କରୋନାର କରୁଣ କାହାଣୀ : ଆର୍ଥିକ ଅନାଟନରୁ ଦୁଇ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କଲେ

ବାଲେଶ୍ୱର, (କେପିଏନ୍‌ଏସ୍‌) : କରୋନା ଧ୍ୱଂସ କରିଦେଇଛି ଜୀବନ ଜୀବିକା । କିଏ ଗ୍ରୁପ୍‌ ଲୋନ୍‌ ନେଇ ହଇରାଣ ହେଉଛି ତ’ କିଏ ହାତ ଉଧାରି ନେଇ ସାମ୍ନା କରୁଛି ଦୁର୍ଦ୍ଦଶା । ଏମିତି ଅଭାବ ଅନାଟନକୁ ସାମ୍ନା କରି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ପୁଡ଼ାଡ଼ିହି ଗାଁରେ କାଶୀନାଥ ରାଉଳ ଏବଂ ତାଙ୍କ ସ୍ତ୍ରୀ କନ ରାଉଳ ଆତ୍ମାହତ୍ୟା କରିଥିବା ଖବର ସାରା ବାଲେଶ୍ୱର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଦୁଇ ପୁଅ ଓ ଗୋଟିଏ ଝିଅର ମା’ ବାପା ଆର୍ଥିକ ଅବ୍ୟବସ୍ଥାରେ ଆଉ ଜୀବନ ଧରିବାକୁ ଚାହିଁଲେନି । ସୂଚନା ଅନୁସାରେ ଲକ୍‌ଡାଉନ୍‌ ପରେ ଟ୍ରେନ୍‌ ଚାଲିବା ବନ୍ଦ ହୋଇଯିବାରୁ କାଶୀନାଥଙ୍କ ବେପାର ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ଯାଇଥିଲା । ପରିବାର ଚଳେଇବା ମୁସ୍‌କିଲ୍‌ ହୋଇ ପଡ଼ିଥିଲା । ପୁଅ ଦୁଇଟି ଅଲଗା ରହୁଥିବା ବେଳେ ଝିଅ ବାହା ହୋଇ ସାରିଛି । ଏଭଳି ଅବସ୍ଥାରେ କାଶୀନାଥ ତିନି ଚାରୋଟି ଘରୋଇ ବ୍ୟାଙ୍କରୁ ଋଣ ଆଣିବା ସହ ହାତ ଉଧାରୀ ଟଙ୍କା ବି କିଛି ଆଣିଥିଲେ । କିନ୍ତୁ ବେପାର ସଂପୂର୍ଣ୍ଣ ଠପ୍‌ ହୋଇଯିବା କାରଣରୁ ଋଣ ସୁଝିବା ତାଙ୍କ ପାଇଁ ମୁସ୍‌କିଲ୍‌ ହୋଇ ପଡ଼ିଥିଲା । ଠିକ୍‌ ସମୟରେ ଋଣ ପରିଶୋଧ କରି ନପାରିବାରୁ ବାରମ୍ବାର ଘରୋଇ ବ୍ୟାଙ୍କ ବାଲା ତଥା ହାତ ଉଧାରୀ ଦେଇଥିବା ଲୋକେ ତାଙ୍କୁ ଧମକ୍‌ ଚମକ୍‌ ଦେଉଥିଲେ । ଆଉ ସହି ପାରିଲେନି । ଶେଷରେ ଦୁଇ ସ୍ୱାମୀ ସ୍ତ୍ରୀ ହାତ୍ମହତ୍ୟା କରିଥିବା ସାରା ଅଂଚଳକୁ ସ୍ତବ୍ଧ କରିଦେଇଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ମଧ୍ୟ ପୋଲିସ ପକ୍ଷରୁ ସଠିକ୍‌ ଜଣାପଡ଼ିନାହିଁ ।

Leave A Reply

Your email address will not be published.