pakka

କବିତା : ଫଗୁଣ ତୁ ଫେରିଆ

ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି)

ଘୋଡେ଼ଇ ହୋଇଥିବା ବସନ୍ତ
ଉଡୁଥିବା ଓଢ଼ଣୀ ଭାରି ଚୁଲ୍‌ବୁଲ୍….‌
ସେ କଥା ଆଉ କୁହନି ।

ମାର୍କେଟର ଗହଳି ଭିତରେ
ଅଜଣା ଝିଅର ଆଣ୍ଟି ଡାକରେ
କୋକୋକଲା ବୋତଲ
ଖୋଲୁ ଖୋଲୁ
ବଳକା ସୋଢା ପରି
ଉତୁରି ପଡ଼ିଲା ବସନ୍ତ ।
ସ୍ମିତ ହସେ ଭାବିଲି
ହେ….ହେ…
ମୁଁ ବୁଢ଼ୀ ହୋଇଗଲି ।

କତେ ଯେ ବସନ୍ତ
ପାରି ହେଲିଣି
ଆଉ ହିସାବ ରଖିବାକୁ
ଟିକିଏ ବି ଭଲ ଲାଗୁନି
ଭାବୁଛି,
ଭଲ ହେଇଥା‌ନ୍ତା
ଯଦି ଗଣିତ ଜମାରୁ
ଜାଣିନଥାନ୍ତି ।

ସ୍କୁଟି ଚକା ମୋ’ ମହୁଲ ଫୁଲ‌ଙ୍କୁ
ଚେପେଇ ଦେଲା ପରି
ମୋ ମୁହଁ ଉପରେ
ଆମ୍ବ ବଉଳର ରସ
ଥପ୍‌ ଥପ୍‌ ହୋଇ
ପଡ଼ିଲା ବେଳେ
ମୁଁ କହିବାକୁ ଲାଗେ
ବାଃ ରେ ଫଗୁଣ ବାଃ…. ।

ତୋ’ ପଲାସ ସିମୁଳି
ରଙ୍ଗରେ ମତେ ରଙ୍ଗେଇ ଦେ’
ଦେଖିବୁ ମୁଁ ବି
ନାଚିବି ପୁଣି
ଠିକ୍‌ ଠିକ୍‌ ତୋ’ ତାଳରେ ।

ଫଗୁଣ ତୋ’
ମହୁଲ ଫୁଲର ରସ ମତେ
ସୁରୁପାଏ ଦେଇଯା’…
ତୋ’ ନିଶାରେ
ଝୁମିବି ନିର୍‌ଧୁମ୍‌ ।

ଆମ୍ବ ବଉଳ, ମହୁଲ ଫୁଲ
ମହକ ଢେ଼ଉରେ
ଓଢଣୀ ମୋ ଉଡିବ
ମୁଁ ଷୋହଳରେ ଥମୁଥିବି
ଝିମତା ରିତାଝିଣା….
ତା’ ଝିମ୍ ତା
ରିତା ଝିଣା… କରି
ହଜାରେ ଦୁଃଖର
ଜୀବନକୁ ଜିଇଁବା ଶିଖିବି
ଫଗୁଣ ତୁ ଫେରିଆ
ଆ’ ମୋ ଫଗୁଣ ଫେରିଆ ।।

Leave A Reply

Your email address will not be published.

fifteen − fifteen =