jayashree

ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବ୍ୟର୍ଥ ନଯାଉ 

ଗୋପାଳପୁର, ବାଲେଶ୍ୱର, 

     ଏ ବର୍ଷ ଆମେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ । ଏହା ଆମ ୧୪୦ କୋଟି ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଆମ ଦେଶର ଏକତା ଓ ଅଖଣ୍ଡତାକୁ କ୍ଷୂର୍ଣ୍ଣ କରିବା । ସେମାନେ ଜାଣି ଶୁଣି ବିଭିନ୍ନ ସମ୍ପ୍ରଦାୟ ଯେପରିକି ହିନ୍ଦୁ, ମୁସଲିମ, ଶିଖି ଓ ଈଶାଇ ମଧ୍ୟରେ ବିବାଦର ସୂତ୍ରପାତ କରାଉଥିଲେ । ସେମାନଙ୍କ ମନ ଭିତରେ ହିଂସା ପ୍ରତିଶୋଧର ବହ୍ନି ପ୍ରଜ୍ୱଳିତ କରାଇବା ଓ ଧର୍ମ ଜାତି ଆଧାରରେ ଆମ ଦେଶକୁ ବିଭାଜିତ କରିବା, ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ନିଜର ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଇଂରେଜ ମାନେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର କଳେ,ବଳେ ଓ କୌଶଳେ ପ୍ରୟୋଗ କରିଥିଲେ । ଅନେକାଂଶରେ ସେମାନେ ନିଜ ଯୋଜନାରେ ସଫଳ ହୋଇଥିଲେ। ସାମାନ୍ୟ କିଛି ଅର୍ଥ ଓ କ୍ଷମତା ଲୋଭରେ କିଛି ବ୍ୟକ୍ତି ବିଶ୍ୱାସଘାତ କରି ଆମ ସ୍ୱାଧୀନତା ପାଇବାର ଆଶାକୁ ଶିଥିଳ କରୁଥିଲେ । ସେହି ଦେଶଦ୍ରୋହୀ ମଧ୍ୟରେ ମୀରଜାଫର, ଜୟଚନ୍ଦ୍ର, ଜୟ ଗୋପାଳ ଭଳି, କିଛି ବିଶ୍ୱାସଘାତକ ଥିଲେ ଯାହା ନୃଶଂସ ଅଧର୍ମୀ ଆତ୍ମଗର୍ବୀ ଅହଙ୍କାରୀ ଇଂରେଜମାନଙ୍କୁ ଧରି ୨୦୦ ବର୍ଷ ଧରି ଆମ ଦେଶର ଲୋକମାନଙ୍କୁ ଗୁଲାମ ଓ ପରାଧୀନ କରି ରଖିବାରେ ସହାୟ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ ଓ ବଳିଦାନ ଦ୍ୱାରା ମାତୃଭୂମି ଭାରତ ଅହଙ୍କାରୀ, ଅଧର୍ମୀ, ନିଷ୍ଠୁର, ହିଂସ୍ର ଓ ଅତ୍ୟାଚାରୀ ଇଂରେଜ ମାନଙ୍କର ଗୁଲାମୀରୁ ମୁକ୍ତ ହୋଇପାରିଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି, ଭଗତ ସିଂ, ଜୟୀ ରାଜଗୁରୁ, ଶୁକଦେବ, ସୁବାଷ ବୋଷ, ତାନ୍ତ୍ରିଆ ଟୋପେ, ରାଣୀ ଲକ୍ଷ୍ମୀବାୟୀଙ୍କ ଅବଦାନ ଅତୁଳନୀୟ ଯାହାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ।
ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତା ପ୍ରକୃତ କ୍ଷମତାର ଅଧିକାରୀ ହୋଇଥାନ୍ତି । ଜନତାଙ୍କ ଆଶୀର୍ବାଦ ବିନା କୌଣସି ରାଜନୈତିକ ବ୍ୟକ୍ତି କିମ୍ବା ଦଳ କ୍ଷମତା ହାସଲ କରିବା ଅସମ୍ଭବ । ମନୁଷ୍ୟର ୩ଟି ମୌଳିକ ଚାହିଦା ଖାଦ୍ୟ, ବସ୍ତ୍ର, ବାସଗୃହ ବିନା ସମାଜରେ ବଞ୍ଚିବା ଅସମ୍ଭବ । ଆମ ଦେଶର ଗରିବ ଏବଂ ମଧ୍ୟବିତ୍ତ ଏହି ୩ଟି ମୌଳିକ ଚାହିଦା ପୂରଣ କରିବା ପାଇଁ ଏବେବି ସଂଘର୍ଷ କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ । ଆମ ଦେଶର ସୁବିଧାବାଦୀ, ସ୍ୱାର୍ଥପର ରାଜନେତା କ୍ଷମତା ଓ ପଦପଦବୀ ହାସଲ କରିବା ପାଇଁ ବ୍ୟଗ୍ର । ସେମାନେ ସମସ୍ତ ନୀତି, ନିୟମ, ନୈତିକତା, ଆଦର୍ଶତାକୁ ଜଳାଞ୍ଜଳି ଦେଇ ଯେକୌଣସି ଉପାୟରେ କ୍ଷମତା ହାସଲ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ।
ଯେଉଁ ସ୍ୱପ୍ନ, ଆଶା, ଭରସା ବିଶ୍ୱାସକୁ ନେଇ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନେ ଆମ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାହା ଏବେବି ଅସମ୍ପୂର୍ଣ୍ଣ ଅଛି । ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଏବେବି ଅନେକ ଅସହାୟ ବ୍ୟକ୍ତି ଆମ ଦେଶରେ ପ୍ରତିଦିନ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିଭିନ୍ନ ବଡ ଅନୁଷ୍ଠାନ, ସଂସ୍ଥା ଦ୍ୱାରା ଆମ ସରକାର ପ୍ରଶଂସା, ପୁରସ୍କାର ଗୋଟାଉଛନ୍ତି କିନ୍ତୁ ଏବେବି ଅନେକ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଏହି ଯୋଜନାର ଲାଭ କିମ୍ବା ସୁବିଧା ଅପହଞ୍ଚ । ବିଭିନ୍ନ ଜାତୀୟ ଆଗ ଧାଡିର ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେବି ଆମ ଦେଶରେ ଅନେକ ଅସହାୟ ବ୍ୟକ୍ତି କ୍ଷୁଦାର ଜ୍ଵାଳା ସହ୍ୟ କରି ନପାରି ଅର୍ଥ ଅଭାବରୁ ଅତି ନିମ୍ନମାନର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଏହା ଆମ ଦେଶ ପାଇଁ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ।
୨୦୧୭ ଜାତୀୟ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୧୯କୋଟି ଜନତା ଆମ ଦେଶରେ ପ୍ରତିଦିନ ଖାଇବାକୁ ନପାଇ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ୪୫୦୦ ଶିଶୁ ଯେଉଁ ମାନଙ୍କ ବୟସ ୫ବର୍ଷରୁ କମ୍‌ ପ୍ରତିଦିନ ଖାଦ୍ୟ ଅଭାବରୁ ସେମାନଙ୍କ ଜୀବନ ପ୍ରଦୀପ ଲିଭିଯାଉଛି । ସ୍ୱାଧୀନତା ପୂର୍ବର ରାଜନେତାଙ୍କ ପାଇଁ ରାଷ୍ଟ୍ର ସର୍ବୋପରି ଥିଲା । ରାଷ୍ଟ୍ରର ଉନ୍ନତି ପାଇଁ ସବୁକିଛି ତ୍ୟାଗ କରିବା ପାଇଁ ସେମାନେ ପ୍ରସ୍ତୁତ ଥିଲେ । ନୀତି, ନୈତିକତାକୁ ସେମାନେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବିଡମ୍ବନାର ବିଷୟ ଏହିକି ଏକବିଂଶ ଶତାବ୍ଦୀର ରାଜନେତାଙ୍କ ପାଇଁ ନୀତି, ନୈତିକତା ଶବ୍ଦ ଶୈତାନର ବେଦପାଠ ସଦୃଶ । କଳ, ବଳ, କୌଶଳ ପ୍ରୟୋଗ କରି ଯେକୌଣସି ଉପାୟରେ କ୍ଷମତା ହାସଲ କରିବା ଆଜିର ରାଜନେତାଙ୍କ ମୁଖ୍ୟ ଲକ୍ଷ୍ୟ । ଏହା ଅପ୍ରିୟ ସତ୍ୟ ।
