jayashree

୮୦ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :

ମୋର ପ୍ରିୟ ଦେଶବାସୀ,
ନମସ୍କାର
୧. ଆମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ, ଏହି ଜାତୀୟ ପର୍ବ ଅବସରରେ ମୁଁ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆଉ କିଛି ଘଣ୍ଟା ପରେ ଆମ ଦେଶ ସ୍ୱାଧୀନତାର ୮୦ତମ ବର୍ଷ ଶୁଭାରମ୍ଭ ହେବ। ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟ ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ପାଳନ କରନ୍ତି। ଆମ ତ୍ରିରଙ୍ଗା ଆମ ସ୍ୱାଧୀନତାର ପ୍ରତୀକ। ଆମେ ଅତ୍ୟନ୍ତ ଗର୍ବର ସହ ଏହାକୁ ଉତ୍ତୋଳନ କରୁ।
୨. ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତମାତା ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା। ସବୁ ଦେଶବାସୀ ସ୍ୱାଧୀନ ଭାରତର ଭାଗ୍ୟ ଗଠନର ନିର୍ମାତା ହୋଇଥିଲେ। ସ୍ୱାଧୀନତାର ସାର୍ଥକତା ହେଉଛି, ସବୁ ନାଗରିକ ଯେପରି ନିଜର ଆକାଂକ୍ଷା ଓ ସ୍ୱପ୍ନ ପୂରଣ ପାଇଁ ଉପଲବ୍ଧ ସୁଯୋଗର ସଦୁପଯୋଗ କରିପାରିବେ ଏବଂ ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିପାରିବେ।
୩. ସମର୍ପିତ ଛାତ୍ରଛାତ୍ରୀ ଓ ଶିକ୍ଷକ, ବିକାଶ ପାଇଁ ପ୍ରତିବଦ୍ଧ ବୈଜ୍ଞାନିକ ଓ ଇଞ୍ଜିନିୟର, ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ପରିଶ୍ରମୀ ଶ୍ରମିକ ଓ ଆମ ଅନ୍ନଦାତା କୃଷକ – ସମସ୍ତେ ନିଜ ନିଜ ପ୍ରୟାସ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଅବଦାନ ଦେଉଛନ୍ତି।ପ୍ରତିଭାବାନ କ୍ରୀଡ଼ାବିତ୍, କାରିଗର ଓ କଳାକାର, ଦୂରଦୃଷ୍ଟିସମ୍ପନ୍ନ ବୁଦ୍ଧିଜୀବୀ, ଘରୋଇ ଓ ସରକାରୀ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କର୍ମଚାରୀ, ସେବା ପାଇଁ ସମର୍ପିତ ଜନପ୍ରତିନିଧି, ନ୍ୟାୟ ବ୍ୟବସ୍ଥାରେ କାର୍ଯ୍ୟରତ ଅଧିକାରୀ, କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ କର୍ମଚାରୀ, ଆମ ଅର୍ଥନୀତିରେ ଅବଦାନ ରଖୁଥିବା ବୃହତ ଓ କ୍ଷୁଦ୍ର ନିବେଶକ, ନିଃସ୍ୱାର୍ଥପର ସମାଜସେବୀ ଏବଂ ସ୍ୱଚ୍ଛତା ଅଭିଯାନରେ ଆଗରେ ରହି କାର୍ଯ୍ୟ କରୁଥିବା ସମସ୍ତ ସଫେଇ ମିତ୍ର-ସମସ୍ତେ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅସଂଖ୍ୟ ନାଗରିକ ଏବଂ ଆମ ସମ୍ବିଧାନରେ ସ୍ଥାନ ପାଇଥିବା ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ ପାଳନ କରୁଥିବା ପ୍ରତ୍ୟେକ ନାଗରିକ ହେଉଛନ୍ତି ଆମ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାର ସକ୍ରିୟ ଭାଗୀଦାର। ମୁଁ ସେମାନଙ୍କୁ ହାର୍ଦ୍ଦିକ ପ୍ରଶଂସା କରୁଛି।ତିନି ସଶସ୍ତ୍ର ବାହିନୀ, ସଶସ୍ତ୍ର ପୁଲିସ ବଳ ଏବଂ ସମସ୍ତ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣକୁ ମୁଁ ବିଶେଷ ଭାବେ ପ୍ରଶଂସା କରୁଛି।ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ଓ ସମ୍ମାନ ବଢ଼ାଉଥିବା ପ୍ରବାସୀ ଭାରତୀୟ ଏବଂ ଆମ ଦୂତାବାସଗୁଡ଼ିକରେ ସେବା କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି।
ମୋର ପ୍ରିୟ ଦେଶବାସୀ,
