ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ରାଉରକେଲା ଶାଖାର ବାର୍ଷିକୋତ୍ସବ ଗୋପବନ୍ଧୁ ପାଠାଗାରର ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି । ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ଦିନର ଅତିଥି ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ, ଇଂ. ସନ୍ତୋଷ କୁମାର ମିଶ୍ର, ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଇଂ. ଅଭୟ କୁମାର ଦାସ ଏବଂ ରାଉରକେଲା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ସାଂସ୍କୃତିକ ସଂଘର ସଂପାଦକ ରାଜୀବ ପାଣି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନିଷ୍ପ୍ରଭ ହୋଇଆସୁଥିବା ଓଡିଶାର ପାଲା ସଂସ୍କୃତିକୁ ଉଦ୍ ଜୀବୀତ କରି ରଖିବାରେ ପାଠାଗାରର ଏପରି ଏକ ନିଆରା ଉଦ୍ୟମକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିବା ସହ ପାଲା ଗାୟକ ତଥା ସାଥୀ ମାନଙ୍କୁ ଉଦ୍‌ବୋଧନ ଦେଇ ଉତ୍ସାହିତ କରିଥିଲେ । ପ୍ରଥମ ଦିନରେ ଦୁଇଟି ପାଲା ଗାୟକ ଧୀରେନ୍ଦ୍ର କର ଏବଂ ବାସୁଦେବ ପଣ୍ଡା ଏବଂ ସାଥି ମାନେ ପରିବେଷଣ କରିଥିଲେ । ଶ୍ରୀ କର ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଅବଲମ୍ବନରେ ପରିବେଷଣ କରିଥିବା ବେଳେ ଶ୍ରୀ ପଣ୍ଡାଙ୍କ ବିଷୟବସ୍ତୁ ରାମାୟଣର ଶିବଧନୁ ଭଙ୍ଗ ଏବଂ ସୀତା ବିବାହ ବିଷୟ ଉପରେ ପର୍ଯ୍ୟବସିତ ଥିଲା । ଏହି କାର୍ଯ୍ୟକ୍ରମରେ ଡ. ଗୀରିଜା ଶଙ୍କର ଗୋସ୍ୱାମୀ, ରବୀନ୍ଦ୍ର କୁମାର ସରାଫ, ଲକ୍ଷ୍ମଣ ନାଥ ଦାସ, ହରିହର ଶତପଥୀ, ବିଭୁତି ଭୂଷଣ ଦାସ ଏବଂ ଅନୀଲ କୁମାର ଦାଶ ପ୍ରମୁଖ ସହାୟତା କରିଥିବାବେଳେ ଏହି ପାଲାକୁ ଉଭୟ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ରାଉରକେଲାର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଉପଭୋଗ କରିଥିଲେ । ଆସନ୍ତା ୨ ଦିନରେ ୨ ଜଣ ନାରୀ ଗାୟିକାଙ୍କ ସହ ଆହୁରି ୫ ଟି ଦଳ ପାଲା ପରିବେଷଣ କରିବେ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.