ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ

  • ଜୟଶ୍ରୀ ସାହୁ

ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର ଖାଇଥାନ୍ତି । ଉଭୟ ମଧ୍ୟରୁ କୋଉଟାକୁ ଠିକ ବୋଲି ଧରାଯିବ ?

ଠିକ ସେମିତି ଆମେ ଜାଣୁଁ, ହିନ୍ଦୁ ଧର୍ମରେ ଅନେକ ପନ୍ଥ, ସମ୍ପ୍ରଦାୟ ରହିଛନ୍ତି ସେମାନଙ୍କ ଗୁରୁଙ୍କ ପ୍ରଦର୍ଶିତ ମାର୍ଗ ଅନୁଯାୟୀ ସେମାନଙ୍କ ଉପାସନା ପଦ୍ଧତି ବି ଭିନ୍ନ ଭିନ୍ନ । ବଙ୍ଗାଳୀ ବଧୂ ପାଇଁ ମାଛ ଆହାର ମଙ୍ଗଳର ପ୍ରତୀକ ତ ଅନେକ ଜାତିରେ ମହିଳାମାନଙ୍କୁ ସଧବା ବିଧବା ନିର୍ବିଶେଷରେ ଆଇଁଷ ଆହାର ମନା । ଆଶ୍ରମ ଓ ଅନୁଗାମୀରେ ବିଶ୍ୱାସ ରଖୁ ନଥିବା ସ୍ୱାମୀ ନିରଞ୍ଜନ ତାଙ୍କ ଶିଷ୍ୟମାନଙ୍କୁ ସାତ୍ୱିକ ଅହଂକାର ପ୍ରତି ସର୍ବଦା ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦିଅନ୍ତି । ତାଙ୍କ ମତରେ, ଯିଏ ଯେତେ ଧର୍ମାଚାର କରେ ତାର ସାତ୍ୱିକ ଅହଂକାର ବଢିବାର ସମ୍ଭାବନା ସେତେ ଅଧିକ, ଯାହା କି ଜୀବନବ୍ୟାପୀ ସାଧନାକୁ ନଷ୍ଟ କରିଦେଇଥାଏ । ଏଣୁ ନିରଞ୍ଜନ ସ୍ୱାମୀ କହୁଥିଲେ, ନିଜେ ଉପବାସ କରିଥିବା ସମୟରେ ଅନ୍ୟମାନଙ୍କ ସହ ତୁଳନା କରି ନିଜ ସାଧନାକୁ ନେଇ ମନରେ ଯଦି ଗର୍ବ ଆସେ, ତେବେ ଚଟାପଟ ମାତ୍ର ମୁଠେ ଉଷୁନା ଭାତ ପାଟିରେ ପକେଇ ଦେବା ଉଚିତ । ୟା ଦ୍ୱାରା ନିଜ ଶ୍ରେଷ୍ଠତାକୁ ନେଇ ଗର୍ବ ଉଭେଇ ଯିବ । ଅନ୍ୟ ପକ୍ଷରେ, ଅନେକ ଗୁରୁ ଅଛନ୍ତି ଯେଉଁମାନେ ଉପବାସ ତ ଦୂରର କଥା ନିତି ଦିନିଆଁ ଖାଦ୍ୟରେ ବି ଆମିଷ ସମେତ ପିଆଜ ରସୁଣ ବି କଡାକଡି ମନା କରିଥାନ୍ତି । ଏଣୁ ମତ, ବିଶ୍ୱାସ, ଆଚରଣ, ଉଚ୍ଚାରଣରେ ଭିନ୍ନତାକୁ ସ୍ୱାଭାବିକ ଭାବେ ଗ୍ରହଣ କରି ନେବାଟା ଆମ ସମସ୍ତଙ୍କ ପାଇଁ ମଙ୍ଗଳକର ।