୪. ୨୦୪୭ ମସିହାରେ ଆମ ସ୍ୱାଧୀନତାର ଶତବାର୍ଷିକୀ ବର୍ଷ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଆମେ ଆଗେଇ ଚାଲିଛୁ। ଅନ୍ତ୍ୟୋଦୟର ଭାବନାରେ ଅନୁପ୍ରାଣିତ ହୋଇ, ବିକାଶର ସୁଫଳ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ଆମର ସଂକଳ୍ପ। ଆମର ସମୃଦ୍ଧ ଐତିହ୍ୟ ଏବଂ ସ୍ୱାଧୀନତା ଆନ୍ଦୋଳନର ଆଦର୍ଶକୁ ଆପଣାଇ ଆମେ ଆଧୁନିକ ବିକାଶର ପଥରେ ଆଗେଇ ଚାଲିଛୁ। ବେଦବାକ୍ୟ ‘ବୟଂ ରାଷ୍ଟ୍ରେ ଜାଗୃୟାମ୍’ ଆମକୁ ସର୍ବଦା ଦେଶ ସେବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରେରଣା ଦେଉଛି।
୫. ଆମ ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ବିଚାରଧାରାର ଲୋକମାନେ ଗୋଟିଏ ସମାନ ଲକ୍ଷ୍ୟପାଇଁ ଏକଜୁଟ ହୋଇଥିଲେ, ତାହା ଥିଲା ଭାରତର ସ୍ୱାଧୀନତା । ସ୍ୱଦେଶୀ ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ଗୀତ ସର୍ବଜନଙ୍କ ଗୀତରେ ପରିଣତ ହୋଇଥିଲା। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ଭାରତୀୟ ଆମର ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ। ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସାମାଜିକ ସଂସ୍କାର ଓ ଦେଶପ୍ରେମର ସର୍ବୋଚ୍ଚ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିଥିଲେ। ଭାରତମାତାର ସେହି ସମସ୍ତ ମହାନ ସନ୍ତାନମାନଙ୍କୁ ମୁଁ ବିନମ୍ରତାର ସହିତ ପ୍ରଣାମ ଜଣାଉଛି, ଯାହାଙ୍କ ଆଦର୍ଶ ଆମ ଦେଶକୁ ସ୍ୱାଧୀନତା ପ୍ରାପ୍ତି ଏବଂ ତା’ପରେ ଦେଶର ପ୍ରଗତିର ପଥରେ ଆଗେଇ ନେଇଛି।
୬. ଆଜି, ଅଗଷ୍ଟ ୧୪ ତାରିଖରେ ଆମେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛୁ। ବିଭାଜନଯୋଗୁ ହିଂସାରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆମେ ଗଭୀର ଶ୍ରଦ୍ଧାର ସହ ସ୍ମରଣ କରୁଛୁ। ବିଭାଜନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ସାମ୍ପ୍ରଦାୟିକ ହିଂସାର ଶିକାର ହୋଇ ଶରଣାର୍ଥୀ ହେବାକୁ ବାଧ୍ୟ ହୋଇଥିଲେ ଏବଂ ବିଭାଜନର ଭୟାବହତା ସହିଥିଲେ। ତଥାପି, ସେମାନେ ନିଜର ପରିଚୟ ତ୍ୟାଗ କରି ନଥିଲେ।
୭. ଆମ ସ୍ୱାଧୀନତା ପ୍ରାପ୍ତି ସମୟରେ ବିଭାଜନର ଭୟାବହ ପରିଣାମ ସହିତ, ନୂତନ ଭାବେ ସ୍ବାଧୀନତା ପାଇଥିବା ଭାରତ ସହ ୫୫୦ରୁ ଅଧିକ ଦେଶୀୟ ରାଜ୍ୟର ଏକୀକରଣ ଏକ ଅସାଧାରଣ ଆହ୍ୱାନ ଥିଲା। ସର୍ଦ୍ଦାର ପଟେଲ ରାଜତନ୍ତ୍ର ବ୍ୟବସ୍ଥାର ଅବସାନ ଘଟାଇ ଦେଶୀୟ ରାଜ୍ୟଗୁଡ଼ିକୁ ଆମ ସ୍ୱାଧୀନ ଗଣତନ୍ତ୍ର ସହିତ ଏକୀକୃତ କରିଥିଲେ। ଆଧୁନିକ ଭାରତକୁଏକଜୁଟ କରିଥିବା ଶିଳ୍ପୀଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ସ୍ମୃତି ପ୍ରତି ଏକ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ମୁଁ ମୋର ଶ୍ରଦ୍ଧାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ମୋର ପ୍ରିୟ ଦେଶବାସୀ,
୮. ଭାରତର ଜନସାଧାରଣଙ୍କ ଦ୍ୱାରାପ୍ରସ୍ତୁତ ସମ୍ବିଧାନ ଜନସହଭାଗିତାରଆଧାର ଉପରେ ପ୍ରତିଷ୍ଠିତ। ଆମ ଦେଶର ଲୋକମାନଙ୍କ ମଧ୍ୟରେ ଜନଭାଗିଦାରୀ ଭାବନା ସର୍ବଦା ନିହିତ ରହିଆସିଛି। ଆମ ଦେଶ ହେଉଛି ଗଣତନ୍ତ୍ରର ଜନ୍ମଭୂମି। ନୂତନ ଉତ୍ସାହ ଓ ଉଦ୍ଦୀପନାର ସହିତ ଆମ ଦେଶବାସୀ ଜନଭାଗିଦାରୀରଏହି ପରମ୍ପରାକୁ ଆଗେଇ ନେଉଛନ୍ତି। ଲୋକମାନଙ୍କର ସକ୍ରିୟ ସହଭାଗିତା ମାଧ୍ୟମରେ ରାଷ୍ଟ୍ରୀୟ ଅଭିଯାନଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି। ଏହା ଆମ ଗଣତନ୍ତ୍ରର ଏକ ପ୍ରେରଣାଦାୟକ ସଫଳତା।
୯. ସ୍ଥିତିଓ ସୁଯୋଗରସମାନତାସହିତବ୍ୟକ୍ତିରମର୍ଯ୍ୟାଦାଆମସମ୍ବିଧାନରପ୍ରମୁଖଆଦର୍ଶଗୁଡ଼ିକମଧ୍ୟରୁଅନ୍ୟତମ। ଆଜିସାଧାରଣପୃଷ୍ଠଭୂମିରୁଆସୁଥିବାଲୋକମାନେବିଭିନ୍ନକ୍ଷେତ୍ରରେଅସାଧାରଣଅବଦାନଦେଉଛନ୍ତି। ଏହାମୋରଏହିବିଶ୍ୱାସକୁଆହୁରିଦୃଢ଼ କରୁଛି ଯେ, ଆଜିର ଭାରତରେ ପ୍ରତ୍ୟେକ ବ୍ୟକ୍ତି ବଡ଼ ସ୍ୱପ୍ନ ଦେଖିପାରିବେ ଏବଂ ସେହି ସ୍ୱପ୍ନଗୁଡ଼ିକୁ ସାକାର ମଧ୍ୟ କରିପାରିବେ।
୧୦.ଆମ ସମ୍ବିଧାନରେ କାର୍ଯ୍ୟପାଳିକା, ବିଧାନପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଜନପ୍ରତିନିଧିଙ୍କ କର୍ତ୍ତବ୍ୟ ହେଉଛି ଲୋକମାନଙ୍କ ଆକାଂକ୍ଷାକୁ ବିଧାନପାଳିକାରେ ବ୍ୟକ୍ତ କରିବା। ଦେଶ ଏବଂ ଦେଶବାସୀଙ୍କ ସ୍ୱାର୍ଥରେ ଥିବା ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା କାର୍ଯ୍ୟପାଳିକାର ଦାୟିତ୍ୱ। ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହା ଦାୟିତ୍ୱ ଯେ, ସାଧନର ଅଭାବ ଯୋଗୁଁ ଯେପରି କେହି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା। ସମାଜର ବଞ୍ଚିତ ବର୍ଗର ଲୋକମାନଙ୍କ ସମେତ ସମସ୍ତ ନାଗରିକଙ୍କୁ ସମାନ ଭାବେ, ସମୟୋଚିତ ଏବଂ ମର୍ଯ୍ୟାଦାର ସହିତ ନ୍ୟାୟ ପାଇବାର ସୁଯୋଗ ମିଳିବା ଉଚିତ।
ମୋର ପ୍ରିୟ ଦେଶବାସୀ,
୧୧. ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଆମ ଦେଶ ଦ୍ରୁତ ଏବଂ ସମାବେଶୀ ବିକାଶଲକ୍ଷ୍ୟ ହାସଲ କରିବା, ଐତିହ୍ୟ ଓ ବିକାଶ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତାଦେବା ତଥା ଅନେକ ଦଶନ୍ଧି ଧରି ବିକାଶରେ ପ୍ରତିବନ୍ଧକ ସାଜିଥିବା ଅନେକ ବାଧା ଦୂର କରିବାର ସଫଳତାର ସାକ୍ଷୀ ପାଲଟିଛି।
୧୨. ଆମଦେଶମହାତ୍ମାଜ୍ୟୋତିବାଫୁଲେଙ୍କ୨୦୦ତମଜୟନ୍ତୀପାଳନକରୁଛି। ମହାତ୍ମାଫୁଲେଏବଂକ୍ରାନ୍ତିଜ୍ୟୋତିସାବିତ୍ରୀବାଇଫୁଲେସାମାଜିକନ୍ୟାୟ, ଶିକ୍ଷା, ମହିଳା ସଶକ୍ତୀକରଣ ଏବଂ ସମାନତା କ୍ଷେତ୍ରରେ ଐତିହାସିକ ଅବଦାନ ଦେଇଥିଲେ। ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଗତ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ତରରେ ସମାଜର ବଞ୍ଚିତ ବର୍ଗଙ୍କ ଉନ୍ନତିକୁ ପ୍ରାଥମିକତା ଦିଆଯାଇଛି। ମହିଳା ଶିକ୍ଷା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପିତ ହୋଇଛି। ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଅଣାଯାଇଛି। ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ ଅଧୀନରେ ପ୍ରାୟ ୫୯ କୋଟି ହିତାଧିକାରୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ କୋଟିରୁ ଅଧିକ ଖାତାଧାରୀ ମହିଳା। ମାଗଣା ରାସନ ଯୋଗାଇ ୮୦ କୋଟିରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି। ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଅଧୀନରେ ୬୦ କୋଟି ଲୋକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। କିଷାନ ସମ୍ମାନ ନିଧି ଏବଂ କିଷାନ କ୍ରେଡିଟ୍ କାର୍ଡ ଚାଷବାସ, ଦୁଗ୍ଧ ଉତ୍ପାଦନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଏବଂ ମହୁଚାଷ ଭଳି କାର୍ଯ୍ୟରେ ନିୟୋଜିତ କୃଷକମାନଙ୍କୁ ସହାୟତା ଯୋଗାଇ ଆସିଛି।
