ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ପାଇଁ ଜାତୀୟ ଜରୁରୀକାଳୀନ ଜୀବନ ସହାୟତା ପାଠ୍ୟକ୍ରମ ଆରମ୍ଭ

  • ଡାକ୍ତର ଭାରତୀ ପ୍ରବୀଣ ପାୱାର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନଙ୍କ ପାଇଁ ଜାତୀୟ ଜରୁରୀକାଳୀନ ଜୀବନ ସହାୟତା ପାଠ୍ୟକ୍ରମ (ଏନ୍ଇଏଲ୍ଏସ) ଆରମ୍ଭ କରିଛନ୍ତି
  • ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ର ନୀତିକୁ ହୃହୟଙ୍ଗମ କରି ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ଏହି ମାନକୀକୃତ ପାଠ୍ୟକ୍ରମ ଜରୁରୀକାଳୀନ ଜୀବନ ରକ୍ଷାକାରୀ ସେବା ଯୋଗାଇବ : ଡାକ୍ତର ଭାରତୀ ପ୍ରବୀଣ ପାୱାର
  • ଦେଶର ଯେ କୌଣସି ଅଂଚଳରେ କୌଣସି ପୀଡିତର ଯତ୍ନ ନେବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ୱାରା ସକ୍ଷମ ଏକ ବିଶ୍ୱ ସ୍ତରୀୟ ଦକ୍ଷ, ବୃତିଗତ ଏବଂ ସମନ୍ୱିତ ପ୍ରଣାଳୀ ସୃଷ୍ଟି କରିବା ସମୟର ଆବଶ୍ୟକତା ଅଟେ : ଡାକ୍ତର ଭାରତୀ ପ୍ରବୀଣ ପାୱାର

ନୁଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର ଆଜି ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନଙ୍କ ପାଇଁ ଜାତୀୟ ଜରୁରୀକାଳୀନ ଜୀବନ ସହାୟତା (ଏନ୍ଇଏଲ୍ଏସ୍) ପାଠ୍ୟକ୍ରମ ଆରମ୍ଭ କରିଛନ୍ତି । ତାଲିମ୍ ମୋଡ୍ୟୁଲ୍ ବ୍ୟତୀତ, ଏହି କାର୍ୟ୍ୟକ୍ରମରେ ଏନ୍ଇଏଲ୍ଏସ୍ ପାଠ୍ୟକ୍ରମକୁ କାର୍ୟ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡିକରେ ପ୍ରଶିକ୍ଷଣ ଭିତିଭୂମିର ବିକାଶ ଏବଂ ଡାକ୍ତରଖାନା ଓ ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ବିଭାଗରେ କାର୍ୟ୍ୟ କରୁଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ମାନଙ୍କୁ ତାଲିମ୍ ଦେବା ପାଇଁ ଏକ କ୍ୟାଡର୍ ସୃଷ୍ଟି କରିବା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।
କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତମାନ ପର୍ୟ୍ୟନ୍ତ ଦେଶରେ ସ୍ୱାସ୍ଥ୍ୟ ସେବା ବୃତିଧାରୀମାନଙ୍କୁ ବିଦେଶୀ ମୋଡ୍ୟୁଲ୍ ଏବଂ ଦେୟ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମ ଉପରେ ନିର୍ଭର କରିବାକୁ ପଡୁଥିଲା, ଯାହା କେବଳ ମହଙ୍ଗା ନୁହେଁ ବରଂ ଆମ ଜନସଂଖ୍ୟା ଦୃଷ୍ଟିରୁ ଆବଶ୍ୟକତା ଏବଂ ପ୍ରାଥମିକତା ଗୁଡିକୁ ବିଚାର ନକରି କିଛି ଜରୁରୀକାଳୀନ ପରିସ୍ଥିତି ଭିତରେ ସୀମିତ ଥିଲା । ସେ କହିଛନ୍ତି ଯେ, “ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ନୀତିକୁ ସାକାର କରିବାକୁ ଯାଇ ଏନ୍ଇଏଲ୍ଏସ୍ ମାନକୀକୃତ ପାଠ୍ୟକ୍ରମ ପ୍ରଦାନ କରିଥାଏ, ଯାହା ଭାରତୀୟ ପ୍ରସଙ୍ଗ ଉପରେ ଆଧାରିତ ଏବଂ ଭାରତରେ ବିକଶିତ ହୋଇଛି ।”
