ଅନ୍ଧାରରେ ହିତାଧିକାରୀ, ଘର ପାଇଲା କିଏ ?

ବୌଦ୍ଧ, (ବଂଶୀଧର ମାଝୀ) : ଘରର ଫାଇନାଲ ବିଲ ଉଠିଛି, ହେଲେ ହିତାଧିକାରୀଙ୍କ ପାଖରେ ଖବର ନାହିଁ କି ଘର ନାହିଁ । ସରକାର ଗରିବ ଦୂରୀକରଣ ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି, କିନ୍ତୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ସୂଚନା ଅନୁସାରେ ଝାଟିମାଟିର ଚାଳ କୁଡିଆ ଘରେ ଦିନ କାଟୁଛନ୍ତି ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ କମ୍ଭୁନାଥପୁର ଗ୍ରାମର ରଜନୀ ବେହେରା ନାମକ ଜୈନିକା ଗରିବ ମହିଳା ଓ ତାଙ୍କର ଦିନ ମଜୁରିଆ ପରିବାର । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ତାଙ୍କ ପରିବାର ପଞ୍ଚାୟତ ଅଫିସରେ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ଏଯାଏଁ ଘର ମିଳି ପାରିଲା ନାହିଁ । ଶେଷରେ ନିରାଶ ହୋଇ ହରଭଙ୍ଗା ବିଡ଼ିଓଙ୍କୁ ଭେଟି ଦୁଃଖ ଜଣାଇଥିଲେ । ବିଡ଼ିଓଙ୍କ ନିର୍ଦେଶରେ ହିତାଧିକାରୀ ତାଲିକା ଯାଞ୍ଚ ବେଳେ ତାଙ୍କ ନାମରେ ୨୦୧୪-୧୫ ଆର୍ଥିକ ବର୍ଷ ରେଜିଷ୍ଟ୍ରେସନ ନଂ. ଆରଏଜେ ୧୭୦୪୨୧୩୨୯ଏଲ ଏକ ଆବାସ ଗୃହ ମଞ୍ଜୁର ହୋଇ ୨୦୧୬-୧୭ରେ ଘର ସଂପୂର୍ଣ୍ଣ ହୋଇ ଫାଇନାଲ ବିଲ୍ ମଧ୍ୟ ଉଠି ସାରିଥିବା ଭଳି ଚଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଏକଥା ଶୁଣି ଗରିବ ପରିବାରର ପାଦ ତଳୁ ମାଟି ଖସି ଯାଇଥିଲା । ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କ ପରିବାରକୁ ଯଥା ଶୀଘ୍ର ଏକ ପକ୍କାଘର ଯୋଗାଇ ଦେବାକୁ ରଜନୀ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ତେବେ ବିଡିଓ ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏ ବିଷୟରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନ ଅର୍ଥ ହଡପ ହେବା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

Leave A Reply

Your email address will not be published.