୧୩. ବିଶ୍ୱ ଇତିହାସ ସାକ୍ଷୀ ରହିଛି ଯେ, ‘ଦୃଢ଼ ସାଂସ୍କୃତିକ ପରିଚୟର ଭାବନା ଉପରେ ଆଧାରିତ ବିକାଶ’ ଦ୍ରୁତ ଏବଂ ସ୍ଥାୟୀ ହୋଇଥାଏ। ଆଜି ଦେଶରେ ଏହି ସଚେତନତା ବୃଦ୍ଧି ପାଉଛି ଯେ, ସାଂସ୍କୃତିକ ଗୌରବର ଭାବନା ଦେଶର ଆଭ୍ୟନ୍ତରୀଣ ଶକ୍ତିକୁ ସୁଦୃଢ଼ କରୁଛି। ଆମର ପୂର୍ବସୁରୀମାନେ ଜ୍ଞାନ, ବିଜ୍ଞାନ, କଳା ଓ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସଦାଚାରର ଏକ ସମୃଦ୍ଧ ପରମ୍ପରା ଆମକୁ ଦେଇଯାଇଛନ୍ତି। ଆମେ ଆମର ଐତିହ୍ୟ ଏବଂ ବିକାଶ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ୁଛୁ।
୧୪. ଆମ ଦେଶରେ ବିଶ୍ୱର ସର୍ବବୃହତ ଏବଂ ସର୍ବୋତ୍ତମ ଡିଜିଟାଲ ଭିତ୍ତିଭୂମି ବିକଶିତ ହୋଇଛି। ଏବେ ଛୋଟ ଛୋଟ ଗ୍ରାମାଞ୍ଚଳର ଦୋକାନ ଏବଂ ରାସ୍ତାକଡ଼ର ବିକ୍ରେତାମାନଙ୍କ ମଧ୍ୟରେ ଡିଜିଟାଲ ମାଧ୍ୟମରେ ଦେୟ ପ୍ରଦାନ କରାଯାଉଛି। ବିଶ୍ୱରେ ହେଉଥିବା ବାସ୍ତବ ସମୟର ଡିଜିଟାଲ ନେଣଦେଣ ମଧ୍ୟରୁ ଅଧାରୁ ଅଧିକ ଭାରତରେ ହେଉଛି। ଭାରତର ଜନସାଧାରଣ ଏବଂ ସରକାର ମିଳିତ ଭାବେ ବିଶ୍ୱ ସମୁଦାୟ ସମ୍ମୁଖରେ ଡିଜିଟାଲ ବିପ୍ଳବର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସରକାର ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ଲୋକଙ୍କୁ କଲ୍ୟାଣମୂଳକ ଯୋଜନାଗୁଡ଼ିକର ସୁବିଧା ପ୍ରଦାନ କରିଛନ୍ତି।
୧୫. ଆମ ଦେଶରେ ରାଜପଥ, ଜଳପଥ, ରେଳପଥ ଏବଂ ବିମାନପଥ ଭଳି ଆଧୁନିକ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି। ଏହା ନୂଆ ଉଦ୍ୟୋଗ ପାଇଁ ସୁଯୋଗ ସୃଷ୍ଟି ସହ ନିଯୁକ୍ତି ସୃଷ୍ଟି କରୁଛି ଏବଂ ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି।

ମୋର ପ୍ରିୟ ଦେଶବାସୀ,
୧୬. ବିଶ୍ୱର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଯୁଦ୍ଧ ଏବଂ ଅସ୍ଥିରତା ପ୍ରତ୍ୟେକ ଦେଶକୁ ପ୍ରଭାବିତ କରୁଛି। ଏଭଳି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ, ଆମ ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଆଗକୁ ବଢ଼ୁଛି। ଆର୍ଥିକ ଆକଳନ ଅନୁସାରେ, ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବିଶ୍ୱର ହାରାହାରି ଅଭିବୃଦ୍ଧି ହାରର ଦୁଇଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି। ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆମର ଆର୍ଥିକ ପ୍ରଗତି ଏବଂ ଜାତୀୟ ସୁରକ୍ଷାର ଭିତ୍ତିକୁ ଆହୁରି ସୁଦୃଢ଼ କରିଛି।
୧୭. ଆଧୁନିକ ବିକାଶର ପଥରେ ଆଗକୁ ବଢ଼ିବା ସହିତ ଭାରତ ବିଶ୍ୱସ୍ତରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଆମ ଦେଶ ୨୦୩୦ ମସିହା ପାଇଁ ଧାର୍ଯ୍ୟ କରାଯାଇଥିବା କେତେକ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ହାସଲ କରିଛି। ବିଗତ କିଛି ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ଆମ ଦେଶ ଅଭୂତପୂର୍ବ ଗତି ହାସଲ କରିଛି।
