥା ୭୪୯ ଜଣ ପ୍ରସୂତୀ ମହିଳା ଏବଂ ପ୍ରାୟ ୮୨୯୫ ଜଣ ଉପକୃତ ଶିଶୁ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବଦଳି ବାତିଲ କରିବା ଦିଗରେ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.