କବିତା : ସବୁ କିଛି ଠିକ୍‌ ଠାକ୍‌ ଚାଲେ

ରତ୍ନମୟ ତ୍ରିପାଠୀ

ସବୁକିଛି ଠିକ୍‌ ଥିବା ବେଳେ
ତୁମ ପାଇଁ ହଠାତ୍‌ ବଦଳିଯାଏ
ସମାଜ, ସଭ୍ୟତା, ସରକାର
ନିଶବ୍ଦ ରାତିର ଅନ୍ଧାର ଭିତରେ
ପାପ କରେ ଜଣେ
ଦଣ୍ଡପାଅ ତୁମେ ।

କାହାକୁ ଆଉ ବିଶ୍ୱାସ କରିବ ଯେ’
ଘର, ବାହାର, ଅଫିସ, ସ୍କୁଲ, ଗାଡି ମଟର
ସବୁଠିତ ଅସୁରକ୍ଷିତ ତୁମେ ।

ତୁମକୁ ନ୍ୟାୟ ଦେବା ପାଇଁ
ପଢ଼ାହୁଏ ତୁମ ଦେହର ଭୂଗୋଳ
ତୁମ ଚରିତ୍ରର ଇତିହାସ
ଅନ୍ୟାୟୀକୁ ସୁରକ୍ଷିତ ରଖି
ଗଡିଚାଲେ ତୁମ ନ୍ୟାୟର ତାରିଖ ।

ତୁମ ପାଇଁ ପୁଣି ଥରେ ପ୍ରଶାସନ
ତତ୍ପର ତ ହୁଏନି
ବରଂ ଆହୁରି ଶକ୍ତ କରିଦିଏ
ତୁମ ପାଦର ଶିକୁଳି
ତୁମ ବସ୍ତ୍ର, ଆଭୂଷଣ ।

କିଛି ଦିନ ଖବର କାଗଜର ତୁମେ
ଶିରୋନାମା ହୁଅ
ନ୍ୟୁଜ୍‌ ଚାନେଲ୍‌ର ହେଡ଼ଲାଇନ ହୋଇ
ଟିଆରପି ବଢିଲା ପରେ
ପୁଣି ଥରେ ସବୁକିଛି
ଠିକ୍‌ ଠାକ୍‌ ଚାଲେ ।

ଅଧ୍ୟୟନ, ବଲାଙ୍ଗିର
ମୋ.ନଂ.୯୯୩୭୫୧୬୯୦୪

Leave A Reply

Your email address will not be published.