୧୮. ରାଷ୍ଟ୍ରୀୟ ସ୍ୱାର୍ଥ ଆମ ବୈଦେଶିକ ନୀତିର ମୂଳଦୁଆ। ଶାନ୍ତି, ସହଯୋଗ, ଆଲୋଚନା ଏବଂ ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶ ଆମ ବୈଦେଶିକ ନୀତିର ସ୍ତମ୍ଭ। ଆର୍ଥିକ ସହଯୋଗ ବୃଦ୍ଧି କରିବା ଏବଂ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ଅନେକ ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିଛୁ। ଗ୍ଲୋବାଲ୍ ସାଉଥ୍‌ର ଦେଶଗୁଡ଼ିକ ମଧ୍ୟରେ ଆମେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛୁ। ବିଶ୍ୱ ମଞ୍ଚରେ ଆମ ଦେଶର ସମ୍ମାନ ଓ ପ୍ରଭାବ ବୃଦ୍ଧି ପାଇଛି। ଆମେ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିଶ୍ୱାସ କରୁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂଗଠନରେ ବିଶ୍ୱ ସମୁଦାୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ନିଶ୍ଚିତ କରିବା ଆମର ପ୍ରୟାସ। ଆମ ଦେଶର ଏହି ପ୍ରୟାସକୁ ଅନେକ ଦେଶରୁ ଦୃଢ଼ ସମର୍ଥନ ମିଳୁଛି।

ମୋର ପ୍ରିୟ ଦେଶବାସୀ,
୧୯. ଭବିଷ୍ୟତ ପିଢ଼ିର ମଧ୍ୟ ଆମ ଭଳି ପ୍ରାକୃତିକ ସମ୍ପଦ ଉପରେ ସମାନ ଅଧିକାର ରହିଛି। ଆମର କୌଣସି କାର୍ଯ୍ୟ ଯେପରି ଭବିଷ୍ୟତ ପିଢ଼ିର ଏହି ଅଧିକାରର ପ୍ରୟୋଗରେ ସାମାନ୍ୟତମ ବି ହସ୍ତକ୍ଷେପ ନ କରେ, ତାହା ଆମକୁ ନିଶ୍ଚିତ କରିବାକୁ ହେବ। ଆମେ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ, ଯେପରି ଆମେ ସେମାନଙ୍କ ପାଇଁ ପ୍ରକୃତିର ଆହୁରି ସମୃଦ୍ଧ ଭଣ୍ଡାର ଛାଡ଼ି ଯାଇପାରିବା। ପରିବେଶ ସଂରକ୍ଷଣ ପ୍ରତି ଆମର ଆସ୍ଥା’ ଆମର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ। ସାନ୍ତାଳୀ ଭାଷାରେ ରଚିତ ଏକ ସରଳ ଗୀତରେ ଏକ ଗଭୀର ବାର୍ତ୍ତା ରହିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ରଚିତ ସେହି ଗୀତର କିଛି ଶବ୍ଦ ହେଉଛି:
ଦାରେ ଗୁଜୁଗ କାନ ନ୍ୟେଲ ତେ
ମିରୁ ଚେଣେୟ ରାଗ ବୟହା ଦାୟା ହାୟା ଗେ।
ଗୁଜୁଗ କାନ ଆବୋବା ଜାତି ଧରମ ଦାରେ
ଚେଦାଗ ବାବୋନ ରାଗ ବୟହା ଆବୋ ଅନା ନ୍ୟେଲ ତେ।
ଏହି ଗୀତରେ କବି ଏକ ଗଛ ସମ୍ପୂର୍ଣ୍ଣ ଶୁଖିଯାଇଥିବାରୁ ଦୁଃଖରେ ଅସହାୟ ହୋଇ କାନ୍ଦୁଥିବା ଗୋଟିଏଶୁଆକଥା ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି, “ହେ ମୋର ପ୍ରିୟ ଭାଇମାନେ! ଗୋଟିଏ ମରିଯାଉଥିବା ଗଛକୁ ଦେଖି ଶୁଆବିଳାପ କରୁଛି। ହେ ମୋର ଭାଇମାନେ! ମାନବ ସଂସ୍କୃତିର ବୃକ୍ଷ ଧ୍ୱଂସ ହେଉଥିବା ବେଳେ ଆମେ ମଣିଷମାନେ କାହିଁକି ଦୁଃଖିତ ହେଉନାହୁଁ?”ଏହି ଗୀତର ବାର୍ତ୍ତା ହେଉଛି, ପ୍ରକୃତି ଏବଂ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ। ସବୁଜ-ସତେଜ ଗଛ ମାନବ ସମାଜର ନୈତିକ ଆଦର୍ଶ ଏବଂ ମଙ୍ଗଳର ପ୍ରତୀକ। ‘ଏକ ପେଡ୍ ମା କେ ନାମ୍’ ଏବଂ ‘ପରିବେଶ ପାଇଁ ଜୀବନଶୈଳୀ’ ବା ଲାଇଫ୍ଭଳି ଅଭିଯାନର ଉଦ୍ଦେଶ୍ୟ ଅନୁଯାୟୀ, ପରିବେଶ ସୁରକ୍ଷା ପାଇଁ ଆମେ ବ୍ୟକ୍ତିଗତ ଏବଂ ସାମୂହିକ ଭାବେ ପ୍ରୟାସ କରିବା ଉଚିତ।
ମୋର ପ୍ରିୟ ଦେଶବାସୀ,
୨୦. ଆମ ଝିଅମାନେ ଶିକ୍ଷା କ୍ଷେତ୍ରରେ ଅସାଧାରଣ ଭାବେ ଭଲ ପ୍ରଦର୍ଶନ କରୁଥିବା ଦେଖି ମୋତେ ଅତ୍ୟନ୍ତ ଆନନ୍ଦ ଲାଗୁଛି। ଏହା ସହିତ, ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଉଛି। କୃଷି ଉତ୍ପାଦକତା ବୃଦ୍ଧିରେ ଯୋଗଦାନ କରୁଥିବା ଡ୍ରୋନ୍ ଦିଦିଙ୍କଠାରୁ ଆରମ୍ଭ କରି ବାୟୁସେନାର ଫାଇଟର କମ୍ବାଟ୍ ଲିଡର ପର୍ଯ୍ୟନ୍ତ, ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।