     ଜନ୍ମରୁ ମୁତ୍ୟୁ ପର୍ଯ୍ୟନ୍ତ ଆମ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କା ଯୋଜନା ନାମରେ ହରିଲୁଟ କରୁଛନ୍ତି ଆମ ସମାଜର ବଡ଼ପଣ୍ଡା ବୋଲାଉଥିବା ନେତା, ମନ୍ତ୍ରୀ, ଅଫିସର । ରାଜନେତାଙ୍କ ଛତ୍ରଛାୟା ତଳେ ବଡ଼ବାବୁ, ଆଇଏସ୍‌ ଅଫିସର ମାନେ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି ସାଧାରଣ ଜନତାଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ନିଜର ବିଶାଳ ସାମ୍ରାଜ୍ୟ ନିର୍ମାଣରେ ବିନିଯୋଗ କରୁଛନ୍ତି ।
ଆମ ଦେଶର ଗରିବ ଓ ମଧ୍ୟବିତ୍ତ ବ୍ୟକ୍ତି ସମସ୍ତ ନିତ୍ୟ ବ୍ୟବହାର କରୁଥିବା ସାମଗ୍ରୀ ଯେପରି ସାମାନ୍ୟ ଛୁଞ୍ଚିଠୁ ଆରମ୍ଭ କରି ଫ୍ରିଜ ପର୍ଯ୍ୟନ୍ତ ଜିଏସ୍‌ଟି ଆକାରରେ ସରକାର କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଟୋଲଟାକ୍ସରେ ଅନେକ ରାଜସ୍ୱ ସରକାର କମାଉଛନ୍ତି । ଏପରିକି କ୍ୟାନସର, ଡାଇବେଟିସ, ହାର୍ଟଆଟାକ ପରି ଭୟଙ୍କର ରୋଗର ଉପଶମ ପାଇଁ          ବ୍ୟବହୃତ ହେଉଥିବା ମେଡ଼ିସିନରେ ଆମ ସରକାର ଜିଏସ୍‌ଟି ଆଦାୟ କରୁଛନ୍ତି । ଗୋଟିଏ ସାଧାରଣ ଗରିବ, ମଧ୍ୟବିତ୍ତ ପରିବାର ପାଇଁ ଏହା” ବୋଝ ଉପରେ ଲଳିତା ବିଡା ସଦୃଶ” । ବର୍ତ୍ତମାନ ସମୟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ବୃଦ୍ଧି ସାଧାରଣ ଗରିବ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ରାତିଦିନ ସଂଘର୍ଷ କରୁଛନ୍ତି ଏବଂ ଯେଉଁମାନେ କ୍ୟାନସର, ଡାଇବେଟିସ, ହାର୍ଟ ଆଟାକ ପରି ଭୟଙ୍କର ରୋଗରେ ପୀଡିତ ସେମାନଙ୍କ ସମସ୍ତ ଝାଳବୁହା କଷ୍ଟ ଉପାର୍ଜିତ ଅର୍ଥ ବିନିଯୋଗ ହେଉଛି ମେଡ଼ିସିନ ଏବଂ ମେଡିକାଲ ଟେଷ୍ଟରେ । ସେଥିପାଇଁ ଅନେକ ସାଧାରଣ ବ୍ୟକ୍ତି ଋଣ ଭାରରେ ଭାରାକ୍ରାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଆମ ସରକାରୀ କଳ ଏବଂ  ଜଟିଳ ବ୍ୟବସ୍ଥା ଦାୟୀ । 
ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆମ ଦେଶରେ ଅପାତକାଳ ଘୋଷଣା କରାଯାଇଥିଲା । ଏହି ସମୟକୁ ଗଣତନ୍ତ୍ରର କଳାଦିବସ ଭାବେ ବିବେଚନା କରାଯାଏ । ସରକାରଙ୍କ ଏକଛତ୍ରବାଦୀ ନୀତିକୁ ସମାଲୋଚନା କରୁଥିବା ଅନେକ ସ୍ୱେଚ୍ଛାସେବୀ, ବିରୋଧୀ ଦଳ ନେତା, ସାମ୍ବାଦିକ ମାନଙ୍କୁ ବନ୍ଦୀ କରାଯାଇ କାରାଗାରରେ ରଖାଯାଇଥିଲା । ସେହି ସମୟରେ ୨୦୦ରୁ ଅଧିକ ସାମ୍ବାଦିକଙ୍କୁ କରାଗାରରେ ରଖାଯାଇଥିଲା । ଇଂରାଜୀ ଦୈନିକ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଇନ୍ଦିରାଗାନ୍ଧୀଙ୍କ ଏକଛତ୍ରବାଦୀ ନୀତି ଏବଂ  ଅପାତକାଳକୁ ବିରୋଧ କରି ୧୯୭୫ମସିହା ଜୁନ୨୫ ତାରିଖରେ ତାର ସମ୍ପାଦକୀୟ ପୃଷ୍ଠାକୁ ଖାଲି ରଖିଥିଲା । ଏହିପରି ଅନେକ ଘଟଣାରେ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ସାଧାରଣ ଜନତାଙ୍କ ବିଦ୍ରୋହର ସ୍ୱର ପ୍ରଖର ହୋଇଥିଲା ଏବଂ ନିରୀହ ଜନସାଧାରଣଙ୍କ ମନରେ ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହୋଇଥିଲା । 
ସେଥିପାଇଁ ମହାନ ଜନନାୟକ ସ୍ୱାଧୀନତା ସଂଗ୍ରାମୀ ସତ୍ୟ ଅହିଂସାର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି  ଶୋଷଣକାରୀ ମାନେ ଯେବେ ସଂଗ୍ରାମୀକୁ ଲୋଭ ଦେଖାଇ କିଣିନପାରନ୍ତି, ସେତେବେଳେ ଯନ୍ତ୍ରଣା ଦେଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସତ୍ୟର ଏକ ଚମତ୍କାର ଶକ୍ତି ଅଛି ଏହାକୁ ହଇରାଣ କରାଯାଇପାରିବ କିନ୍ତୁ ପରାଜିତ ନୁହଁ । 
ରାମରାଜ୍ୟର ପରିକଳ୍ପନା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମ ଦେଶର ରାଜନେତା ପରସ୍ପର କାଦୁଅଫିଙ୍ଗା ରାଜନୀତିରୁ ବିରତ ରହି ରାଷ୍ଟ୍ରର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରିବେ । ଯେତେବେଳେ ସମସ୍ତ ଗରିବ, ସାଧାରଣ ମଧ୍ୟବିତ୍ତ ପରିବାରମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଚ୍ଚକୋଟିର ଶିକ୍ଷା, ଉତ୍ତମ ପୃଷ୍ଟିକର ଖାଦ୍ୟ, କର୍ମନିଯୁକ୍ତିର ସୁଯୋଗ ସରକାରୀ ଏବଂ ବେସରକାରୀ ପକ୍ରିୟାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବେ । ଏହା ସମସ୍ତଙ୍କ ମିଳିତ ସହଯୋଗରେ ସମ୍ଭବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ । ଭୋଟ ବ୍ୟାଙ୍କ ଏବଂ କାଦୁଅ ପିଙ୍ଗା ରାଜନୀତିରୁ ଦୂରେଇ ରହି ନିଜର ଦଳୀୟ ସ୍ୱାର୍ଥ ଅପେକ୍ଷା ଆମ ରାଷ୍ଟ୍ରର ହିତ ତଥା ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଥିବା ଗରିବ ଓ ମଧ୍ୟ୍ୟବିତ୍ତ ଲୋକଙ୍କ ଅଧିକାର ପାଇଁ ସବୁ ରାଜନେତାଙ୍କୁ ଲଢେଇ କରିବାକୁ ପଡିବ । ସମସ୍ତଙ୍କ ମିଳିତ ସହଯୋଗରେ ଆମ ଦେବଭୂମି, ମାତୃଭୂମି, ପୁଣ୍ୟଭୂମି ଭାରତର ସର୍ବାଙ୍ଗୀନ ବିକାଶ ହୋଇପାରିବ ଏବଂ ଅନ୍ୟ ରାଷ୍ଟ୍ର ପାଇଁ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଦେହର ଅବକାଶ ନାହିଁ ।

ଆଶୁତୋଷ ନାୟକ 

Leave A Reply

Your email address will not be published.