ଡାକ୍ତର ଭାରତୀ ପ୍ରବୀଣ ପାୱାର କରିଛନ୍ତି, କୋଭିଡ୍ – ୧୯ ଏବଂ ଅଣ- କୋଭିଡ୍ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ବିତରଣକୁ ନିରନ୍ତର ଭାବେ ସୁଦୃଢ଼ କରିବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି, ଯାହାର ଲକ୍ଷ୍ୟ ଚିକିତ୍ସାଗତ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ପ୍ରସ୍ତୁତିର କ୍ଷମତାରେ ଅଭିବୃଦ୍ଧି ଆଣିବା ଏବଂ ଏହିଭଳି ଭାବରେ କ୍ଷତିକୁ କମ୍ କରିବା ପାଇଁ ମଧ୍ୟମରୁ ଦୀର୍ଘମିଆଦୀ ପ୍ରସ୍ତୁତକିୁ ବୃଦ୍ଧି କରିବା ଯାହା ମୂଲ୍ୟବାନ ଜୀବନ ହାନିକୁ କମ୍ କରି ପାରିବ । ସେ କହିଥିଲେ ଯେ ‘ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକ ମାନଙ୍କୁ ସୁଲଭ ତଥା ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଉପରେ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି ।’ ଦେଶରେ ଯେ କୌଣସି ସ୍ଥାନରେ ଦୁର୍ଘଟଣା, ଜରୁରୀକାଳୀନ ପରିସ୍ଥିତି କିମ୍ବା ଆଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କ ଯତ୍ନ ନେବା ପାଇଁ ଟେକ୍ନୋଲୋଜି ଦ୍ୱାରା ସକ୍ଷମ ଏକ ବିଶ୍ୱସ୍ତରୀୟ, ଦକ୍ଷ, ବୃତିଗତ ଏବଂ ସମନ୍ୱିତ ପ୍ରଣାଳୀ ସୃଷ୍ଟି କରିବା ଭାରତ ପାଇଁ ହେଉଛି ସମୟର ଆବଶ୍ୟକତା । ୨୦୧୭ର ଜାତୀୟ ସ୍ୱାସ୍ଥ୍ୟ ନୀତି ସମ୍ପର୍କରେ ସେ କହିଛନ୍ତି ଯେ, ଏହା ଏକ ସମନ୍ୱିତ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ, ଏକ ଉତ୍ସର୍ଗୀକୃତ ସର୍ବଭାରତୀୟ ଉପଲବ୍ଧତା ନମ୍ବର ସହିତ ସଂଯୁକ୍ତ ଅଟେ, ଯେଉଁଥିରେ ଜରୁରୀକାଳୀନ ଯତ୍ନର ନେଟ୍ୱର୍କ, ଜୀବନ ରକ୍ଷା ପାଇଁ ସହାୟତାକାରୀ ଆମ୍ବୁଲାନ୍ସ ଏବଂ ଟ୍ରମା ପରିଚାଳନା କେନ୍ଦ୍ର ଗଠନ ପାଇଁ ଯୋଜନା ରହିଛି ।
ଡାକ୍ତର ଭାରତୀ ପ୍ରବୀଣ ପାୱାର ଆହୁରି ମଧ୍ୟ କହିଛନ୍ତି ଯେ, ବୈଷୟିକ ପ୍ରଗତିର ଅଗ୍ରଗତି ସହିତ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ କାର୍ୟ୍ୟ କରୁଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ମାନଙ୍କୁ ସୁସଜ୍ଜିତ କରି ମାନବ ସମ୍ବଳର ବିକାଶ ପାଇଁ ସମାନ୍ତରାଳ ପ୍ରୟାସ କରାଯିବା ଆବଶ୍ୟକ । ଦେଶରେ ସମସ୍ତ ପ୍ରକାରର ଚିକିତ୍ସା ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ମୃତ୍ୟୁହାରକୁ କମ୍ କରିବା ପାଇଁ ମାନକୀକୃତ ଜୀବନ ରକ୍ଷାକାରୀ କୌଶଳ ସହିତ ପ୍ରାକ୍- ହସପିଟାଲ୍ ଯତ୍ନ ପ୍ରଦାନ କରୁଥିବା ଲୋକ ମାନଙ୍କୁ ମଧ୍ୟ ଏହି ତାଲିମ୍ ପ୍ରଦାନ କରାଯିବା ଉଚିତ୍ ।’
ଏମ୍ଓଏସ୍ (ଏଚ୍ଏଫ୍ଡବ୍ଲ୍ୟୁ) ରାଜ୍ୟମାନଙ୍କୁ ସେମାନଙ୍କ ମେଡିକାଲ୍ କଲେଜ୍ରେ ଏନ୍ଇଏଲ୍ଏସ୍ ଦକ୍ଷତା କେନ୍ଦ୍ରମାନ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଛି ଏବଂ ସମସ୍ତ ଦକ୍ଷତା କେନ୍ଦ୍ରକୁ ଅନୁରୋଧ କରିଛି ଯେ ତାଲିମ୍କୁ କେବଳ କାର୍ୟ୍ୟକ୍ଷମ କରିବା ନୁହେଁ, ବରଂ ସର୍ବାଧିକ ଜରୁରୀକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମଧ୍ୟ ବ୍ୟବହାର କରାଯାଉ । ରାଜ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନ ଗୁଡିକଙ୍କ ସହିତ ନିୟମିତ ଭାବରେ ଯୋଗାଯୋଗ କରିବା ଏବଂ ଏହାକୁ ଏକ ସଫଳ ପଦକ୍ଷେପ କରିବା ପାଇଁ ସେମାନଙ୍କ କାର୍ୟ୍ୟକଳାପ ଉପରେ ନଜର ରଖିବା ନିମନ୍ତେ ସେ ବିପର୍ୟ୍ୟୟ ପରିଚାଳନା ସେଲ୍କୁ ମଧ୍ୟ ଅନୁରୋଧ କରିଥିଲେ ।
ଏନ୍ଇଏଲ୍ଏସ୍ ଅଧୀନରେ କାର୍ୟ୍ୟକଳାପ ଗୁଡିକରେ ବିଶେଷଜ୍ଞ ମାନଙ୍କର ପରାମର୍ଶ ପରେ ଏବଂ ଭାରତୀୟ ପୃଷ୍ଠଭୂମି ଆଧାରରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ମାନଙ୍କ ନିମନ୍ତେ ଜରୁରୀକାଳୀନ ଜୀବନ ସହାୟତା ପ୍ରଶିକ୍ଷଣ ମୋଡ୍ୟୁଲ୍ ବିକଶିତ କରିବା, କେନ୍ଦ୍ର / ରାଜ୍ୟ ଅନୁସାରେ ମେଡିକାଲ୍ କଲେଜ୍ ଗୁଡିକରେ ଦକ୍ଷତା ବିକାଶ କେନ୍ଦ୍ରମାନ ସ୍ଥାପନ କରିବା ଏବଂ ଜରୁରୀକାଳୀନ ସ୍ଥିତି ଉପରେ କୌଶଳ – ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବା ଅନ୍ତର୍ଭୁକ୍ତ ଅଟେ । ସବୁ ଶ୍ରେଣୀର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ନିମନ୍ତେ ଜୀବନ ସହାୟତା, ଏସ୍ଏଫ୍ସି (ଆର୍ଥିକ ବର୍ଷ ୨୦୨୧- ୨୬) ଅନୁସାରେ ୧୨୦ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ (ଯେଉଁଥିରୁ ୯୦ ଗୋଟି ଦକ୍ଷତା ବିକାଶ କେନ୍ଦ୍ର ବିକାଶର ବିଭିନ୍ନ ପର୍ୟ୍ୟାୟରେ ରହିଛି) । ଏହି ପଦକ୍ଷେପ ମାଧ୍ୟମରେ ଦେଶରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ମାନଙ୍କର ଏକ କେନ୍ଦ୍ରସ୍ଥଳୀ ନିର୍ମାଣ ହେବ, ଯେଉଁଥିରେ ମାନକୀକୃତ ଜରୁରୀକାଳୀନ ଜୀବନ ସହାୟତା ପ୍ରଦାନ କରିବା ଏବଂ ଚିକିତ୍ସାର ଜରୁରୀକାଳୀନ ସ୍ଥିତି କାରଣରୁ ମୃତ୍ୟୁ ହାରକୁ କମ୍ କରିବାର କୌଶଳ ରହିବ ।
ଏହା ଜରୁରୀକାଳୀନ କ୍ଳିନିକାଲ୍ ସେବା ଯୋଗାଇବାରେ ସାମଗ୍ରିକ ବିପର୍ୟ୍ୟୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସାମର୍ଥ୍ୟ କ୍ଷେତ୍ରରେ ଅବଦାନ ରଖିବାରେ ସହାୟକ ହେବ । ଏନ୍ଇଏଲ୍ଏସ୍ ପାଠ୍ୟକ୍ରମ ବ୍ୟାପକ ଅଟେ ଏବଂ ଚିକିତ୍ସା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତି, ସର୍ଜିକାଲ୍ ଜରୁରୀକାଳୀନ ପରିସ୍ଥିତି, ହୃଦ୍ରୋଗ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି, କୋଭିଡ୍ – ୧୯ ପାଇଁ ଭେଂଟିଲେଟର ପରିଚାଳନା ପ୍ରୋଟୋକଲ୍ ସହିତ ଶ୍ୱାସକ୍ରିୟା ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ଏବଂ ଅନ୍ୟାନ୍ୟ ରୋଗ, ଆଘାତ-ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି, ପ୍ରସୂତି ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି, ଶିଶୁ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି, ସାପ କାମୁଡା, ବିଷକ୍ରିୟା ଇତ୍ୟାଦି ପରିଚାଳନା ସହିତ ସମ୍ବନ୍ଧିତ ଅଟେ ।
ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଅର୍ଥୋପେଡିକ୍ସ ଏବଂ ଅନ୍ୟାନ୍ୟ ରୋଗର ମୁଖ୍ୟ ପ୍ରଫେସର ରାଜେଶ ମାଲହୋତ୍ରା, ଜେପିଏନ୍ ଟ୍ରମା କେନ୍ଦ୍ର (ଏମ୍ସ), ଡାକ୍ତର ଅତୁଲ୍ ଗୋଏଲ୍, ଡିଜିଏଚ୍ଏସ୍ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.