ନିକଟରେ ଗ୍ଲାସଗୋରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀକ୍ରୀଡାରେ ଭାରତ ଜିତିଥିବା ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ୮ଟି ସ୍ୱର୍ଣ୍ଣ ପଦକ ମହିଳାମାନେ ଜିତିଛନ୍ତି।ଆମ ମହିଳାମାନେ ଦିନକୁ ଦିନ ଆର୍ଥିକ ଭାବେ ଆତ୍ମନିର୍ଭର ହେଉଛନ୍ତି। ୧୦ କୋଟିରୁ ଅଧିକ ମହିଳା’ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି। ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟ ହାସଲ କରାଯାଇଛି। ଏବେ ଆମ ଦେଶ ଆଉ ତିନି କୋଟି ନୂଆ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛି।‘ମୁଦ୍ରା ଯୋଜନା’ ଅଧୀନରେ ଆର୍ଥିକ ସହାୟତା ପାଇଥିବା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ମହିଳା।
୨୧. ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ପ୍ରୟାସ ସହିତ, ଆମେ ଅନେକ କ୍ଷେତ୍ରରେ ସେମାନଙ୍କୁ ନେତୃତ୍ୱ ଭୂମିକାରେ ମଧ୍ୟ ଦେଖୁଛୁ। ମହିଳାମାନଙ୍କ ମତଦାନ ଅଧିକାର ପ୍ରୟୋଗ କରିବାର ସଂଖ୍ୟା ବୃଦ୍ଧି ପାଇବା ଆମ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଉଲ୍ଲେଖନୀୟ ସଫଳତା। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ପ୍ରତିନିଧିତ୍ୱ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ୨୦୨୩ରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରଣୟନ କରାଯାଇଛି। ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକ ହାସଲ ହେଲେ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଆହୁରି ବୃଦ୍ଧି ପାଇବ ଏବଂ ଆମ ଗଣତନ୍ତ୍ର ଅଧିକ ସମାବେଶୀ ହେବ।
୨୨. ଆମ ଦେଶର ୬୫ ପ୍ରତିଶତ ଜନସଂଖ୍ୟାର ବୟସ ୩୫ ବର୍ଷରୁ କମ୍। ଏହି ଯୁବ ଜନସଂଖ୍ୟା ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ। ଆମ ଦେଶର ଯୁବପିଢ଼ି ପ୍ରତିଭାବାନ, ପ୍ରତିବଦ୍ଧ ଏବଂ ଦକ୍ଷ। ବିଭିନ୍ନ ଆହ୍ୱାନର ମୁକାବିଲା ପାଇଁ ଯୁବପିଢ଼ି ତୃଣମୂଳ ସ୍ତରରେ ଯେଉଁ ଅଭିନବ ଓ ବ୍ୟବହାରିକ ସମାଧାନ ବିକଶିତ କରୁଛନ୍ତି, ମୁଁ ତାହା ଦେଖିଛି। ଏହା ସମାଜ ଏବଂ ଦେଶ ପ୍ରତି ଆମ ଯୁବବର୍ଗଙ୍କ ସମର୍ପଣକୁ ପ୍ରତିଫଳିତ କରୁଛି। ମାତ୍ର ୨୮ ବର୍ଷର ହାରାହାରି ବୟସ ଥିବା ଏକ ଯୁବ ଦଳ ଦ୍ୱାରା ନିକଟରେ ସଫଳତାର ସହ ରକେଟ୍‌ ଉତ୍‌କ୍ଷେପଣ କରାଯିବା ଫଳରେ ମହାକାଶ ଅନୁସନ୍ଧାନର ଏକ ନୂତନ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି।
୨୩. ଆମର ଅନେକ ଯୁବକ-ଯୁବତୀ ସ୍ଵ-ରୋଜଗାରର ପଥ ଆପଣାଇବା ସହିତ ଚାକିରି ସୃଷ୍ଟିର ସଂସ୍କୃତିକୁ ମଧ୍ୟ ଆପଣାଉଛନ୍ତି। ଯୁବ ଉଦ୍ୟୋଗୀମାନଙ୍କର ଅଂଶଗ୍ରହଣ ଆମ ଦେଶରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଗଠନରେ ସହାୟକ ହୋଇଛି। ବିଶ୍ୱର ପ୍ରମୁଖ ଉଦ୍ୟୋଗ ଓ ପ୍ରତିଷ୍ଠାନଗୁଡ଼ିକ ଭାରତୀୟ ଯୁବକ-ଯୁବତୀଙ୍କ ପ୍ରତିଭା ଓ ନିଷ୍ଠାରେ ପ୍ରଭାବିତ ହୋଇ ସେମାନଙ୍କୁ ନେତୃତ୍ୱ ଭୂମିକା ଅର୍ପଣ କରୁଛନ୍ତି। ଏଭଳି ଯୁବ ସଫଳତା ହାସଲ କରିଥିବା ବ୍ୟକ୍ତିମାନେ ସମଗ୍ର ବିଶ୍ୱରେ ଭାରତର ଯୁବଶକ୍ତିର ପ୍ରତିଷ୍ଠାକୁ ଆହୁରି ବୃଦ୍ଧି କରିଛନ୍ତି। ଆମର ଯୁବପିଢ଼ି ଭାରତର ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ ପ୍ରତି ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଛି।
