ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲା ପ୍ରକଳ୍ପ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍କିଟ ଚାଷ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଏକର ଜଗାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭି କୀର୍ତ୍ତ ଭାଶନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପାଲୁରୁଗଡ଼ ଡାଳଖାଇ ମନ୍ଦିର ନିକଟସ୍ଥ ଅର୍କିଟ ଫୁଲ ଚାଷ ହେଉଥିବା ସ୍ଥାନ ପରିଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଣୀ ସୁକାନ୍ତ ପଟ୍ଟନାୟକ, ବିଡ଼ିଓ ଜସ୍ମିନ ପ୍ରଧାନ, ଡିପିଏମ୍‌ ନବୀନ ସେନାପତି, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତମାନ ଫୁଲ ଗଛରେ ଫୁଲ ଫୁଟିବାକୁ ଆହୁରି ତିନି ମାସରୁ ଅଧିକ ସମୟ ଲାଗିବ ବୋଲି ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀ ପକ୍ଷରୁ କୁହାଯାଇଛି । ସେଠାରେ ବିଭିନ୍ନ ରଙ୍ଗର ଅର୍କିଟ ଫୁଲ ଗଛ ଲଗାଯାଇଛି । ଏହି ଗଛ ପ୍ରାୟତଃ ଥାଇଲାଣ୍ଡରୁ ଅଣାଯାଇଥାଏ । ଗୋଟିଏ ଗଛର ମୂଲ୍ୟ ଏକ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୭୦ ରୁ ୮୦ ଟଙ୍କା ପଡିଥାଏ । ଗୋଟିଏ ଗଛ ପ୍ରାୟ ତିନି ବର୍ଷରୁ ଚାରି ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ସହ ଗୋଟିଏ ବର୍ଷରେ ୯ ଥର ଫୁଲ ଫୁଟିଥାଏ । ଏହି ଫୁଲର ଚାହିଦା ଓଡିଶା ଅପେକ୍ଷାକୃତ ମୁମ୍ବାଇ, କଲକାତା, ଅହମଦାବାଦରେ ଚାହିଦା ରହିଛି । ଗୋଟିଏ ଫୁଲର ଦମ ୧୦ ଟଙ୍କାରୁ ୧୬ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଏହି ଗଛ ବିନା ମାଟିରେ ଲାଗେନାହିଁ । ଏଥିସହ ବିବାହ ସମୟରେ ଓଡିଶାର ଭୁବନେଶ୍ୱର, କଟକ, ରାଉଲକେଲା, ଖୋର୍ଦ୍ଧା ଆଦି ସ୍ଥାନରେ ମଧ୍ୟ ଏହାର ବେଶ ଚାହିଦା ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ମହିଳା ମାନଙ୍କ ସହ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.