ମନେ ଅଛି, ମୁଁ ପଞ୍ଚମ ବା ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଠିକ ଚନ୍ଦ୍ର ଗ୍ରହଣ ଚାଲୁଥିବା ବେଳେ ବାପା ମତେ ବୁଝାଉଥିଲେ ଗ୍ରହଣ, ପରାଗର ବୈଜ୍ଞାନିକ ଆଧାର । ଟିକିନିଖି ବୁଝେଇ ସାରିବା ପରେ ବୋକା ଭଳି ପୁଣି ମୁଁ ପ୍ରଶ୍ନ କରିଥିଲି – ଆଉ ଚନ୍ଦ୍ରକୁ ରାହୁ ଗିଳିବାଟା କଣ ମିଛ ? ପରିବେଷ୍ଟନୀର ପ୍ରଭାବରେ ମୋର ମାନସିକ ସ୍ଥିତି ସେତେବେଳେ ଏମତି ଥିଲା ଯେ, ଗ୍ରହଣର ବୈଜ୍ଞାନିକ ଆଧାରକୁ ମାନସିକ ସ୍ତରରେ ମୁଁ ଗ୍ରହଣ କରି ପାରୁ ନଥିଲି । ବିଜ୍ଞାନକୁ ମୁଁ ସନ୍ଦେହ କରିବାର କାରଣରେ ବି ଖୁବ ତାକତ ଥିଲା । ରାହୁଗ୍ରସ୍ତ ଚନ୍ଦ୍ରକୁ ଦେଖି କାନ୍ଦ କାନ୍ଦ ହେଇ ଆମ ସାହିର ବୁଢୀମାନେ ସୁଁ ସୁଁ ହଉଥିଲେ – “ଆଉ କେତେ ସମୟ କଷ୍ଟ ପାଇବେ ପ୍ରଭୁ !” ଆଉ କିଏ ଚୁ ଚୁ କରି କହୁଥିଲା “ବିଚରା” । ତା ଛଡା ଘରେ ଥିବା ଅନେକ ପୋଥି ପୁରାଣ ମୁଁ ସାରି ଦେଇଥିଲି । ସୂର୍ଯ୍ୟ ପୁରାଣରେ ପଢିଥିଲି “ସୂର୍ଯ୍ୟ ଏକ ଗ୍ରହ ଓ ପୃଥିବୀ ଚାରିପଟେ ସୂର୍ଯ୍ୟ ସମେତ ନବଗ୍ରହ ପରିକ୍ରମା କରନ୍ତି ।” ସେତେବେଳେ ଗ୍ରହଣ ସରିବା ପରେ ଅଧିକାଂଶ ଲୋକ ପୋଖରୀକୁ ଗାଧେଇ ଯାଉଥିଲେ । ଗାଁ ସାରା ବୁଲି ବୁଲି ବ୍ରାହ୍ମଣ ଆମ୍ବଡାଳରେ ମନ୍ତ୍ରିତ ଜଳ ସିଂଚି ସମସ୍ତଙ୍କୁ ପବିତ୍ର କରୁଥିଲେ । ସେତେବେଳେ ବିଶ୍ୱାସ ଅବିଶ୍ୱାସର ଫେଣ୍ଟାଫେଣ୍ଟିରେ ପେଶି ହୋଇ ମୁଁ ଭୀଷଣ ମାନସିକ କଷ୍ଟ ପାଉଥିଲି । “ଅଜ୍ଞାନତାକୁ ଆଶୀର୍ବାଦ” ମନେ କରି ମୋ ସାଙ୍ଗସାଥୀ ଆଉ ସେମାନଙ୍କ ଧାର୍ମିକ ଆସ୍ଥାକୁ ଦେଖି ନିଜେ କାତର ହୋଇ ପଡୁଥିଲି ।

ତେବେ, ବୟସ ବଢିବା ପରେ ଅନୁଭବ, ଅନୁଭୂତି ଆଧାରରେ ମନେ ହେଲା, ନିଛକ ସତ୍ୟ ଛଡା କଳ୍ପନା ଶକ୍ତି(ଫାଣ୍ଟାସୀ)ର ବି ଯଥେଷ୍ଟ ଭୂମିକା ଥାଏ ଜୀବନରେ । ଦିନେ ମୋବାଇଲ, ଟେଲିଭିଜନ ହୁଏତ ତୁଚ୍ଛା ଫାଣ୍ଟାସୀ ଭଳି ଲାଗିଥିବ । କିନ୍ତୁ ଆଜି ତାହା ପୂର୍ଣାଙ୍ଗ ରୂପ ନେଇଛି । ଠିକ ସେମିତି ଫାଣ୍ଟାସୀ ଆଧାରରେ ନିର୍ମିତ ପିଲାଠାରୁ ବୁଢା ଯାଏଁ ସମସ୍ତଙ୍କ ଅତି ପ୍ରିୟ କାର୍ଟୁନ ସିରିଏଲ “ଟମ ଏଣ୍ଡ ଜେରୀ” ଆଜି ବି କେତେ ଉପଭୋଗ୍ୟ ! ତେବେ, ଏକଥା ବି ଭୁଲିଗଲେ ଚଳିବନି, ଏ ଫାଣ୍ଟାସିର ରୂପକାର ବି ବିଜ୍ଞାନ । ପରୀକ୍ଷା ନିରୀକ୍ଷାକୁ ନେଇ ହିଁ ବିଜ୍ଞାନ । ବିଜ୍ଞାନ କଦାପି ଧରାବନ୍ଧା ନୁହେଁ । ଧର୍ମ ଓ ବିଜ୍ଞାନ ଉଭୟ କଦାପି ଔପଚାରିକ ନୁହଁନ୍ତି ।

Leave A Reply

Your email address will not be published.

eighteen + two =