୨୪. ଆମର ଛାତ୍ରଛାତ୍ରୀମାନେ ହେଉଛନ୍ତି ଭାରତର ଭବିଷ୍ୟତର ନିର୍ମାତା। ଯେପରି ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ଓ ସମାଜ ଏକଜୁଟ ରହିବା ଆବଶ୍ୟକ, ସେହିପରି ଆମର ଛାତ୍ରଛାତ୍ରୀଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ମିଳିତ ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ଯୋଗଦାନ କରିବାକୁ ହେବ। ସାର୍ବଜନୀନ ପରୀକ୍ଷା ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଥାଏ। ଏହି ପରୀକ୍ଷାଗୁଡ଼ିକରେ ସଂସ୍କାର ଆଣିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଯୁବପିଢ଼ି ପାଇଁ ଅଧିକ ବିଶ୍ୱସନୀୟ କରିବା।
୨୫. ସରକାରଙ୍କ ପଦକ୍ଷେପ ଏବଂ ନୂତନ ଆର୍ଥିକ କାର୍ଯ୍ୟକଳାପ ଯୋଗୁଁ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ନୂଆ ସୁଯୋଗର ଦ୍ୱାର ଖୋଲୁଛି। ଏଭଳି ନୂଆ ସୁଯୋଗଗୁଡ଼ିକୁ ଅନ୍ୱେଷଣ କରି ଆମର ଯୁବପିଢ଼ି ସଫଳତାର ନୂଆ ପଥରେ ଆଗେଇ ଯାଇପାରିବେ।
୨୬. ଆମ ଦେଶର ଭବିଷ୍ୟତର ମୂଳଦୁଆ ହେଉଛି ଆମ ଯୁବପିଢ଼ିର ଶାରୀରିକ ଓ ମାନସିକ ସୁସ୍ଥତା। ଆମ ଯୁବପିଢ଼ିଙ୍କୁ ଉତ୍ସାହର ସହ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିବାର ଦାୟିତ୍ୱ ପରିବାର ଓ ସମାଜର ମଧ୍ୟ ରହିଛି।
୨୭. ଯୁବପିଢ଼ିର ବିକାଶ ଏବଂ ରାଷ୍ଟ୍ର ନିର୍ମାଣକୁ ଆଗେଇ ନେବା ପାଇଁ କ୍ରୀଡ଼ାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରାଯାଉଛି। ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ସାରା ଦେଶରେ କ୍ରୀଡ଼ା ପରିବେଶ ବିକଶିତ କରାଯାଉଛି। କ୍ରୀଡ଼ାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ସରକାର ଅଭୂତପୂର୍ବ ନିବେଶ କରୁଛନ୍ତି। ଏହି ପ୍ରୟାସଗୁଡ଼ିକର ଭଲ ଫଳାଫଳ ମିଳୁଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଆମ କ୍ରୀଡ଼ାବିତ୍‌ମାନଙ୍କ ପ୍ରଦର୍ଶନ ଏବଂ ସଫଳତାରେ ଉଲ୍ଲେଖନୀୟ ପ୍ରଗତି ଘଟିଛି।
୨୮. ଆମ ଦେଶରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଥିବାବେଳେ, ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବରିଷ୍ଠ ନାଗରିକମାନଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ୭୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ପ୍ରାୟ ୬ କୋଟି ବରିଷ୍ଠ ନାଗରିକ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବାର ସୁବିଧା ଉପଲବ୍ଧ ହେଉଛି। ସମଗ୍ର ସମାଜ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ। ସେମାନଙ୍କ ପ୍ରତି ଆପଣାପଣର ଭାବନା ସୃଷ୍ଟି କରିବା ସହ ସେମାନଙ୍କ ଆତ୍ମସମ୍ମାନକୁ ବଜାୟ ରଖିବା ଉଚିତ।
ମୋର ପ୍ରିୟ ଦେଶବାସୀ,
