ଖପ୍ରାଖୋଲ ତୁରେକେଲା ବ୍ଲକ ଅଞ୍ଚଳରେ ଚାଲିଛି ଅସଂଖ୍ୟ ବେଆଇନ ଇଟାଭାଟି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ, ତୁରେକେଲା ବ୍ଲକ ଅଞ୍ଚଳରେ ଛତୁ ଫୁଟିବା ଭଳି ଅସଂଖ୍ୟ ବେଆଇନ ଇଟାଭାଟି ସବୁ ଚାଲିଛି । ଆଇନ୍ କାନୁନକୁ ବେଖାତିର୍ କରି ଇଟାଭାଟି ସବୁ ଖୋଲି ମାଲେମାଲ୍ ହେଉଛନ୍ତି । ଇଟାଭାଟି ଗୁଡିକ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି । ଅନ୍ୟ ପଟେ ରାଜ‌ସ୍ୱ ବିଭାଗ ଏବଂ ବନବିଭାଗ ସବୁ ଜାଣି ନଜାଣିବା ଭଳି ଅଭିନୟ କରୁଛନ୍ତି । ଇଟାଭାଟି ମାଲିକ ମାନେ ମଧ୍ୟ ବହୁତ ଚତୁର ହୋଇ ଗଲେଣି ଲକ୍ଷ ଲକ୍ଷ ଟଙ୍କାର ଇଟା ବିକ୍ରି କରୁଛନ୍ତି ପଚାରିଲେ ଏହା ଆବାସ ଯୋଜନାରେ ଘର ତିଆରି ପାଇଁ ଇଟା ପ୍ରସ୍ତୁତ କରୁଛୁ ବୋଲି କହୁଛନ୍ତି । ଇଟାଭାଟି ବାଲାଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେମାନେ କୁହନ୍ତି ଆମେ ଚାଲାଣ ପଇସା ବନବିଭାଗର କର୍ମଚାରୀଙ୍କୁ ଦେଇଛୁ କିନ୍ତୁ ଗୋଟିଏ ମାସ ହେଇଯାଇଥିଲେ ମଧ୍ୟ ସେମାନେ ଆମକୁ ରସିଦ୍ ଦେଉନାହାନ୍ତି । ରସିଦ୍ ପାଇଁ କହିଲେ ଆଜି ଆଣିଦେବୁ କାଲି ଆଣିଦେବୁ କହି ଦିନ ଗଡାଇ ଚାଲିଛନ୍ତି । ଏ ବିଷୟ ନେଇ ଲାଠୋର ରେଞ୍ଜର ପ୍ରଭାତୀ ସେଠଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ ପ୍ରଥମ ଥର ଶୁଣିବାକୁ ପାଉଛି ଯେ ଲୋକେ ପଇସା ଦେଇ ରସିଦ୍ ପାଇନାହାନ୍ତି । ଯେଉଁ ମାନେ ପଇସା ଦେଇ ରସିଦ୍ ପାଇନାହାନ୍ତି ସେମାନେ ରେଞ୍ଜ ଅଫିସ ଆସି କାହାକୁ ପଇସା ଦେଇଛନ୍ତି ମତେ କହିଲେ ରସିଦ୍ ଆମେ ଦେଇଦେବୁ । ଲୋକଙ୍କ କହିବା ଅନୁସାରେ ରାଜ‌ସ୍ୱ ବିଭାଗ, ବନବିଭାଗ ଏବଂ ଇଟାଭାଟି ମାଲିକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏସବୁ ସମ୍ଭବ ହେଉଛି । ନଚେତ୍ ଇଟାଭାଟି ଗୁଡିକ ସବୁ ରାସ୍ତା କଡ଼ରେ ଚାଲିଥିଲେ ମଧ୍ୟ ସେହି ରାସ୍ତା ଦେଇ ପ୍ରତ୍ୟହ ବନବିଭାଗ କର୍ମଚାରୀ, ରାଜ‌ସ୍ୱ ବିଭାଗ କର୍ମଚାରୀ ମାନେ ଆତଯାତ କରିଥାନ୍ତି ତଥାପି ସେମାନଙ୍କ ନଜର କିପରି ଇଟାଭାଟି ଗୁଡିକ ଉପରେ ପଡୁନାହିଁ । ଅତି ଶୀଘ୍ର ବେଆଇନ ଭାବେ ଚାଲୁଥିବା ଇଟାଭାଟି ଗୁଡିକ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.