ଟିଟିଲାଗଡ଼କୁ ସ୍ଵତନ୍ତ୍ର ଜିଲ୍ଲା ଓ ହଲଦୀକୁ ଏକ ବ୍ଲକ ଦାବୀ ନେଇ ମୁରିବାହାଲ ବ୍ଲକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ : ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ୩୧ବର୍ଷ ଧରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହୋଇ ଆସୁଥିବା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡକୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ତଥା ମୁରିବାହାଲ ବ୍ଲକର ହଳଦୀକୁ ଏକ ବ୍ଲକ ଦାବୀ ନେଇ ମୁରିବାହାଲରେ ଗୁରୁବାର ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନ ଯୋଗୁଁ ବ୍ଲକ ଅଞ୍ଚଳର ବ୍ଲକ ଅଫିସ, ତହସିଲ, ବିଇଓ ଅଫିସ, ସିଡ଼ିପିଓ ଅଫିସ, ପେଟ୍ରୋଲ ଟ୍ୟାଙ୍କ, ସମେତ ସମସ୍ତ ସରକାରୀ କାର୍ୟ୍ୟାଳୟ ଓ ବ୍ୟାଙ୍କ ଆଦି ବନ୍ଦ ରହିଥିଲା । ଆଦର୍ଶ ବିଦ୍ୟାଳୟ, ୫-ଟି ସ୍କୁଲ୍ ସହ ସମସ୍ତ ପ୍ରକାର ସ୍କୁଲ,କଲେଜ ଆଦି ମଧ୍ୟ ବନ୍ଦ ଥିବା ବେଳେ ଗାଡିମଟର ସାମାନ୍ୟ ସ୍ଵାଭାବିକ ଭାବେ ଚଳାଚଳ କରୁଥିଲା । ସେହିପରି ହଳଦୀକୁ ଏକ ସ୍ଵତନ୍ତ୍ର ବ୍ଲକ ମାନ୍ୟତା ପ୍ରଦାନ କରିବାକୁ ଦାବୀରେ ହଲଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ନେତୃତ୍ବରେ ହଲଦୀ ବଜାର ଛକରେ ୫୯ନ ଜାତୀୟ ରାଜପଥକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଅବରୋଧ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା । ଏହା ସହିତ ହଳଦୀର ସମସ୍ତ୍ ସରକାରୀ କାର୍ୟ୍ୟାଳୟ, ସ୍କୁଲ କଲେଜ ବନ୍ଦ ରହି ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଏହି ବନ୍ଦ ପାଳନରେ ହଳଦୀର ପୂର୍ବ ସରପଞ୍ଚ ହୃଷିକେଶ ବାଗ, ରମାରଞ୍ଜନ୍ ସେଠ, ଚନ୍ଦ୍ରମଣି ହାତୀ, ଚତୁର ମହାନନ୍ଦ, ଦୀନେଶ କୁମ୍ଭାର, ରୁକ୍ମଣ ମହାନନ୍ଦ, ବିରଞ୍ଚି ଛୁରା, ଉପେନ୍ଦ୍ର ଦୀପ, ଉତ୍ତମ ମହାନନ୍ଦ, ଅଲେଖ ପଶାୟତ, ପିଙ୍କୁ ପସାୟତ, ସୁନୀଲ ହାତୀ, ସାରଥୀ ହାତୀ, ଭିକି ମହାନନ୍ଦ, ରୋସନ ବିଭାର, ପପ୍ପୁ ଯାଦବ, ଦେବ ପୁଝାରୀ, ଲିଛୁ ଛତ୍ରିଆ, ଶଶୀ ମହାନନ୍ଦଙ୍କ ସମେତ ହଲଦୀର ଯୁବ ବାହିନୀ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ସରକାରୀ କାର୍ୟ୍ୟାଳୟ ଓ ବ୍ୟାଙ୍କଗୁଡିକ ବନ୍ଦ ରହିଥିବାରୁ ବର୍ଷା ଓ କୋହଲା ପାଗ ସତ୍ତ୍ୱେ ବହୁ ଦୂର ସ୍ଥାନରୁ ସରକାରୀ, ବେସରକାରୀ କାର୍ୟ୍ୟ ପାଇଁ ଆସିଥିବା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସରକାରୀ କର୍ମଚାରୀମାନେ ଦିନଟିଏ ଛୁଟି ମିଳିଥିବାର ଖୁସି ହୋଇ ଆଉ ନିଜ ନିଜ କାର୍ୟାଳୟକୁ ମଧ୍ୟ ଆସିନଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ମୁରିବାହାଲ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବେଳେ ଟିଟିଲାଗଡ ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଓ ହଲଦୀକୁ ଏକ ସ୍ଵତନ୍ତ୍ର ବ୍ଲକ ମାନ୍ୟତା ଦାବୀରେ ମୁରିବାହାଲ ବ୍ଲକ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!