pakka

କବିତା : ମୁଁ ସକାଳମୁହାଁ ଏବେ

  • ପ୍ରହଲ୍ଲାଦ ଶତପଥୀ

ମୁଁ ସକାଳମୁହାଁ ଏବେ
ମୋତେ ଡେଇଁବାକୁ ହେବ ଅନେକ ରାତି
ଗୋଟାଏ ରାତିରେ
ଅନେକଟା ସମୁଦ୍ରର ଢେ଼ଉ ଡେଇଁବାକୁ ହେବ ।
ଢେ଼ଉ ସବୁର ମୃତ୍ୟୁରେ ହିଁ ନୂଆଁ ଢେ଼ଉସବୁ ପାଆନ୍ତି ଜୀବନ୍ୟାସ,
ଜୀବକୋଷର ମୃତ୍ୟୁ ହିଁ ସୃଷ୍ଟି କରେ ନୂତନ ଜୀବକୋଷମାନଙ୍କୁ ।

ମୁଁ ଜାଣେ ଏଇ ରାତିକୁ ମରିବାକୁ ହେବ ଏକ ନୂଆଁ ସକାଳ ପାଇଁ ।
ହେଲେ ମୁଁ ମରିବାକୁ ଦେବିନି ଏଇ ରାତିକୁ
ଏଇ ରାତି ପ୍ରେମିକା ସାଜି ଅନ୍ତରଙ୍ଗ ଆଳାପ କରିଛି ମୋ ସହ,
ସାକ୍ଷାତକାର ପଢିଛୁ ଏକା ସାଙ୍ଗରେ ଜୀବନର, ଜୀବନସହ
କବିତା, ଜୀବନ, ଏକ ପ୍ରବାହ, ଅନୁଭବିଛୁ ।

ରାତିକୁ ମୁଁ ମରିବାକୁ ଦେବିନି ।
ରାତି ନିଇତି ଆସେ ବୋଝେଇ ଏକାକିତ୍ୱ ର ବୋଝ
ଓ ଟେକିଦିଏ ମୋ କାନ୍ଧକୁ ।
ମୁଁ ନଇଁପଡେ ବୋଝରେ,
ଆସ୍ତେ ଆସ୍ତେ ସକାଳ ପାହିଯାଏ ।
ମୁଁ ଅପେକ୍ଷା କରେ ଅନ୍ୟ ଏକ ରାତିକୁ
ଫେରେଇ ଦେବାକୁ ରାତିକୁ ତା’ ବୋଝ ।

ଆଖିପତା ନଇଁ ଯାଏ ପ୍ରାର୍ଥନାରେ, ରାତିରେ ।
ମୁଁ ଶୋଇପଡ଼େ ସବୁଜ ଘାସର ବିଛଣାରେ
ଶୋଷ ହେଲେ ପିଏ ଝରଣାର ପାଣି
ସୂର୍ୟସ୍ନାନ କରେ
ସ୍ୱପ୍ନ ଦେଖେ ଆକାଶର, କୁନି କୁନି ତାରାର ।

ଆଲୁଅ ହିଁ ଆସେ ମୋ ସ୍ୱପ୍ନକୁ ଓ ରାତି ମରି ମରି ଆସୁଥାଏ ।
ରାତି ପ୍ରେୟସୀ ପରି ଆସେ
ପ୍ରଶ୍ନ କରେ ଅନେକ,
ମୁଁ ନିରୁତ୍ତର ଥାଏ ।
ମୁଁ ଅନାଏ ତାରି ମୁହଁକୁ
ଆମେ କେହି କାହାକୁ ଦେଖି ପାରୁନା
ଅନୁଭବ କରୁ ଖାଲିଯାହା ପରସ୍ପରକୁ ।

ଖୋଲିଦେଉ ପୋଷାକ
ଦେହର ଚମ, ମାଂସ ହାଡ ଓ ଦେଖୁ ପରସ୍ପରକୁ
ନୂଆଁ ଏକ ଆଖିରେ ।
ସେପଟେ ସଜବାଜ ହେଉଥାଏ ରାତିର ମଢ଼ ।
ଜୁଇର ପ୍ରସ୍ତୁତି ପର୍ବ ନିଇତି ଚାଲିଥାଏ
ସକାଳର ଜନ୍ମ ଓ ରାତିର ପୁନର୍ଜନ୍ମ କୁ ମୁଁ ଏକା ସାଙ୍ଗରେ ଅନୁଭବ କରିପାରେ ।

ରାତି ଯେବେ ହିଂସ୍ର ଲାଗେ
ମୁଁ ପାହାନ୍ତି ସକାଳକୁ ଅପେକ୍ଷା କରେ
ସୂର୍ୟ୍ୟ ନେଇ ଆସେ ପାପୁଲିରେ ସକାଳ
ଜଳେ, ଜାଳେ ମୋର ସକଳ ଏକାକିତ୍ୱକୁ ସରାଗରେ।

ବେଳେ ବେଳେ ରାତି ନିଖୋଜ ହୁଏ, ରାତି ଅଧରେ,
ମୁଁ ଖୋଜେ, ଇସ୍ତାହାର ଦିଏ ଖବର କାଗଜରେ,
ଏଫାୟାର ଦିଏ ପୋଲିସ ଫାଣ୍ଡିରେ ।
ମାଟିଆ ପୋଷାକର ବାଘ ମାତେ ରାତି ଅଧରେ ।
ସକାଳକୁ କିଛି ନ ଥାଏ
ଯିଏ ଯା’ର ଭାଗ୍ୟକୁ ଆବୋରି
ଗାଲରେ ହାତଦେଇ ବସିଥାନ୍ତି ।
ରାତିଟିକୁ ଖୋଜିବାରେ କ’ଣ ସତରେ ଆଉ
ଆମେ ବିତେଇ ଦେଇଥାଉ ଏକ ଆୟୁଷ?
ପୃଷ୍ଠା ପରେ ପୃଷ୍ଠା ଓଲଟାଉ ରାତିଟିର,
ଆଙ୍କୁ ଚିତ୍ର ରାତିର,
କବିତା ଲେଖୁ ରାତିକୁ ନେଇ,
ଶେଷରେ କଳା ରଙ୍ଗ ଲେପି ନିଜ ଦେହରେ, ନିଜେ ରାତି ପାଲଟିଯାଉ ।

Leave A Reply

Your email address will not be published.

16 − twelve =