jayashree

ଅଧପନ୍ତରିଆ ୫-ଟି ସ୍କୁଲକୁ ଭର୍ଚୁଆଲରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  • ବ୍ୟବହାର ଆଗରୁ ନଷ୍ଟ ହେଲାଣି ସୋନ୍ଦର୍ଯ୍ୟକରଣ
  • ନନ୍‌ ବ୍ରାଣ୍ଡେଡ଼ ସାମଗ୍ରୀ ଲଗାଇ ବ୍ରାଣ୍ଡେଡ଼ ବିଲ୍‌
  • ବିନା ଟେଣ୍ଡରରେ ସାମଗ୍ରୀ ଯୋଗାଉଛି ବ୍ଲକ ପ୍ରଶାସନ
  • ପୁରୁଣା ହେଉଛି ନୂଆଁ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ସ୍କୁଲର ସୌନ୍ଦର୍ଯ୍ୟକରଣ ପାଇଁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ବିଭିନ୍ନ ସ୍କୁଲକୁ ୫-ଟିରେ ସାମିଲ କରି ଲକ୍ଷାଧିକ ଟଙ୍କା ଦେଇଛନ୍ତି କିନ୍ତୁ ସବୁ ସ୍କୁଲଗୁଡିକ ଅଧପନ୍ତରିଆ ଭାବେ ରହିଛି । ତରବରିଆ ଭାବେ କାମ କରୁଛନ୍ତି ଠିକାଦାର । କେଉଁଠି ସୌନ୍ଦର୍ଯ୍ୟକରଣ ବାକି ଅଛି ତ ପୁଣି କୋଉଠି ଶୌଚାଳୟ ନିର୍ମାଣ । ହେଲେ ଏହି ପରିପେକ୍ଷୀରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧାପନ୍ତରିଆ ରୂପାନ୍ତରିତ ସ୍କୁଲଗୁଡ଼ିକୁ ଉଦ୍‌ଘାଟନ କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶୁକ୍ରବାର ସଂନ୍ଧ୍ୟା ୬ଟାରେ ବଲାଙ୍ଗିର ଜିଳ୍ଲାରେ ୧୦୦ଟି ସ୍କୁଲ ମଧ୍ୟରେ ଦେଓଗାଁ ବ୍ଳକର ୧୩ଟି ସ୍କୁଲକୁ ଉଦ୍‌ଘାଟନ କରାଯାଇଛି । ବଡ଼ବନ୍ଧ ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ନିମ୍ନମାନର କାମ ହୋଇଥିବା ବେଳେ ମଞ୍ଚ, ଶୌଚାଳୟ, ସୌନ୍ଦର୍ଯ୍ୟକରଣ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏପରିକି ନନ୍‌ବ୍ରାଣ୍ଡେଡ଼ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆଣି ବ୍ରାଣ୍ଡେଡ଼ ନାଁରେ ଲକ୍ଷାଧିକ ଟଙ୍କାର ବିଲ କରିଥିବା ପୂର୍ବତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ଖାଲି ଏହି ଗୋଟିଏ ସ୍କୁଲ ନୁହେଁ ଦେଓଗାଁ ବ୍ଲକରେ ୧୩ଟି ରୁପାନ୍ତରିକରଣ ହାଇସ୍କୁଲକୁ ବ୍ଲକ ପ୍ରଶାସନ ବିନା ଟେଣ୍ଡରରେ କମିସନ କାରବାର କରି ନିମ୍ନମାନର ସାମଗ୍ରୀ ଯୋଗାଇଥିବା ବିଭିନ୍ନ ସ୍କୁଲର ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଧଣ୍ଡାମାଲ ଓ ବଡ଼ବନ୍ଧ ସ୍କୁଲରେ କାମ ଶେଷ ହୋଇନଥିବା ବେଳେ ରାମଚନ୍ଦ୍ରପୁର ଓ ବ୍ରାହ୍ମଣୀଯୋରରେ ବି ସମାନ ଅବସ୍ଥା । ବନ୍ଧପଡ଼ା ହାଇସ୍କୁଲରେ ହାତ ଧୋଇବା ପାଇଁ ନିର୍ମାଣ ହୋଇଥିବା ଟେପ୍‌ ଗୁଡ଼ିକର ଟାଇଲ୍ସ ଭାଙ୍ଗି ଯାଇଥିବା ବେଳେ ପୁରୁଣା କାନ୍ଥରେ ନୂଆଁ ରଙ୍ଗ ଚକ୍‌ଚକ୍‌ କରୁଛି । ଏହି ୫-ଟି ହାଇସ୍କୁଲକୁ ଦେଖିଲେ ବାରି ହେଉଛି କେମିତି ଭାବେ ୫-ଟିର ରୁପାନ୍ତରିତ କାମ ହୋଇଛି । କେଉଁଠି ସ୍କୁଲରେ କାନ୍ଥରେ ଫାଟ ସୃଷ୍ଟି କରିଛି ତ ଆଉ କେଉଁଠି ତରବରିଆ ଭାବେ ଗଛ ଲଗାଇ ସ୍ଥାନ ଗୁଡ଼ିକର କାମ କରାଯାଉଛି । ଏପରି କି ଶୌଚାଳୟ ନିର୍ମାଣ ଅଧାପନ୍ତରିଆ ଥିବା ବେଳେ ସୋନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଘାସ ଓ ଗଛ ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ସ୍କୁଲଠାରୁ ଲକ୍ଷାଧିକ ଟଙ୍କା ନେଇ ବ୍ଲକ କତ୍ତୃପକ୍ଷ ନିମ୍ନ ମାନର ପଙ୍ଖା ଓ ବିଜ୍ଞାନଗାର ସାମଗ୍ରୀ ବିନା ଟେଣ୍ଡରରେ ଯୋଗାଇ ଦେଇଥିବା ପୁରାତନ ଛାତ୍ରମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆଧୁନିକରଣ କରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ନାଁରେ କାର୍ଯ୍ୟାଦେଶ ଆଣି ଯନ୍ତ୍ରୀମାନେ ଦଳୀୟ କର୍ମୀଙ୍କୁ ଠିକାଦାର ଭାବେ ବ୍ୟବହାର କରୁଥିବା ଦେଖାଦେଇଛି । ଫଳରେ ନିମ୍ନମାନର କାମ ହୋଇ କାନ୍ଥ ଗୁଡ଼ିକ ଭାଙ୍ଗିବାକୁ ବସିଲାଣି । ସରକାର ରୁପାନ୍ତରିକରଣ କରୁଥିବା ପ୍ରତି ସ୍କୁଲକୁ ୪୫ଲକ୍ଷ ଟଙ୍କା ଦେଉଥିବା ବେଳେ ଏଥିରୁ ୨୬ଲକ୍ଷ ଟଙ୍କାର ବିନା ଟେଣ୍ଡରରେ ସାମଗ୍ରୀ ଯୋଗାଉଛି ବ୍ଲକ ପ୍ରଶାସନ । ବଡ଼ବନ୍ଧ ହାଇସ୍କୁଲର ନିମ୍ନମାନର କାମ ହୋଇଥିବା ଘଟଣା ନେଇ ପୂର୍ବତନ ଛାତ୍ରମାନେ ବିରୋଧ କରିଥିବା ବେଳେ ଯନ୍ତ୍ରୀ ଗିରିସ ଚନ୍ଦ୍ର ପାତ୍ର କୌଣସି ଅନିୟମିତତା ହୋଇନାହିଁ, ସବୁକାମ ଠିକ ହୋଇଛି ବୋଲି କହିଛନ୍ତି । ସେହିପରି ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍କୁଲଗୁଡ଼ିକ ଉଦ୍‌ଘାଟନ ହେବା ପରେ ବିଭିନ୍ନ ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.