ଜିଲ୍ଲାର ସମସ୍ତ ଧାନମଣ୍ଡି ଖୋଲିବା ଦାବିରେ ଏସୟୁସିଆଇ(ସି)ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଖରିଫ ଧାନକିଣା ଚରମ ଅବ୍ୟବସ୍ଥା ଘେରରେ ରହିଛି । ଚଳିତ ବର୍ଷ ଜିଲ୍ଲାରେ ସମସ୍ତ ପ୍ୟାକ୍ସରେ ଏପର୍ଯ୍ୟନ୍ତ ଧାନମଣ୍ଡି ଖୋଲା ଯାଇ ପାରିନାହିଁ । ଫଳରେ ଚାଷୀମାନେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଧାନକିଣାରେ ବିଳମ୍ବ ଯୋଗୁଁ ଚାଷୀମାନେ ଟୋକାନ ଲାପ୍ସ୍ ହେବାର ଆଶଙ୍କା କରିଛନ୍ତି । ଯେଉଁ ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି, ସେଠାରେ କଟନିଛଟନି ଯୋଗୁଁ ଚାଷୀ ଲୁଟର ଶିକାର ହେଉଛନ୍ତି । ତେଣୁ ଧାନକିଣାକୁ ସୁବ୍ୟବସ୍ଥା କରିବା ଏବଂ ମିଲର୍ସ ରାଜକୁ ବନ୍ଦ କରିବା ପାଇଁ ଫୁଡ୍ ଟ୍ରାନ୍ସପୋରିନ୍ସି ପୋର୍ଟାଲ କାର୍ଯ୍ୟକ୍ଷମ କରିବା, ସମସ୍ତ ପ୍ୟାସ୍କରେ ଧାନମଣ୍ଡି ଖୋଲିବା, କଟନିଛଟନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଦେଓଗାଁ ବ୍ଲକ ରତାଖଣ୍ଡି ଗ୍ରାମର ଖେଳ ପଡ଼ିଆର ଜମି ଚିହ୍ନଟ କରିବା, ବନ୍ଦ ସ୍କୁଲ ତୁରନ୍ତ ଖୋଲିବା ଆଦି ଦାବିରେ ଆଜି ଏସୟୁସିଆଇ(ସି) ଏବଂ ଚାଷୀ ସଂଗଠନ ଏଆଇକେକେଏମ୍‌ଏସ୍‌ ପକ୍ଷରୁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏସୟୁସିଆଇ(ସି) ବଲାଙ୍ଗିର ଜିଲ୍ଲା କମିଟି ସମ୍ପାଦକ ସୁନୀଲ କୁମାର ଭୋଇଙ୍କ ନେତୃତ୍ୱରେ ଏକ ରାଲି କଳା ମଣ୍ଡଲ ପଡିଆରୁ ବାହାରିଥିଲା । ବିକ୍ଷୋଭକାରୀମାନେ ଭାଗିରଥି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଶଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ଦୃଢ଼ ବିରୋଧ କରିଥିଲେ । ମିଲର୍ସଙ୍କ ସ୍ୱାର୍ଥ ରକ୍ଷା ପାଇଁ ଚାଷୀଙ୍କୁ ନିର୍ମମ ଶୋଷଣ କରିବାରୁ ସରକାର ଓ ପ୍ରଶାସନ ବିରତ ରୁହନ୍ତୁ ବୋଲି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଥିଲେ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଥିଲେ । ଶେଷରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏଡ଼ିଏମ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜିର ବିକ୍ଷୋଭରେ ସଂଗଠନର ପିତାମ୍ବର ପଧାନ, କୁନୁ ଭୋଇ, ଅମିତ ପଧାନ, ଚେୟାରମ୍ୟାନ ପଧାନ, ମୋତି ରଣା ସହ ଶତାଧିକ ଚାଷୀ ମୂଲିଆ ସାମିଲ ହୋଇଥିଲେ ।

Leave A Reply

Your email address will not be published.