୨୯. ମାନବତା ବିରୋଧୀ ଶକ୍ତିଗୁଡ଼ିକୁ ପରାସ୍ତ କରିବା ସହିତ ସତ୍ୟ ଓ ନ୍ୟାୟର ସୁରକ୍ଷା କରିବାର ଆମର ପରମ୍ପରା ପାଇଁ ଆମେ ଗର୍ବିତ। ଜୁଲାଇ ୨୬ ତାରିଖରେ ଆମେ କାର୍ଗିଲ ବିଜୟ ଦିବସ ପାଳନ କରିଥିଲୁ। ଏହା ପୂର୍ବରୁ, ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଆମେ ଆମର ସଶସ୍ତ୍ର ବାହିନୀର ଅତୁଳନୀୟ ବୀରତ୍ୱକୁ ସ୍ମରଣ କରିଥିଲୁ। ଆତଙ୍କବାଦ ବିରୋଧରେ ସେହି ଐତିହାସିକ ଅଭିଯାନ ଭାରତୀୟ ସଶସ୍ତ୍ର ବାହିନୀ ସଠିକତାର ସହିତ କାର୍ଯ୍ୟ କରିବାର କ୍ଷମତାକୁ ପ୍ରଦର୍ଶନ କରିଥିଲା। ଏହା ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଏକ ସ୍ପଷ୍ଟ ଓ ଦୃଢ଼ ବାର୍ତ୍ତା ଦେଇଥିଲା ଯେ, ସେମାନେ ଯେଉଁଠି ଲୁଚିଲେ ମଧ୍ୟ, ନିଜ କାର୍ଯ୍ୟର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ। ଆତଙ୍କବାଦକୁ ଆଶ୍ରୟ ଦେଉଥିବା ଦେଶ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଆମ ଦେଶର ସ୍ୱାର୍ଥରେ, ବିଶେଷକରି କୃଷକମାନଙ୍କ ସ୍ୱାର୍ଥରେ, ଏକ ନିର୍ଣ୍ଣାୟକ ପଦକ୍ଷେପ।
୩୦. ଦଶନ୍ଧି ଦଶନ୍ଧି ଧରି ନକ୍ସଲବାଦ ଦେଶ ପାଇଁ ଏକ ଗମ୍ଭୀର ଆହ୍ୱାନ ହୋଇ ରହିଥିଲା। ଭାରତକୁ ନକ୍ସଲମୁକ୍ତ କରିବା ଏକ ବଡ଼ ସଫଳତା। ଆଜି ଯେଉଁ ଅଞ୍ଚଳଗୁଡ଼ିକ ଏକଦା ନକ୍ସଲବାଦ ପ୍ରଭାବିତ ଥିଲା, ସେଠାରେ ଉତ୍ସାହର ପରିବେଶ ରହିଛି। ଏହି ଅଞ୍ଚଳଗୁଡ଼ିକରେ ସମାବେଶୀ ବିକାଶ କାର୍ଯ୍ୟ ଚାଲିଛି। ବସ୍ତର ଅଲିମ୍ପିକ୍ସରେ ବହୁ ସଂଖ୍ୟକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ଏବଂ ବସ୍ତର ପାଣ୍ଡୁମ୍‌ରେ ବହୁ କଳାକାର ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହାକୁ ବହୁ ସଂଖ୍ୟକ ଲୋକ ଉପଭୋଗ କରିଥିଲେ।
୩୧. ରାଷ୍ଟ୍ରୀୟ ଗୌରବର ସୁରକ୍ଷା ପାଇଁ ନିର୍ମିତ ଏବଂ ମରାଠା ସାମରିକ ପରମ୍ପରା ସହ ଜଡ଼ିତ ୧୨ଟି ଦୁର୍ଗକୁ ଗତବର୍ଷ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଚଳିତ ବର୍ଷ ଭଗବାନ ବୁଦ୍ଧଙ୍କ ପ୍ରଥମ ପ୍ରବଚନ ସ୍ଥଳୀ ସାରନାଥକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଗୋଟିଏ ପଟେ ଭାରତ ଭୂମିରେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ଆଧ୍ୟାତ୍ମିକତାର ସ୍ମାରକ ରହିଛି। ଅନ୍ୟ ପଟେ, ଆମର ଗୌରବ ଓ ସମୃଦ୍ଧ ପରମ୍ପରାର ସୁରକ୍ଷା ପାଇଁ ସଂଗ୍ରାମ କରିବାର ଆମର ଅଦ୍ଭୁତ ସାମର୍ଥ୍ୟର ପ୍ରତୀକ ମଧ୍ୟ ଏଠାରେ ରହିଛି।
ମୋର ପ୍ରିୟ ଦେଶବାସୀ,
୩୨. ବିକଶିତ ଭାରତ ଗଠନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ବିକାଶ ଓ କଲ୍ୟାଣ। ତେଲୁଗୁ ଭାଷାରେ ମହାନ ରାଷ୍ଟ୍ରବାଦୀ ଲେଖକ ଗୁରୁଜାଡ଼ା ଅପ୍ପାରାଓ ତାଙ୍କର ଏକ ଗୀତରେ ଦେଶପ୍ରେମର ଏକ ଚିରନ୍ତନ ବାର୍ତ୍ତା ଦେଇଥିଲେ।ସେ କହିଥିଲେ:

ଦେଶମୁନୁ ପ୍ରେମିଂଚୁମନ୍ନା, ମଞ୍ଚି ଅନ୍ନାଦି ପେଁଞ୍ଚୁମନ୍ନା।
ଦେଶମଣ୍ଟେ, ମଟ୍ଟୀ କାଦୋୟ, ଦେଶମଣ୍ଟେ, ମନୁଷୁଲୋୟ।
ଏହି ପଙ୍କ୍ତିଗୁଡ଼ିକର ସାରମର୍ମ ହେଉଛି:
ନିଜ ଦେଶକୁ ଭଲ ପାଅନ୍ତୁ,
ସଦ୍‌ଗୁଣର ବିକାଶ କରନ୍ତୁ।
କୌଣସି ରାଷ୍ଟ୍ର କେବଳ ଗୋଟିଏ ଭୂଖଣ୍ଡ ନୁହେଁ,
ଗୋଟିଏ ରାଷ୍ଟ୍ର ନିଜରସବୁ ଲୋକଙ୍କୁ ନେଇ ଗଠିତ।
୩୩. ମୋର ବିଶ୍ୱାସ ଯେ, ସମାଜର ଭାଗୀଦାରୀ ଏବଂ ସରକାରଙ୍କ ପ୍ରୟାସ ଫଳରେ ଭାରତର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ପରିବାରର ଲୋକେ ଅଧିକ ସୁସ୍ଥ, ସୁଖୀ ଓ ସମୃଦ୍ଧ ହେବେ।
୩୪. ଏହି ସର୍ବସମାବେଶୀ ଦେଶପ୍ରେମର ଭାବନା ସହିତ, ସ୍ୱାଧୀନ ଭାରତକୁ ବିକଶିତ ଭାରତରେ ପରିଣତ କରିବାର ପବିତ୍ର ଜାତୀୟ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁଆମେ ନିଜକୁ ସମର୍ପି ଦେବା।

ଧନ୍ୟବାଦ
ଜୟ ହିନ୍ଦ
ଜୟ ଭାରତ

Leave A Reply

Your email address will not be published.